ବିପର୍ଯ୍ୟୟ ମୁକାବିଲା ପାଇଁ ବ୍ଲୁପ୍ରିଣ୍ଟ : ଉପକୂଳରେ ହେବ ୫୫ ବାତ୍ୟା ଆଶ୍ରୟସ୍ଥଳ

55

ଭୁବନେଶ୍ୱର :ଫାଇଲିନ୍ ରୁ ୟଶ୍ ୮ବର୍ଷ ମଧ୍ୟରେ ଓଡ଼ିଶା ଦେଖିଛି ୬ଟି ବଡ଼ ବାତ୍ୟା । ସେଥିରୁ ୩ଟି ସିଧସଳଖ ଓଡ଼ିଶାରେ ମାଡ ହୋଇଛି । ୧୯୯୯ ମହାବାତ୍ୟା ରାଜ୍ୟକୁ ଛାରଖାର କରିଦେଇଥିଲା । ଏହାପରେ ୨୦୧୩ରେ ଫାଇଲିନ୍, ୨୦୧୪ରେ ହୁଡ୍ହୁଡ୍, ୨୦୧୮ରେ ତିତ୍ଲୀ, ୨୦୧୯ରେ ଫନି, ୨୦୨୦ରେ ଅମ୍ଫାନ୍ ଓ ୨୦୨୧ରେ ୟଶ୍ । ଏହିଭଳି ପ୍ରତିବର୍ଷ ଓ ଦେଢବର୍ଷରେ ଗୋଟିଏ ଗୋଟିଏ ବାତ୍ୟାକୁ ସାମ୍ନା କରିଛି ଓଡ଼ିଶା । କେବଳ ଏତିକି ନୁହେଁ, ମଝିରେ ମଝିରେ ବାତ୍ୟା ମଧ୍ୟ ଓଡ଼ିଶାର ଅଣ୍ଟାକୁ ଭାଙ୍ଗି ଦେଇଛି । ନିୟମିତ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ରାଜ୍ୟ । ବିପର୍ଯ୍ୟୟ ମୁକାବିଲା ସହିତ ଜିରୋ କାଜୁଆଲିଟି ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ କାର୍ଯ୍ୟକୁ ସମଗ୍ର ବିଶ୍ୱରେ ପ୍ରଶଂସା କରାଯାଇଛି । ତଥାପି ଶହ ଶହ କୋଟି ଟଙ୍କାର ଭିତ୍ତିଭୂମି ନଷ୍ଟ ହୋଇଛି । ତେଣୁ ଉପକୂଳରେ କ୍ଷୟକ୍ଷତି ହ୍ରାସ କରିବା ପାଇଁ ସ୍ୱତନ୍ତ୍ର ପ୍ଲାନ୍ ପ୍ରସ୍ତୁତ ହେଉଛି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ଘରେ ଘରେ ଯୋଦ୍ଧା ସୃଷ୍ଟି କରାଯିବ ବୋଲି ନିକଟରେ ସରକାର ସଂକଳ୍ପ ନେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭକରି ୱାର୍ଡମେମ୍ବର, ସବୁ ନିର୍ବାଚିତ ପ୍ରତିନିଧି, ବିପର୍ଯ୍ୟୟ ମହାମାରୀ ପରିଚାଳନା ଲାଗି ତାଲିମ୍ ନେବେ । ସେଥିପାଇଁ ପ୍ରକଳ୍ପ ପ୍ରସ୍ତାବ ତିଆରି ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମତି ପରେ ପ୍ରଶିକ୍ଷଣ କାର୍ଯ୍ୟ ଆରମ୍ଭ ହେବ । ଉପକୂଳ ଅଞ୍ଚଳରେ ବାତ୍ୟା ପ୍ରତିରକ୍ଷା ଭିତ୍ତିଭୂମି ନିର୍ମାଣ ଦିଗରେ ପ୍ରସ୍ତୁତି ଆରମ୍ଭ ସରିଯାଇଛି ।ଉପକୂଳରେ ଆଉ ୫୫ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ସହ ବିଦ୍ୟୁତ୍ ଭିତ୍ତିଭୂମିକୁ ବାତ୍ୟା ପ୍ରତିରୋଧୀ କରିବାକୁ ଯୋଜନା ହୋଇସାରିଛି । ଅନ୍ତର୍ଜାତୀୟ ସଂସ୍ଥା କୋଏନେସନ୍ ଫର ଡିଜାଷ୍ଟର ରେଜିଲ୍ୟାଣ୍ଟ ଇନ୍ଫ୍ରାଷ୍ଟକ୍ଚର(ସିଡିଆରଆଇ)ର ସହଯୋଗ ନିଆଯାଇଛି । ବିଦ୍ୟୁତ୍ ଭିତ୍ତିଭୂମି ସୁଦୃଢ଼ କରିବାକୁ ସରକାର କାମ ଆରମ୍ଭ କରିଛନ୍ତି । ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ତାର ଅଣ୍ଡରଗ୍ରାଉଣ୍ଡରେ ନିଆଯିବ କିମ୍ବା ଏଚ୍ପୋଲ୍ ବ୍ୟବହାର ହେବ । ସେହି ଅଞ୍ଚଳର ଟ୍ରାନ୍ସଫର ଗୁଡ଼ିକୁ ଉଚ୍ଚସ୍ଥାନକୁ ନିଆଯିବ । ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ସହାୟତା କରିବେ ଓ ବଳକା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ୟଶ୍ ବାତ୍ୟା ଅନୁଧ୍ୟାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିଥିବା ସମୟରେ ବାତ୍ୟାର ସ୍ଥାୟୀ ପ୍ରତିକାର ନିମନ୍ତେ ଓଡ଼ିଶା ପକ୍ଷରୁ ଦାବି କରାଯାଇଥିଲା ।

Comments are closed.