କରୋନା କାଳରେ ଡାକ୍ତରଙ୍କ ସେବା ଅତୁଳନୀୟ

53

ନୂଆଦିଲ୍ଲୀ : ଜାତୀୟ ଡାକ୍ତର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶର ଡାକ୍ତରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି କରୋନା କାଳରେ ଡାକ୍ତରମାନେ ଯେଭଳି ଭାବେ ସେବା କରିଛନ୍ତି ସେଥିପାଇଁ ଦେଶର ୧୩୦ କୋଟି ଲୋକଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରୁଛି । ଏହାସହ ଡାକ୍ତରଙ୍କୁ ଭଗବାନଙ୍କର ଦ୍ୱିତୀୟ ଅବତାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି କି ଯେତେବେଳେ ଦେଶ କରୋନା ବିରୋଧରେ ଏକ ବଡ ଲଢେଇ ଲଢୁଥିଲା ସେତେବେଳେ ଡାକ୍ତରଙ୍କ ପାଇଁ ହଜାର ହଜାର ଲୋକଙ୍କ ଜୀବନ ରକ୍ଷା ହୋଇ ପାରିଛି । ଲୋକଙ୍କ ସେବା କରୁ କରୁ ପ୍ରାଣ ହରାଇଥିବା ଡାକ୍ତରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ କେନ୍ଦ୍ର ସରକାର ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେଉଥିବା କଥା ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି କି ପୂର୍ବବର୍ଷ କରୋନାର ପ୍ରଥମ ଲହର ବେଳେ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବାକୁ ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହାସହ ଚଳିତ ବର୍ଷ ବି ୨ ଲକ୍ଷ ୨୦ ହଜାର କୋଟି ଟଙ୍କା ମଞ୍ଜୁର ହୋଇଥିବା ସେ କହିଛନ୍ତି । ଡାକ୍ତର ଦିବସରେ ବି ପ୍ରଧାନମନ୍ତ୍ରୀ ବିରୋଧୀଦଳଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି ଦୀର୍ଘ ୭୦ ବର୍ଷ ଧରି ଶାସନ କ୍ଷମତାରେ ଥିବା ଦଳ ଦେଶର ସ୍ୱାସ୍ଥ୍ୟସେବାକୁ କିଭଳି ଭାବେ ରଖିଥିଲା, ତାହା ଦେଶବାସୀ ଜାଣିଛନ୍ତି । ପୂର୍ବ ସରକାର ସମୟରେ ସ୍ୱାସ୍ଥ୍ୟସେବାକୁ କେବେ ବି ଗୁରୁତ୍ୱ ଦିଆଯାଇନଥିଲା । ହେଲେ ତାଙ୍କ ସରକାର ମେଡିକାଲ ଭିତ୍ତିଭୂମିର ବିକାଶକୁ ପ୍ରାଥମିକତା ଦେଉଥିବା କଥା ପ୍ରଧାନମନ୍ତ୍ରୀ କହିଛନ୍ତି ।

Comments are closed.