ରଥ ଟାଣିବେ ସେବାୟତ

72

-ଛାତ ଉପରୁ ଦର୍ଶନ କରିପାରିବେନି ଭକ୍ତ
-ବଡ଼ଦାଣ୍ଡରେ ଜାରି ହେବ ୧୪୪ ଧାରା
-ଦକ୍ଷିଣମୋଡ଼ ବେଳେ ନିୟୋଜିତ ହେବେ ପୋଲିସ
-ଗଣମାଧ୍ୟମ ପାଇଁ ଲାଗୁ ହେବ ପାସ୍ ବ୍ୟବସ୍ଥା
-ମୋବାଇଲ ଓ କ୍ୟାମେରା ସମ୍ପୂର୍ଣ୍ଣ ନିଷେଧ

ପୁରୀ : ରଥଯାତ୍ରା ଆଗାମୀ ୧୨ ତାରିଖରେ ଅନୁଷ୍ଠିତ ହେବ । କେବଳ ପୁରୀରେ ହିଁ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ରାଜ୍ୟ ସରକାର ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଏଥର କେବଳ ସେବାୟତମାନେ ହିଁ ରଥ ଟାଣିପାରିବେ । ରଥଯାତ୍ରା ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏହି ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, କୋଭିଡ-୧୯ କଟକଣା ମଧ୍ୟରେ ରଥଯାତ୍ରାର ଆୟୋଜନ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଚଳିତ ଥର ସେବାୟତମାନେ ହିଁ ରଥକୁ ଟାଣିବେ । ରଥଯାତ୍ରାରେ ଯାହା ହେବ, ସେବାୟତଙ୍କ ଦ୍ୱାରା ହିଁ ହେବ ।

ରଥଯାତ୍ରାରେ ନିୟୋଜିତ ହେବାକୁ ସମସ୍ତ ଅଧିକାରୀ ଓ ସେବାୟତମାନଙ୍କର କୋଭିଡ ପରୀକ୍ଷା ହେବ । ସେମାନଙ୍କର ଟିକାକରଣ ହୋଇସାରିଛି । ରଥଯାତ୍ରା ପାଇଁ ସାନିଟାଇଜର ବ୍ୟବସ୍ଥା ହୋଇଛି । ଯିଏ ରଥଯାତ୍ରାରେ ସାମିଲ ହେବେ ତାଙ୍କୁ ମାସ୍କଓ ଗାମୁଛା ଦିଆଯିବ । ଗୁଣ୍ଡିଚା ମନ୍ଦିରରେ ବସିବା ପାଇଁ ବ୍ୟବସ୍ଥା ହେବ । ରଥଯାତ୍ରା ବେଳେ ସେବାୟତଙ୍କୁ ମୋବାଇଲ ଓ କ୍ୟାମେରା ମନା । ରଥ ଉପରେ ସେଲ୍ଫୀ ନେବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ବୋଲି ଛତିଶ ନିଯୋଗ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦିଆଯିବ ।

