‘ଦଳବଦଳ ଆଇନ୍ ପ୍ରଣୟନ କରିବା ସଂସଦର କାମ’ : ଆଇନ୍ ପ୍ରଣୟନ ନୁହେଁ ତର୍ଜମା କରିବା ସୁପ୍ରିମ୍କୋର୍ଟର କାର୍ଯ୍ୟ

59

ନୂଆଦିଲ୍ଲୀ : ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଦଳବିଦଳ ବିରୋଧୀ ଆଇନର ତର୍ଜମା ସହିତ ନିଷ୍ପତ୍ତି ଗ୍ରହଣ କରିବାକୁ ବିଧାନସଭା ଓ ଲୋକସଭାର ବାଚସ୍ପତି ଏବଂ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ହୋଇଥିବା ଆବେଦନର ଶୁଣାଣୀ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଏ ସଂପର୍କରେ ସଂସଦ ଆଇନ ପ୍ରଣୟନ କରିପାରିବ । ସୁପ୍ରିମକୋର୍ଟ ଆଇନ ପ୍ରଣୟନ କରନ୍ତି ନାହିଁ । ଆବେଦନକାରୀ ଦର୍ଶାଇଥିଲେ ଯେ ବ୍ୟକ୍ତିଗତ ତଥା ରାଜନୀତିକ ଲାଭ ଆଶା ରଖି ନିର୍ବାଚିତ ପ୍ରତିନିଧିମାନେ ଦଳ ଅଦଳବଦଳ କରୁଛନ୍ତି । ଏଭଳି ହେବା ଦ୍ୱାରା ଦେଶର ଗଣତନ୍ତ୍ର ପ୍ରଭାବିତ ହେଉଛି । ଏପରି ହେବା ଦ୍ୱାରା ସମ୍ବିଧାନର ଧାରା ୨୧ ଅନୁଯାୟୀ ସାଧାରଣ ଲୋକଙ୍କ ମୌଳିକ ଅଧିକାର ଉଲ୍ଲଂଘନ ହେଉଛି । ପୁଣି ଭିନ୍ନ ଭିନ୍ନ ବାଚସ୍ପତି ଦଳବିରୋଧୀ ଆଇନର ଭିନ୍ନ ଭିନ୍ନ ତର୍ଜମା କରି ନିଷ୍ପତ୍ତି ଗ୍ରହଣ କରୁଛନ୍ତି । ସେଥିପାଇଁ ସେମାନେ ନିଜ ଇଚ୍ଛା ଅନୁସାରେ ସମୟ ଗଡ଼ାଉଛନ୍ତି । ତେଣୁ ବିଧାନସଭା ଓ ଲୋକସଭାର ବାଚସ୍ପତି, ରାଜ୍ୟସଭାର ଅଧ୍ୟକ୍ଷ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏସବୁ ମାମଲାର ବିଚାର କରିବାକୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେବା ଦରକାର ବୋଲି ଆବେଦନକାରୀ କହିଛନ୍ତି ।

ଗୁରୁବାର ଏହି ଆବେଦନର ଶୁଣାଣି କରଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ. ଭି ରମନ୍ନା । ସିଜେଆଇ କହିଛନ୍ତି ଆଇନ୍ କିଭଳି ତିଆରି ହେବ ତାହା ସଂସଦର କର୍ତ୍ତୃତ୍ୱାଧୀନ । ସର୍ବୋଚ୍ଚ ନ୍ୟାୟାଳୟର କାମ ଆଇନର କାର୍ଯ୍ୟକାରିତାର ତର୍ଜମା । ତେଣୁ କୋର୍ଟ ଏଭଳି ନିର୍ଦ୍ଦେଶ ଦେଇପାରିବେ ନାହିଁ । ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ସଦସ୍ୟ ରଞ୍ଜିତ ମୁଖାର୍ଜୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ଆବେଦନରେ ବିଧାନସଭା ଓ ସଂସଦର ବାଚସ୍ପତି ଓ ରାଜ୍ୟସଭାର ଅଧ୍ୟକ୍ଷଙ୍କୁ ଏହି ସବୁ ମାମଲାରେ ସମାନ ନିଷ୍ପତ୍ତି ନେବା ଦରକାର କହି ଏକ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ କହିଥିଲେ । ଏଭଳି ହେଲେ ଅନେକ ମାମଲା ତୁରନ୍ତ ଏବଂ ଏକ ସମୟସୀମା ମଧ୍ୟରେ ସମାଧାନ ହୋଇପାରିବ ।

କୋର୍ଟ ଶୁଣାଣି ବେଳେ କହିଛନ୍ତି ଯେ କର୍ଣ୍ଣାଟକ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ହୋଇଥିବା ଆବେଦନରେ ସମାନ ପ୍ରସଙ୍ଗ ଉଠିଥିଲା । ହେଲେ କୋର୍ଟ ଖାରଜ କରିଦେଇଥିଲେ । ପ୍ରଧାନ ବିଚାରପତି କହିଛନ୍ତି, ମୁଁ କର୍ଣ୍ଣାଟକର ଏହି ମାମଲାରେ ମୋର ମତପ୍ରକାଶ କରିସାରିଛି । ଏହି ମାମଲାରେ ମଧ୍ୟ ସମାନ ପ୍ରସଙ୍ଗ ଉଠାଯାଇଥିଲା । ସେତେବେଳେ ବରିଷ୍ଠ ଓକିଲ କପିଲ ସିବଲ ତାଙ୍କ ଯୁକ୍ତି ମଧ୍ୟ ରଖିଥିଲେ । ସିଜେଆଇଙ୍କ ନେତୃତ୍ୱାଧୀନ ବେଞ୍ଚ କହିଛନ୍ତି ଯେ ସଂସଦ ଏସବୁ ମାମଲାରେ ନିଷ୍ପତ୍ତି ନେବ ।ଦୁଇ ସପ୍ତାହ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସ୍ଥର କରାଯାଇଛି।

Comments are closed.