ଡରାଉଛି ଡେଲ୍ଟା ପ୍ଲସ୍ ଭାରିଆଣ୍ଟ

0 71

-କଣ୍ଟେନମେଣ୍ଟ ଜୋନ୍ କରିବାକୁ ନିର୍ଦ୍ଦେଶ
-ଓଡ଼ିଶାରେ ପ୍ରଥମ ଚିହ୍ନଟ ପରେ ତନାଘନା

ଭୁବନେଶ୍ୱର : ତୃତୀୟ ଲହର ଆଶଙ୍କା ଭିତରେ କରୋନା ଭୂତାଣୁର ନୂଆ ପ୍ରଜାତି ଡେଲ୍ଟା ପ୍ଲସ୍ ଭାରିଆଣ୍ଟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । କରୋନା ଭୂତାଣୁର ଏହି ନୂଆ ପ୍ରଜାତି ତୃତୀୟ ଲହରର କାରଣ ହେବ ନାହିଁ ତ ? ଏବେ ଏହି ଆଶଙ୍କା ସମସ୍ତଙ୍କ ମନରେ ଉଙ୍କି ମାରୁଛି । ଦ୍ୱିତୀୟ ଲହର ସାରାଦେଶରେ ହାହାକାର ସୃଷ୍ଟି କରିଥିବା ବେଳେ ଡେଲଟା ଭାରିଆଣ୍ଟର ମ୍ୟୁଟେସନ୍ ପରେ ଡେଲ୍ଟା ପ୍ଲସ୍ ସୃଷ୍ଟି ହୋଇଛି । ତେବେ ଏହି ଭାରିଆଣ୍ଟ କେତେ ମାରାତ୍ମକ, କେତେ ସଂକ୍ରାମକ ଓ କେତେ କ୍ଷତିକାରକ ତାହା ସ୍ପଷ୍ଟ ହୋଇନଥିଲେ ହେଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ଦେଶର ୧୦ଟି ରାଜ୍ୟରେ ପ୍ରାୟ ୫୧ ମାମଲା ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାର ଦେବଗଡ଼ରେ ଡେଲଟା ପ୍ଲସ୍ କରୋନା ଭୂତାଣୁ ଚିହ୍ନଟ ହେବା ପରେ ତନାଘନା ଆରମ୍ଭ ହୋଇଛି । ୧୨ ଟି ରାଜ୍ୟରୁ ଏହି ମାମଲା ସାମ୍ନାକୁ ଆସିଛି । ଏଥିମଧ୍ୟରୁ ସର୍ବାଧିକ ୨୨ଟି ମାମଲା ମହାରାଷ୍ଟ୍ରରୁ ଆସିଛି । ତାମିଲନାଡୁରେ ଡେଲଟା ପ୍ଲସ୍ର ୯ଟି ମାମଲା, ମଧ୍ୟପ୍ରଦେଶରେ ୭, କେରଳରେ ୩, ପଞ୍ଜାବ ଏବଂ ଗୁଜରାଟରେ ଦୁଇଟି ଲେଖାଏଁ, ଆନ୍ଧ୍ରପ୍ରଦେଶ, ଓଡିଶା, ରାଜସ୍ଥାନ, ଜାମ୍ମୁ କାଶ୍ମୀର, ହରିୟାଣା, କର୍ଣ୍ଣାଟକରେ ଗୋଟିଏ ଲେଖାଏଁ ମାମଲା ସାମ୍ନାକୁ ଆସିଛି ।

