ଟିକାକରଣ: ସୁପ୍ରିମକୋର୍ଟରେ ଓଡ଼ିଶାର ସତ୍ୟପାଠ ଦାଖଲ

72

ନୂଆଦିଲ୍ଲୀ : କୋଭିଡ୍ ଟିକାକରଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ସତ୍ୟପାଠରେ କୁହାଯାଇଛି ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ କେନ୍ଦ୍ରସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଅପରେସନାଲ ଗାଇଡଲାଇନ୍ସ ଅର୍ନ୍ତଗତ ତ୍ୱରାନ୍ୱିତ କରାଯାଉଛି । ରାଜ୍ୟରେ ମେ ୧,୨୦୨୧ରୁ ଆରମ୍ଭ କରାଯାଇଥିବା ତୃତୀୟ ପର୍ଯ୍ୟାୟ କୋଭିଡ-୧୯ ଟିକାକରଣ କାର୍ଯ୍ୟକ୍ରମ ଲିବରାଲାଇଜଡ୍ ପ୍ରାଇସିଂ ଆଣ୍ଡ ଆସିଲିରେଟେଡ ନ୍ୟାସନାଲ କୋଭିଡ-୧୯ ଭ୍ୟାକସିନେଶନ ଷ୍ଟ୍ରାଟେଜି ଅର୍ନ୍ତଗତ ନିର୍ଦ୍ଦେଶିତ ରହିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ମାର୍ଚ୍ଚ ୩୦,୨୦୨୧ରେ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିସନରଙ୍କୁ ପତ୍ର ଲେଖାଯାଇ ଅତ୍ୟାବଶ୍ୟକ ଜରୁରି ସେବା ଯୋଗାଉଥିବା ବିଦ୍ୟୁତ କର୍ମଚାରୀ, ଜଳଯୋଗାଣ କର୍ମଚାରୀ ଓ ପରିବହନ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ଟିକାକରଣରେ ସାମିଲ କରାଯିବାକୁ ନେଇ ସୁଚିତ କରାଯାଇଥିବା ସତ୍ୟପାଠରେ କୁହାଯାଇଛି ।

ଏଥିସହିତ ଦାଖଲ କରାଯାଇଥିବା ୨୩ ପୃଷ୍ଠାର ସତ୍ୟପାଠରେ ରାଜ୍ୟ ସରକାର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆଗଧାଡିର କରୋନା ଯୋଦ୍ଧା ଭାବେ ଘୋଷଣା କରିବା ସହିତ ସମସ୍ତ ସ୍ୱୀକୃତିପ୍ରାପ୍ତ କାର୍ଯ୍ୟରତ ସାମ୍ବାଦିକମାନଙ୍କର କୋଭିଡ-୧୯ ଟିକାକରଣ କରାଇବା ନିଷ୍ପତ୍ତି ନେଇଥିବା ଉଲ୍ଲେଖ କରିଛନ୍ତି । ସତ୍ୟପାଠରେ ରାଜ୍ୟ ସରକାର ମେ ୧୩, ୨୦୨୧ରେ ଜଙ୍ଗଲ ବିଭାଗର କର୍ମଚାରୀ ଓ ସମସ୍ତ ଫରେଷ୍ଟ ଗାର୍ଡ, ବ୍ୟାଙ୍କିଂ କର୍ମଚାରୀ, ବୀମା କମ୍ପାନୀ, ଏନ୍ସିପିଆଇ ପେମେଣ୍ଟ କର୍ମଚାରୀ, ଭେଣ୍ଡର, କ୍ୟାସ ଲଜିଷ୍ଟିକ କମ୍ପାନୀ, କ୍ୟାସ ଇନ୍ ଟ୍ରାନ୍ଜିଟ କମ୍ପାନୀ, ବ୍ୟାଙ୍କିଙ୍ଗ କରେସପଣ୍ଡେନ୍ସ୍, ଏଟିଏମ୍ ରକ୍ଷଣାବେକ୍ଷଣା କର୍ମଚାରୀ, ରେଲୱେ କର୍ମଚାରୀ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କର୍ମଚାରୀ, ଚାଇଲ୍ଡ ଲାଇନ କର୍ମଚାରୀ, ୱାନ ଷ୍ଟପ ସେଣ୍ଟର, ଶିଶୁ ଯତ୍ନ କେନ୍ଦ୍ର ଓ ୧୮୧ ହେଲ୍ପଲାଇନ କର୍ମଚାରୀ, ଅକ୍ସିଜେନ ପ୍ଲାଣ୍ଟ କର୍ମଚାରୀ, ଫିଲିଂ ଷ୍ଟେସନ ଓ କଲ ସେଣ୍ଟର କର୍ମଚାରୀଙ୍କୁ ଆଗଧାଡି କରୋନା ଯୋଦ୍ଧା ଭାବେ ଗ୍ରହଣ କରି ଟିକାକରଣରେ ଅଗ୍ରାଧିକାର ଦିଆଯିବା ନେଇ ନିଷ୍ପତ୍ତି ନେଇଥିବା ଦର୍ଶାଇଛନ୍ତି ।