ସୂଚନାଯୋଗ୍ୟ, ଆଜି ଶ୍ରୀଜୀଉଙ୍କ ରଥଯାତ୍ରା ପ୍ରସଙ୍ଗରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା । ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଅଧ୍ୟକ୍ଷତା କରିଥିଲେ । ବୈଠକରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ସମସ୍ତ ସେବାୟତ ଉପସ୍ଥିତ ଥିଲେ । ସେହିପରି ରଥଟଣା ବେଳେ ବଡ଼ଦାଣ୍ଡ ଉଭୟ ପାଶ୍ୱର୍ରେ ଥିବା ଘର ଉପର ବାଲ୍କୋନୀରେ ବସି ସ୍ଥାନୀୟ ବାସିନ୍ଦାମାନେ ଘୋଷଯାତ୍ରା ଦେଖିପାରିବେ ନାହିଁ । ରଥଯାତ୍ରା ପାଇଁ ଏଭଳି କଟକଣା ଜାରି କରାଯିବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି । ଶୁକ୍ରବାର ଅନୁଷ୍ଠିତ ବିଭିନ୍ନ ସେବାୟତ ନିଯୋଗର ବୈଠକ ବେଳେ ଖୁଣ୍ଟିଆ ନିଯୋଗର କର୍ମକର୍ତ୍ତାମାନେ ମଧ୍ୟ ଏଭଳି ଦାବି କରିଥିଲେ । ଜିଲ୍ଲାପାଳଙ୍କ ସହ ଖୁଣ୍ଟିଆ ନିଯୋଗର ଆଲୋଚନା ବେଳେ ଏହି ପ୍ରସ୍ତାବ ବି ଆସିଥିଲା । ଜବାବରେ ଜିଲ୍ଲାପାଳ କହିଥିଲେ ବଡ଼ଦାଣ୍ଡରେ ଉଭୟପାଶ୍ୱର୍ସ୍ଥିତ ଘର ବାଲକୋନୀରେ ରଥଟଣା ଦେଖିବାକୁ ମନା କରାଯିବ । ପୂର୍ବବର୍ଷ ଭଳି ଏହି କଟକଣା ଲାଗୁ ହେବ । ରାଜ୍ୟ ସରକାର ବିଭିନ୍ନ ଟେଲିଭିଜନ ଚ୍ୟାନେଲ ଜରିଆରେ ରଥଟଣାର ସିଧା ପ୍ରସାରଣ କରିବାର ବ୍ୟବସ୍ଥା କରିଛନ୍ତି ।

ଖୁଣ୍ଟିଆ ନିଯୋଗ ମୁଖ୍ୟ ହଜୁରି କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି ବାଲକୋନୀ ଉପରେ ବସି ରଥଟଣା ଦେଖିଲେ ଲୋକଙ୍କ ପ୍ରତି ପାତରଅନ୍ତର ହେବ । ଏହି ଆଧାରରେ ନିଯୋଗର ଏହି ପ୍ରସ୍ତାବକୁ ଜିଲ୍ଲାପାଳ ଗ୍ରହଣ କରିଥିଲେ । ଏହା ବ୍ୟତୀତ ନିଯୋଗ ପ୍ରସ୍ତାବ ଦେଇଥିଲା ଯେ, ଖରାଦାଉରୁ ରକ୍ଷା ପାଇବା ପାଇଁ ରଥ ଉପରେ ଏବଂ ରଥ ଟାଣୁଥିବା ସେବାୟତଙ୍କୁ ଧଳା ଗାମୁଛା ଦିଆଯାଉ । ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା କରାଯାଉ । ରଥଯାତ୍ରା ପୂର୍ବଦିନ ବଡ଼ଦାଣ୍ଡକୁ ଶୀତଳ ଜଳରେ ଧୋଇ ଥଣ୍ଡା କରାଯାଉ । ରଥ ପଛପଟେ ଓଆରଏସ୍ ବ୍ୟବସ୍ଥା ହେଉ । ୟୁଜ୍ ଆଣ୍ଡ ଥ୍ରୋ ଗ୍ଳାସରେ ପାନୀୟ ବ୍ୟବସ୍ଥା କରାଯାଉ । ବିଭିନ୍ନ ପୋଲିସ ପୋଷ୍ଟରେ ପହରା ଦେଉଥିବା କର୍ମଚାରୀଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ରଥଯାତ୍ରା ଦିନ କରାଯାଉ । ଏସବୁ ପ୍ରସ୍ତାବକୁ ଜିଲ୍ଲାପାଳ ସାଦରେ ଗ୍ରହଣ କରିଥିଲେ ବୋଲି ଶ୍ରୀ ଖୁଣ୍ଟିଆ ସୂଚନା ଦେଇଛନ୍ତି । ଖୁଣ୍ଟିଆ ନିଯୋଗ ବ୍ୟତୀତ ସୁପକାର, ଖୁଣ୍ଟିଆ ନିଯୋଗ, ମେକାପ ନିଯୋଗ, ପ୍ରତିହାରୀ ଯୋଗ ଓ ଗରାବଡୁ ନିଯୋଗ ଆଦି କର୍ମକର୍ତ୍ତାଙ୍କ ସହ ଜିଲ୍ଲାପାଳ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ ।

ଶ୍ରୀମନ୍ଦିରର ହେବ ଲେଜର ସ୍କାନିଂ :

