୨୬ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା

61

-ଅଗଷ୍ଟ ୧୬ରୁ ନବମ ଓ ସେପ୍ଟେମ୍ବର ୧୫ରୁ ଖୋଲିପାରେ ଏକାଦଶ ସ୍କୁଲ
-ସିବିଏସ୍ଇ ଢାଞ୍ଚାରେ ଲାଗୁ ହେବ ସିସିଇ ବ୍ୟବସ୍ଥା
-ସକାଳ ୧୦ରୁ ସାଢ଼େ ୧ଟା ଯାଏ ଖୋଲିବ ସ୍କୁଲ

ଭୁବନେଶ୍ୱର : ଗତ ଜୁନ୍ ମାସ ୨୧ ତାରିଖଠାରୁ ପ୍ରଥମରୁଦଶମ ଶ୍ରେଣୀ ପର୍ଯ୍ୟନ୍ତ ୟୁଟ୍ୟୁବ୍ରେ କ୍ଲାସ ଚାଲିଥିବା ବେଳେ ଆସନ୍ତା ୨୬ ତାରିଖଠାରୁ ସ୍କୁଲରେ ଅଫଲାଇନରେ ପାଠ ପଢ଼ାଯିବ । ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କର ଅଫଲାଇନ୍ ପାଠପଢ଼ା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଅନଲାଇନ୍ ମାଧ୍ୟମରେ ରାଜ୍ୟର କିଛି ସ୍ଥାନରେ ପାଠପଢ଼ା ଅସୁବିଧା ହେଉଥିବାରୁ ସରକାର ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଖୋଲିବ ।ଗଣଶିକ୍ଷା ସଚିବ କହିଛନ୍ତି, ସ୍କୁଲକୁ ଆସିବା ପିଲାମାନଙ୍କର ଇଚ୍ଛାଧୀନ ରହିବ । କାରଣ ୟୁଟ୍ୟୁବ୍ ରେ କ୍ଲାସ ଜାରି ରହିବ । ଯେଉଁମାନେ ସ୍କୁଲ ଆସିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି, ସେମାନେ ଅନ୍ଲାଇନ୍ ରେ କ୍ଲାସ କରିବେ ।

ଅନ୍ୟପଟେ ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କ ଉପରେ ରହିବ । କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସ୍କୁଲ ଖୋଲିବା ବା ବନ୍ଦ କରିବା ନିଷ୍ପତ୍ତି ନେବେ । ସ୍କୁଲଗୁଡ଼ିକ ସକାଳ ୧୦ଟାରୁ ଅପରାହ୍ନ ୧ଟା ୩୦ ଯାଏ ଖୋଲିବ । ଖେଳ ଛୁଟି ହେବନି । ପିଲାମାନେ ଛୁଟିରେ ଯିବା ପରେ ଘରେ ମଧ୍ୟାହ୍ନଭୋଜନ କରିବେ । ରବିବାର ଓ ସମସ୍ତ ସରକାରୀ ଛୁଟି ଦିନରେ ବିଦ୍ୟାଳୟ ବନ୍ଦ ରହିବ । ବିଦ୍ୟାଳୟରେ କୋଭିଡ କଟକଣାକୁ ବାଧ୍ୟତାମୂଳକ ଭାବେ ପାଳନ କରାଯିବ । ସେହିପରି ସ୍କୁଲ ଖୋଳିବା ପୂର୍ବରୁ ଏହାକୁ ସାନିଟାଇଜ୍ କରାଯିବ । ଗଣଶିକ୍ଷା ସଚିବ ଶ୍ରୀ ସାହୁ କହିଛନ୍ତି ଯେ, ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପ୍ରାଥମିକତା ଭିତ୍ତିରେ କରୋନା ଟିକା ଦିଆଯିବ । ଯେଉଁ ସ୍କୁଲରେ ମାଟ୍ରିକ୍ ଅଫଲାଇନ୍ ରେ ପରୀକ୍ଷା ହେଉଛି, ସେଠାରେ ପରେ ଖୋଲିବ । କାରଣ ସରକାରଙ୍କ ଦ୍ୱାରା ବିଗତ ଦିନରେ ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ଅଫଲାଇନରେ ପରୀକ୍ଷା ଦେବେ । ଗଣଶିକ୍ଷା ସଚିବ କହିଛନ୍ତି, ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିପାରେ । ସେ କହିଛନ୍ତି ଯେ, ଦଶମ ଓ ଦ୍ୱାଦଶ ଶ୍ରେଣୀ ପରେ ନବମ ପାଇଁ ଆମେ ଧ୍ୟାନ ଦେବୁ । ଯଦି ପିରିସ୍ଥିତି ଠିକ୍ଠାକ୍ ରହେ ତେବେ ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ । ସେହିପରି ରାଜ୍ୟ ସରକାର ସେପ୍ଟେମ୍ବର ୧୫ରୁ ଏକାଦଶ ଶ୍ରେଣୀ ପାଠପଢ଼ା ପାଇଁ ଯୋଜନା କରୁଛନ୍ତି ।

ଅଗଷ୍ଟ ୨୨ ସୁଦ୍ଧା ମାଟ୍ରିକ ଅଫ୍ଲାଇନ୍ ରେଜଲ୍ଟ :