ଏନ୍ସିଡିସି ସମେତ ୧୦ ସଂସ୍ଥା ଦେଶରେ କରୋନା ଭାଇରସ ଜିନୋମ୍ ସୂଚକାଙ୍କ ସହ ଜଡିତ । ଏନ୍ସିଡିସି ନିର୍ଦ୍ଦେଶକ ସୁଜିତ ସିଂହ କହିଛନ୍ତି, ଏହି ଡେଲଟା ପ୍ଲସ୍ ମାମଲା ବହୁତ ସୀମିତ ରହିଛି । ୧୨ ଜିଲ୍ଲାରେ ପ୍ରାୟ ୫୦ଟି ମାମଲା ଏବଂ ଏହା ଗତ ତିନିମାସ ମଧ୍ୟରେ ହୋଇଛି । କୌଣସି ଜିଲ୍ଲା କିମ୍ବା ରାଜ୍ୟରେ ଏହାର ବୃଦ୍ଧି ହେବାର ପ୍ରବୃତ୍ତି ଅଛି ବୋଲି କୁହାଯାଇପାରିବ ନାହିଁ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର ଦିନ ୮ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରାଥମିକତା ଭିତ୍ତିରେ ଟିକାକରଣ ବୃଦ୍ଧି କରିବାକୁ ଅନୁରୋଧ କରିଛି ଯେଉଁଠାରେ କରୋନାର ଡେଲଟା ପ୍ଲସ୍ ଭାରିଆଣ୍ଟ ଚିହ୍ନଟ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ତାମିଲନାଡୁ, ରାଜସ୍ଥାନ, କର୍ଣ୍ଣାଟକ, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ଜାମ୍ମୁକାଶ୍ମୀର, ଗୁଜୁରାଟ ଏବଂ ହରିୟାଣାକୁ ଚିଠିରେ ଲେଖି ଭିଡ଼ ନିୟନ୍ତ୍ରଣ, ବ୍ୟାପକ ପରୀକ୍ଷଣ ଭଳି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ଏଥିସହ କୋଭିଡ ସଂକ୍ରମିତ ହୋଇଥିବା ଲୋକଙ୍କ ପର୍ଯ୍ୟାପ୍ତ ପରିମାଣର ନମୁନାକୁ ତୁରନ୍ତ ଭାରତୀୟ ସାର୍ସକୋଭିଡ-୨ ଜେନୋମିକ୍ କନ୍ସୋର୍ଟିଆର ନିର୍ଦ୍ଦିଷ୍ଟ ଲାବୋରେଟୋରୀକୁ ପଠାଇବାକୁ ଅନୁରୋଧ କରିଛନ୍ତି । ଯେପରିକି କ୍ଲିନିକାଲ୍ ମହାମାରୀ ବିଜ୍ଞାନ ସମ୍ବନ୍ଧୀୟ ମହସମ୍ବନ୍ଧ ସ୍ଥାପନ କରାଯାଇ ପାରିବ ।

ରାଜେଶ ଭୂଷଣ କହିଛନ୍ତି ଯେ ସାର୍ସ-କୋଭିଡ୍-୨ର ଡେଲଟା ପ୍ଲସ୍ ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲା, ଗୁଜୁରାଟର ସୁରଟ, ହରିୟାଣାର ଫରିଦାବାଦ, ଜାମ୍ମୁ କାଶ୍ମୀରର କଟରା, ରାଜସ୍ଥାନର ବିକାନେର, ପଞ୍ଜାବର ପଟିଆଲା ଏବଂ ଲୁଧିଆନା, କର୍ଣ୍ଣାଟକର ମହୀଶୂର ଏବଂ ତାମିଲନାଡୁର ଚେନ୍ନାଇ, ମଦୁରାଇ ଏବଂ କାଞ୍ଚିପୁରମ୍ରେ ଦେଖିବାକୁ ମିଳିଛି । ଅନୁଧ୍ୟାନ ପାଇଁ ଦେବଗଡ଼ ଯାଇଛି ଏପିଡେମିଓଲୋଜି ଟିମ୍ । ସମ୍ପୃକ୍ତ ବ୍ୟକ୍ତିଜଣକ ଟିକା ନେଇଥିବାରୁ ତାଙ୍କର କୌଣସି ଲକ୍ଷଣ ଦେଖାଯାଇନଥିଲା । ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଏହି ବ୍ୟକ୍ତିଜଣକ ମାର୍ଚ୍ଚ ୩୦ରେ ଟିକା ନେଇଥିଲେ । ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ ସେ ସଂକ୍ରମିତ ହୋଇଥିଲେ । କିନ୍ତୁ ତାଙ୍କଠାରେ କୌଣସି ଲକ୍ଷଣ ଦେଖାଯାଇନଥିଲା । ସେହି ମାସରେ ତାଙ୍କର ଜେନୋମ ସିକ୍ୱେନ୍ସିଂ କରାଯାଇଥିଲା । ଟିକା ନେଇଥିବାରୁ କୌଣସି ଲକ୍ଷଣ ଦେଖାଯାଇନଥିଲା । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ସଂକ୍ରମିତ ହୋଇଛନ୍ତି କି ନାହିଁ, ସମସ୍ତେ ଟିକା ନେଇଛନ୍ତି କି ନାହିଁ ଏହାର ଅନୁଧ୍ୟାନ ପାଇଁ ଦେବଗଡ଼ରେ ପହଞ୍ôଚଛି ଟିମ୍ ।