ଏଥିସହିତ ରାଜ୍ୟ ସରକାର ସାସ୍ଥ୍ୟସେବା କର୍ମଚାରୀ, ଫ୍ରଣ୍ଟଲାଇନ ୱାର୍କର୍ ତଥା ୪୫ ବର୍ଷରୁ ଅଧିକ ଆୟୁର ବ୍ୟକ୍ତି ମାନଙ୍କର ଟିକାକରଣ କେନ୍ଦ୍ର ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ଟିକାରେ କରାଯାଉଥିବା ସତ୍ୟପାଠରେ ସୂଚିତ କରିଛନ୍ତି । ସତ୍ୟପାଠରେ ରାଜ୍ୟ ସରକାର ସ୍ପଷ୍ଟରୂପେ ଉଲ୍ଲେଖ କରି କହିଛନ୍ତି ୧୮ରୁ ୪୪ ବର୍ଷର ବ୍ୟକ୍ତିମାନଙ୍କୁ କୋଭିଡ-୧୯ ଟିକାକରଣ କାର୍ଯ୍ୟକ୍ରମ ଅର୍ନ୍ତଗତ ମେ, ୧, ୨୦୨୧ରୁ ମାଗଣାରେ ଟିକାକରଣ କରାଇବା ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ଏପ୍ରିଲ ୨୮,୨୦୨୧ରେ ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଜଣାଇ ଦିଆଯାଇଥିଲା ।

ରାଜ୍ୟ ସରକାର ଆବଶ୍ୟକତା ଅନୁସାରେ ଟିକା ଉତ୍ପାଦନକାରୀଙ୍କଠାରୁ ଟିକା ପ୍ରକ୍ୟୁର କରି ମାଗଣାରେ ଟିକାକରଣ କରୁଛନ୍ତି ବୋଲି ସତ୍ୟପାଠରେ ରାଜ୍ୟ ସରକାର ଦର୍ଶାଇଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତୀୟ କୋଭିଡ-୧୯ ଟିକାକରଣ କାର୍ଯ୍ୟକ୍ରମର ତ୍ୱରାନ୍ୱିତ ପାଇଁ ସଂଶୋଧିତ ଗାଇଡ୍ଲାଇନର ଘୋଷଣା କରାଯାଇଛି ଯେଉଁଥିରେ ରାଜ୍ୟମାନଙ୍କୁ ମେ, ୨୧,୨୦୨୧ରୁ ଭ୍ୟାକ୍ସିନ୍ ଡୋଜ ମାଗଣାରେ ଯୋଗାଇଦିଆଯିବା କୁହାଯାଇଛି । ଭ୍ୟାକ୍ସିନ୍ ଡୋଜ୍ ରାଜ୍ୟ ସରକାରଙ୍କ ଦ୍ୱାରା ମାଗଣାରେ ଉପଲବ୍ଧ କରାଯିବ, ଯାହାର ଆବଣ୍ଟନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ଜନସଂଖ୍ୟା, ରୋଗର ବୋଝ ତଥା ଟିକାକରଣର ପ୍ରଗତି ଉପରେ ଆଧାରିତ ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ
କରାଯାଇଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ଉଲ୍ଲେଖଯୋଗ୍ୟ, ଗତ ମାସ ୩୧ରେ ସୁପ୍ରିମକୋର୍ଟ ଟିକାକରଣ ପ୍ରସଙ୍ଗରେ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ଦୁଇ ସପ୍ତାହ ଭିତରେ ସତ୍ୟପାଠ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଟିକାକରଣ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଜୁନ, ୩୦ରେ ଶୁଣାଣି କରିବେ ।

Comments are closed.