ଜୁଲାଇ ୩୦ରୁ ଆରମ୍ଭ ହେବ ମାଟ୍ରିକ ଅଫ୍ଲାଇନ୍ ପରୀକ୍ଷା । ବିନା ମାସ୍କରେ ପରୀକ୍ଷା ଦେଇପାରିବେନି ଛାତ୍ରଛାତ୍ରୀ । ଏଥିସହ ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜର ବାଧ୍ୟତାମୂଳକ । ପରୀକ୍ଷା କେନ୍ଦ୍ରରେ ସ୍ୱତନ୍ତ୍ର ଆଇସୋଲେସନ୍ ରୁମ୍ ରହିବ । ପରୀକ୍ଷା ପୂର୍ବରୁ ଏବଂ ସରିବା ପରେ ଗୃହକୁ ସାନିଟାଇଜ୍ କରାଯିବ । ଅଗଷ୍ଟ ୧୦ରୁ ୧୫ ମଧ୍ୟରେ ପରୀକ୍ଷା ଖାତା ମୂଲ୍ୟାୟନ ହେବ । ଅଗଷ୍ଟ ୨୨ ମଧ୍ୟରେ ରେଜଲ୍ଟ ବାହାରିବ । ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ । ଏଥିସହ ଏଣିକି ସିବିଏସଇ ଢାଞ୍ଚାରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ମୂଲ୍ୟାୟନ କରାଯିବ ବୋଲି ସଚିବ କହିଛନ୍ତି । ଗଣଶିକ୍ଷା ସଚିବ ସତ୍ୟବ୍ରହ ସାହୁ କହିଛନ୍ତି, ମାଟ୍ରିକ ପରୀକ୍ଷା ପାଇଁ ୧୫,୧୧୫ ଜଣ ଫର୍ମ ପୂରଣ କରିଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୩୧୫ ଫର୍ମପୂରଣ ହୋଇଛି । ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟରେ ପରୀକ୍ଷା କେନ୍ଦ୍ର ହେବ । କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ ମାଟ୍ରିକ ପରୀକ୍ଷା ହେବ । ପରୀକ୍ଷା ଦାୟିତ୍ୱରେ ଥିବା ସବୁ କର୍ମ·ରୀଙ୍କ କୋଭିଡ୍ ଟେଷ୍ଟ କରାଯିବ । ଜୁଲାଇ ୩୦ରେ ଅଫ୍ଲାଇନ୍ରେ ମାଟ୍ରିକ୍ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇ ସାରିଛି । ଜୁଲାଇ ୩୦ରୁ ଆରମ୍ଭ ହୋଇ ଅଗଷ୍ଟ ୮ ପର୍ଯ୍ୟନ୍ତ ·ଲିବ । ଜୁଲାଇ ୩୦ ତାରିଖରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ହେବ ।

ସେହିପରି ଜୁଲାଇ ୩୧ ତାରିଖରେ ଦ୍ୱିତୀୟ ଭାଷା, ଅଗଷ୍ଟ ୨ ତାରିଖରେ ଗଣିତ, ୩ ତାରିଖରେ ସାଧାରଣ ବିଜ୍ଞାନ, ୪ ତାରିଖରେ ସାମାଜିକ ବିଜ୍ଞାନ ଓ ୫ ତାରିଖରେ ତୃତୀୟ ଭାଷା ପରୀକ୍ଷା ହେବ । ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭହୋଇ ମଧ୍ୟାହ୍ନ ୧୨ଟାରେ ଶେଷ ହେବ । କେବଳ ଗଣିତ ପାଇଁ ୧୫ ମିନିଟ୍ ଅଧିକ ସମୟ ଦିଆଯିବ । ଏଣିକି ସିବିଏସ୍ଇ ଢାଞ୍ଚାରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ମୂଲ୍ୟାୟନ କରାଯିବ । ନବମ ଏବଂ ଦଶମ ପୂରା ବର୍ଷ ଆସେସ୍ମେଣ୍ଟ ପରୀକ୍ଷା ଚାଲିବ । ବର୍ଷକରେ ୪ଟି ଫର୍ମେଟିଭ୍ ଓ ୨ଟି ସବ୍ମିଟିଭ୍ ପରୀକ୍ଷା ହେବ । ସେପ୍ଟେମ୍ବର ୨ୟ ସପ୍ତାହ, ନଭେମ୍ବର ପ୍ରଥମ ସପ୍ତାହରେ ପରୀକ୍ଷା କରାଯିବ । ସେହିପରି ଜାନୁଆରୀ ୨ୟ ସପ୍ତାହ ଓ ମାର୍ଚ୍ଚ ୨ୟ ସପ୍ତାହରେ ହେବ ପରୀକ୍ଷା । ଆସେସମେଣ୍ଟ ପରୀକ୍ଷା ସରିଲେ ବାର୍ଷିକ ପରୀକ୍ଷା ଆୟୋଜିତ ହେବ । ଯଦି କୋଭିଡ୍ କାରଣରୁ ପରୀକ୍ଷା ନହୁଏ ତେବେ ଉକ୍ତ ପରୀକ୍ଷାର ଫଳାଫଳ ଅନୁସାରେ ରେଜଲ୍ଟ ଘୋଷଣା କରାଯିବ । ଶ୍ରେଣୀ ଶିକ୍ଷକଙ୍କ ଦ୍ୱାରା ଆସେସ୍ମେଣ୍ଟ ପରୀକ୍ଷା ପରିଚାଳନା କରାଯିବ ।

Comments are closed.