ଅନ୍ୟପକ୍ଷରେ ଡେଲଟା ପ୍ଲସ୍ ଭାରିଆଣ୍ଟ ବିଶେଷ ଘାତକ ନୁହେଁ । ଯଦି ଘାତକ ହୋଇଥାନ୍ତା ତେବେ ଏହା ଦେବଗଡ଼ ଜିଲ୍ଲାରେ ବ୍ୟାପି ସାରିଥାନ୍ତା ବୋଲି ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି । ମାତ୍ର ଆମକୁ ସତର୍କ ରହିବାକୁ ପଡିବ । ଯେହେତୁ ସେ ସୁସ୍ଥ ହୋଇ ସାରିଛନ୍ତି ବର୍ତ୍ତମାନ କୌଣସି କଣ୍ଟାକ୍ଟ ଟ୍ରେସିଂର ଆବଶ୍ୟକତା ନାହିଁ । ଆଇଏଲ୍ଏସ୍ରେ ଜାନୁଆରୀରୁ ଜେନମ୍ ସିକ୍ୟୁଏନ୍ସିଂ କରଯାଇଥିଲା । ଓଡ଼ିଶା, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ଭଳି ୪ ରାଜ୍ୟରୁ ୩୮୦୦ ସାମ୍ପଲ ଜେନମ୍ ସିକ୍ୟୁଏନ୍ସିଂ ପାଇଁ ସଂଗ୍ରହ କରାଯାଇଥିଲା । ସେ ମଧ୍ୟରୁ ଓଡ଼ିଶାରୁ ୧୧୦୦ ସାମ୍ପଲ ସଂଗ୍ରହ ହୋଇଥିଲା । ଯେଉଁଥିରୁ ମାତ୍ର ଗୋଟିଏ ଡେଲଟା ପ୍ଲସ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସମଗ୍ର ଦେଶରୁ ୪୬ ହଜାର ସାମ୍ପଲ ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରୁ ୪୮ଟି କେସ୍ ସାମ୍ନାକୁ ଆସିଛି ଯାହା ମାତ୍ର ୦.୦୧ ପ୍ରତିଶତ । ଆଗାମୀ ଦିନରେ ଏହା କେତେ ପ୍ରଭାବ ରଖିବ ତାହା ଉପରେ ରିସର୍ଚ୍ଚ ଚାଲିଛି । ମାତ୍ର ଆମକୁ ସତର୍କ ହୋଇ ରହିବାକୁ ପଡ଼ିବ । ଯଦି ଆମେ ସତର୍କ ନ ରହିବା ତେବେ ଭାଇରସ୍କୁ ଆମେ ଆମନ୍ତ୍ରଣ କରିବା ଭଳି ହେବ । ଅନ୍ଲକ୍ ହେବା ପରେ ସମସ୍ତେ ନିୟମ ମାନନ୍ତୁ । ଅମାନିଆ ହେବା ଆମ ପାଇଁ ବିପଦ ସୃଷ୍ଟି କରିପାରେ । ଭ୍ୟାକ୍ସିନ ନେବା ପରେ କେତେ ଲୋକ ସଂକ୍ରମିତ ହେଇଛନ୍ତି ତାହାର ତର୍ଜମା ଚାଲିଛି । ରାଜ୍ୟ ସରକାର ଗଠନ କରିଥିବା କମିଟିର ପ୍ରଥମ ବୈଠକ ଶେଷ ହୋଇଛି । ସେଥିରେ ସମସ୍ତ ଜିଲ୍ଲାମାନଙ୍କୁ ରିପୋର୍ଟ ମଗାଯାଇଛି । ଆସନ୍ତା ସପ୍ତାହରେ ଦ୍ୱିତୀୟ ବୈଠକ ବସିବ । ସମସ୍ତ ଡାଟାକୁ ବିଶ୍ଳେଷଣ କରିବା ପରେ ସେ ଦିଗରେ ଅଧିକ ଆଲୋଚନା କରାଯିବ ।

Leave A Reply

Your email address will not be published.