୩୦ରୁ ମାଟ୍ରିକ୍ ଅଫ୍ଲାଇନ୍ ପରୀକ୍ଷା

58

-ଜୁଲାଇ ୫ରୁ ୧୪ତାରିଖ ମଧ୍ୟରେ ଫର୍ମପୂରଣ
-ଅଗଷ୍ଟ ୫ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା
-ସବୁ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫି ଛାଡ଼
-ପୂର୍ବାହ୍ନ ୧୦ରୁ ମଧ୍ୟାହ୍ନ ୧୨ଟା ଯାଏ ଚାଲିବ
-ଚଳିତବର୍ଷ ହେବନି ସପ୍ଲିମେଣ୍ଟାରୀ ପରୀକ୍ଷା
-ଗଣିତ ପରୀକ୍ଷା ୧୨ଟା ୧୫ରେ ସରିବ

ଭୁବନେଶ୍ୱର : ଶିକ୍ଷାବର୍ଷ ୨୦୨୦-୨୧ରେ ୧୦ମ ପଢିଥିବା ଅସନ୍ତୁଷ୍ଟ ମାଟ୍ରିକ ଛାତ୍ରଛାତ୍ରୀ ଅଫଲାଇନରେ ପରୀକ୍ଷା ଦେଇପାରିବେ । ଏହି ପରୀକ୍ଷା ଆସନ୍ତା ଜୁଲାଇ ୩୦ ତାରିଖଠାରୁ ଆରମ୍ଭ ହୋଇ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ମାଟ୍ରିକ ପରୀକ୍ଷା ପାଇଁ ଆସନ୍ତା ୫ ତାରିଖ ଠାରୁ ୧୪ ତାରିଖ ଯାଏଁ ଫର୍ମ ପୂରଣ ହେବ । ବିକଳ୍ପ ମାଧ୍ୟମରେ ପ୍ରକାଶିତ ଫଳାଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବା ପାଇଁ ସୁଯୋଗ ମିଳିବ । ତେବେ ମାଟ୍ରିକ ପରୀକ୍ଷାରେ ପିଲାମାନେ କୋଭିଡ-୧୯ ଗାଇଡଲାଇନ୍କୁ ପାଳନ କରିବେ ।

ସୂଚନାଯୋଗ୍ୟ, କରୋନା ଭାଇରସ ସଂକ୍ରମଣ ଯୋଗୁଁ ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାର ଆୟୋଜନ କରାଯାଇପାରି ନଥିଲା । ଫଳରେ ପିଲାଙ୍କର ଫଳାଫଳ ବାହାର କରିବା ପାଇଁ ରାଜ୍ୟ ସରକାର ବିକଳ୍ପ ବ୍ୟବସ୍ଥା କରିଥିଲେ । କିନ୍ତୁ ଫଳାଫଳ ନେଇ ଅନେକ ସ୍ଥାନରେ ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଚଳିତବର୍ଷ ମେ’ ୩ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ, ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାକୁ ବାତିଲ କରାଯାଇଥିଲା । ପରୀକ୍ଷା ଫଳାଫଳ ନିର୍ଣ୍ଣୟ କରିବା ପାଇଁ ବୋର୍ଡ ପକ୍ଷରୁ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥା ଅବଲମ୍ବନ କରାଯାଇଥିଲା ।

ମାଟ୍ରିକ (ରେଗୁଲାର) ପରୀକ୍ଷାର୍ଥୀଙ୍କ ପାଇଁ ନବମ ଶ୍ରେଣୀର ଅର୍ଦ୍ଧବାର୍ଷିକ ଓ ବାର୍ଷିକ ପରୀକ୍ଷା ନମ୍ବର ଏବଂ ଦଶମ ଶ୍ରେଣୀରେ ହୋଇଥିବା ଚାରୋଟି ଅଭ୍ୟାସ ପରୀକ୍ଷାରୁ ଶେଷ ତିନୋଟି ଅର୍ଥାତ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପରୀକ୍ଷାର ନମ୍ବରକୁ ବିଚାରକୁ ନିଆଯାଇଥିଲା । ନବମ ଶ୍ରେଣୀ ପାଇଁ ୪୦ ପ୍ରତିଶତ ୱେଟେଜ୍ ଓ ଦଶମ ପରୀକ୍ଷା ପାଇଁ ୬୦ ପ୍ରତିଶତ ୱେଟେଜ୍ ଦେବାକୁ ବୋର୍ଡ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ । ନବମ ଶ୍ରେଣୀର ଦୁଇଟି ପରୀକ୍ଷାର ସର୍ବାଧିକ ନମ୍ବର ଓ ଦଶମ ତିନୋଟି ପରୀକ୍ଷାର ଦୁଇଟି ସର୍ବାଧିକ ନମ୍ବରକୁ ବୋର୍ଡ କର୍ତ୍ତୃପକ୍ଷ ମେଣ୍ଟର ସ୍କୁଲ ଜରିଆରେ ମାଗିଥିଲେ । ପରୀକ୍ଷାର୍ଥୀଙ୍କ ନମ୍ବର ଅପ୍ଲୋଡ୍ ପାଇଁ ରାଜ୍ୟରେ ୨୭୬୬ ମେଣ୍ଟର ସ୍କୁଲ ଚୟନ କରାଯାଇଥିଲା ।

Comments are closed.