ରଥଯାତ୍ରା ସମୟରେ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ସହ ରତ୍ନସିଂହାସନର ହେବ ଡକ୍ୟୁମେଣ୍ଟସନ । ବିଶେଷକରି ଲେଜର ସ୍କାନିଂ ସାହାଯ୍ୟରେ ଏହାକୁ ରେକର୍ଡ କରି ରଖାଯିବ । ରତ୍ନସିଂହାସନର ଅବସ୍ଥା କିଭଳି ଅଛି ତାହା ଲେଜର ସ୍କାନିଂ ଦ୍ୱାରା ଜଣାପଡ଼ିବ ବୋଲି ଏଏସ୍ଆଇ ପକ୍ଷରୁ କୁହାଯାଇଛି । ଏହାଛଡ଼ା ଗର୍ଭଗୃହ ଓ ଜଗମୋହନର ମରାମତି କାର୍ଯ୍ୟ ମଧ୍ୟ ଏହି ସମୟରେ କରାଯିବ ବୋଲି ଏଏସଆଇ ସୂଚନା ଦେଇଛି । ଏହାଛଡ଼ା ଶ୍ରୀମନ୍ଦିରର ସମସ୍ତ ପରିସରକୁ ଉଜ୍ୱଳ ଆଲୋକ ଦ୍ୱାରା ଆଚ୍ଛାଦିତ କରାଯିବ । ପ୍ରାୟ ଦେଢ଼ କୋଟି ଟଙ୍କା ବିନିମୟରେ ଆସନ୍ତା ତିନିମାସ ମଧ୍ୟରେ ଏହି ଆଲୋକୀକରଣ କାର୍ଯ୍ୟ ସମ୍ପଣ୍ଣ୍ନ କରାଯିବ ବୋଲି ଏଏସ୍ଆଇ ପକ୍ଷରୁ କୁହାଯାଇଛି । ଏହି ଆଲୋକୀକରଣ ବ୍ୟବସ୍ଥା ପାଇଁ ଆଜି ଏକ ଘରୋଇ ସଂସ୍ଥା ଶ୍ରୀମନ୍ଦିର ଆସି ପ୍ରାରମ୍ଭିକ ଯାଞ୍ଚ କରିଛନ୍ତି ।

୮ରେ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତୁତି ସମୀକ୍ଷା :

ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୮ତାରିଖରେ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଏଥିରେ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ଆଇନ ବିଭାଗ ଅଧିକାରୀମାନେ ସାମିଲ ହେବେ । ଜିଲ୍ଲା ପ୍ରଶାସନ ସହ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ସାମିଲ ହେବେ । କୋଭିଡ କଟକଣାରେ ରଥଯାତ୍ରା ଆୟୋଜନ ନେଇ ହେବ ଆଲୋଚନା । ଗତବର୍ଷ ରଥଯାତ୍ରା କୋଭିଡ କଟକଣା ଭିତରେ ସମାପନ୍ନ ହୋଇଥିବା ବେଳେ ଚଳିତବର୍ଷ ମଧ୍ୟ ଏହି କଟକଣା ଭିତରେ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ସେପଟେ ଦ୍ୱିତୀୟ ଲହର ପ୍ରଥମ ଲହରଠାରୁ ଅଧିକ ଭୟ ବଢାଇଥିବା ବେଳେ ସୀମିତ ସେବାୟତ ଓ ପୋଲିସ କର୍ମଚାରୀଙ୍କୁ ନେଇ ସମାପନ କରିବେ ରାଜ୍ୟ ସରକାର । ସେପଟେ ରଥଯାତ୍ରା ପୂର୍ବରୁ ସ୍ନାନଯାତ୍ରା ମଧ୍ୟ ସୁରୁଖୁରୁରେ ଶେଷ ହୋଇଛି । ତିନିରଥରେ ମଧ୍ୟ ବର୍ତ୍ତମାନ ଶେଷ ସ୍ପର୍ଶ ଦିଆହେଉଛି । ତେଣୁ ଜୁଲାଇ ୧୨ ତାରିଖରେ ରଥଯାତ୍ରା ଥିବାରୁ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଛି ।

Comments are closed.