ହାଇଟେକ୍ ଲୁଟେରା : ଏଟିଏମ୍ ରୁ ଲୁଟିନେଲେ ୩୪ ଲକ୍ଷ

69

ରାଉରକେଲା : ବ୍ୟାଙ୍କରେ ଟଙ୍କା ଡିପୋଜିଟ କରୁ କରୁ ଲୁଟ୍ ବି କରୁଥିଲେ । ନିଜ ପାସୱାର୍ଡ ସହ ନିଜ ସହକର୍ମୀଙ୍କ ପାସୱାର୍ଡ ବି ଏଥିପାଇଁ ବ୍ୟବହାର କରୁଥିଲେ । କରୋନା ମହାମାରୀ ସମୟରେ ପ୍ରାୟ ବର୍ଷେ ମଧ୍ୟରେ ଏପରି ଅଭିନବ ଉପାୟରେ ୩୪ ଲକ୍ଷ ଟଙ୍କା ଲୁଟ କରି ସାରିଛନ୍ତି ଜଣେ ହାଇଟେକ ଲୁଟେରା । ଏ ସମ୍ପର୍କରେ କେହି କିଛି ଜାଣି ପାରୁ ନଥିବା ବେଳେ ଅଡିଟ ବେଳେ ସତ ପଦାକୁ ଆସିଛି । ବିଟେକି ଡିଗ୍ରୀଧାରୀ ଏହି ଲୁଟେରା ଏବେ ପୁଲିସ୍ କବଜାରେ ଥିବା ବେଳେ ଘଟଣାର ଖୋଳତାଡ଼ କରାଯାଉଥିବା ଜଣାଯାଇଛି ।

ସୂଚନାଯୋଗ୍ୟ ହରିଶ୍ ଚନ୍ଦ୍ର ଦାସ ନାମକ ବିଟେକ ଡିଗ୍ରୀଧାରୀ ଯୁବକ ରାଇଟର୍ସ ପ୍ରାଇଭେଟ ଲିମିଟେଡ଼ ନାମକ ଏକ କମ୍ପାନୀରେ ଚାକିରି କରିଥିଲେ । ଏହି କମ୍ପାନୀ ତରଫରୁ ହରିଶ୍ଚନ୍ଦ୍ର ରାଉରକେଲା ସେକ୍ଟର–୧୯, ସେକ୍ଟର-୭, ଛେଣ୍ଡ ଥାନା ଅଞ୍ଚଳର ବ୍ୟାଙ୍କ ଅଫ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ଏଚ୍ଡିଏଫ୍ସି ବ୍ୟାଙ୍କରେ ଟଙ୍କା ଡିପୋଜିଟ କରୁଥିଲେ । ମାତ୍ର ପ୍ରାୟ ବର୍ଷେ ହେବ ନିଜର ଓ ନିଜ ସହକର୍ମୀଙ୍କ ପାସୱାର୍ଡ ବ୍ୟବହାର କରି ସେ ବିଭିନ୍ନ ଏଟିଏମ୍ ରୁ କିଛି କିଛି ଟଙ୍କା ଉଠାଇବାରେ ଲାଗି ପଡ଼ିଥିଲେ । ଏନେଇ କୌଣସି ବ୍ୟାଙ୍କ କର୍ତ୍ତୃପକ୍ଷ କିଛି ଟେର ପାଉନଥିଲେ । ହେଲେ କିଛିଦିନ ହେବ ଅଡିଟ ସମୟରେ ଧରାପଡ଼ିଲା ହରିଶ୍ଚନ୍ଦ୍ରଙ୍କ କଳା କାରନାମା । ଏହି ୩ଟି ବ୍ୟାଙ୍କରୁ ପ୍ରାୟ ୩୪ ଲକ୍ଷ ଟଙ୍କା କମ୍ ଥିବା ଅଡିଟ ସମୟରେ ଜଣାପଡ଼ିଲା ।

ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ରାଉରକେଲା ସେକ୍ଟର–୧୯ , ସେକ୍ଟର-୭ , ଛେଣ୍ଡ ଥାନା ଏବଂ ରେଳବାଇ ଅଂଚଳର ଅନ୍ୟ ଏକ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୁଲିସ୍ ଘଟଣାର ଖୋଲତାଡ଼ ଆରମ୍ଭ କରି ହରିଶ୍ଚନ୍ଦ୍ରଙ୍କୁ ବାନ୍ଧିଛି । ଟଙ୍କା ଲୁଟ୍ ଘଟଣାକୁ ହରିଶ୍ଚନ୍ଦ୍ର ସ୍ୱୀକାର କରିଥିଲେ ବି ତାଙ୍କ ଆକାଉଣ୍ଟରୁ କିଛି ଟଙ୍କା ମିଳିପାରି ନାହିଁ । ସେ ସବୁ ଟଙ୍କା ଧାର, ଉଧାରୀ ତଥା ସୁଧ ଲଗାଇଥିବା ଜଣାଯାଇଛି । ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ । ଆବଶ୍ୟକ ପଡ଼ିଲେ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି ରାଉରକେଲା ଏସ୍ପି ମୁକେଶ କୁମାର ଭାମୁ କହିଛନ୍ତି ।

Comments are closed.