ସଂକ୍ରମଣ ବଢ଼ୁଛି: ସଜାଗ ରୁହ

63

-ଭୁବନେଶ୍ୱରରେ ଟିକା ନେଇ ୪୦ ପ୍ରତିଶତ ସଂକ୍ରମିତ

ଭୁବନେଶ୍ୱର : ବିଶ୍ୱରେ କିଛି ଦେଶରେ କରୋନା ସଂକ୍ରମଣ ହାର ବଢ଼ୁଛି । ତେବେ ଗୁରୁତର ରୋଗୀଙ୍କ ସଂଖ୍ୟା କମ୍ ରହୁଛି । କରୋନା ନେଇ କେନ୍ଦ୍ର ସରକାର ଆସନ୍ତା ୧୨୫ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ ଅଛୁ । ସର୍ଭେଲାନ୍ସ ଟିମ୍ ମଧ୍ୟ ପ୍ରସ୍ତୁତ ଅଛନ୍ତି । ଆମେ ପୂର୍ବରୁ ଦେଖିଛେ ଗୋଟିଏ ଲହର ୩ରୁ ୪ ମାସ ରହୁଛି । ଏଥିପାଇଁ ସଜାଗ ରହିବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଟେଷ୍ଟିଂକୁ ବଢ଼ାଇବା କାର୍ଯ୍ୟ ଜାରି ରହିଛି । ଟିକା ମିଳିବା ଅନୁଯାୟୀ ଟିକାକରଣ ଚାଲିଛି । ଟିକା ନିଅନ୍ତୁ ବା ନ ନିଅନ୍ତୁ, ରୋଗ ଥାଉ କି ନଥାଉ, ଆପଣମାନେ କୋଭିଡ୍ କଟକଣାକୁ ମାନନ୍ତୁ । କାରଣ କୋଭିଡ୍ ଭୂତାଣୁ ଏବେ ବି ଆମ ଚାରିପାଖରେ ଘୂରିବୁଲୁଛି । ତେଣୁ ଆମକୁ କୋଭିଡ୍ ଗାଇଡ୍ଲାଇନ୍ ମାନି ସତର୍କତାର ସହ ଚଳିବାକୁ ପଡ଼ିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଆମ ରାଜ୍ୟରେ ସେକେଣ୍ଡ ୱେଭ୍ ଜାରି ରହିଛି । ବିଭିନ୍ନ ସମୟରେ ଏହା ଉପର ତଳ ହେଉଛି । ବିଶେଷକରି କଟକ ଓ ଭୁବନେଶ୍ୱର ପାଇଁ କିଛିଟା ଚିନ୍ତା ରହିଛି । ଆମେ ଆହୁରି ଏନ୍ଫୋର୍ସମେଣ୍ଟ କରିବାକୁ ଚିନ୍ତା କରୁଛୁ । ଟିକା ନେବା ପରେ ବି ଲୋକେ ସଂକ୍ରମିତ ହେଉଛନ୍ତି । ମାତ୍ର ସେହି କ୍ଷେତ୍ରରେ ସିଭିରୟଟି କମ୍ ରହୁଛି । ଅନ୍ୟପକ୍ଷରେ ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ୨୪ଘଣ୍ଟା ମଧ୍ୟରେ ୨୧୮୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୯୯୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫ଜଣ ରହିଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୮ଜଣ ରହିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ୭ଜଣ ରହିଥିବା ବେଳେ ମୟୁରଭଞ୍ଜ, ପୁରୀରୁ ୬ଜଣ ଲେଖାଏଁ ରହିଛନ୍ତି । ବରଗଡ଼ ଜିଲ୍ଲାରୁ ୪ଜଣ ରହିଥିବା ବେଳେ ନୟାଗଡ଼ ଜିଲ୍ଲାରୁ ୩ଜଣ ରହିଛନ୍ତି । ସେହିପରି ଅନୁଗୁଳ, ଭଦ୍ରକ, ବୌଦ୍ଧ, ଗଜପତି, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୫୨୧୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୧୫୪୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୨୫୫୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସବୁଠାରୁ ଚିନ୍ତା ବଢ଼ାଉଛି ରାଜଧାନୀ ଭୁବନେଶ୍ୱର । ଦୁଇ ଡୋଜ୍ ଟିକା ନେଇସାରିଥିବା ୪୦ ପ୍ରତିଶତ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ଏବଂ ସେଥିରୁ ୫ ପ୍ରତିଶତ ଲୋକଙ୍କୁ ହସ୍ପିଟାଲ ଯିବାକୁ ପଡ଼ୁଛି । ଟିକା ନେଇଥିବା ଲୋକେ କୋଭିଡ୍ ନିୟମ ନ ମାନିବା କାରଣରୁ ଏଭଳି ଘଟୁଛି । ପ୍ରଥମ ଡୋଜ୍ କରୋନା ଟିକା ନେଇ ୧୮୯୦ଜଣ ସଂକ୍ରମିତ ହୋଇଥିବା ବେଳେ ଟିକାର ଦ୍ୱିତୀୟ ଡୋଜ୍ ନେଇ ସଂକ୍ରମିତ ହୋଇଛନ୍ତି ୧୭୦୫ଜଣ । ଟିକା ନେଇଥିବା ବ୍ୟକ୍ତିଙ୍କଠାରୁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉନାହିଁ । ୫ ପ୍ରତିଶତଙ୍କଠାରେ ମଧ୍ୟମରୁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଥିବା ଜଣାପଡ଼ିଛି । ବିଶେଷଜ୍ଞମାନଙ୍କ ମତରେ ଟିକା ନେବାର ଦୁଇ ଡୋଜ୍ ମଧ୍ୟରେ ୧୪ ଦିନ ବ୍ୟବଧାନରେ ଆଣ୍ଟିବଡ଼ି ସୃଷ୍ଟି ହୁଏ । ହେଲେ ବିଏମ୍ସିର ଉପରୋକ୍ତ ତଥ୍ୟରୁ ଜଣାପଡ଼ୁଛି ରୋଗ ପ୍ରତିରୋଧକ ଶକ୍ତି ଭାଙ୍ଗିବାରେ ସଫଳ ହେଉଛି ଭୂତାଣୁ । ସେହିପରି ସାରା ରାଜ୍ୟରେ ଗୋଟିଏ ଡୋଜ୍ ଟିକା ନେବା ପରେ ୧୮୮୦୫ଜଣ ସଂକ୍ରମିତ ହୋଇଥିବା ବେଳେ ଦୁଇଟି ଯାକ ଡୋଜ୍ ନେବା ପରେ ସଂକ୍ରମିତ ହୋଇଛନ୍ତି ୮୩୯୬ଜଣ । ଉଭୟ ଡୋଜ୍ର ୧୪ ଦିନ ପରେ ଆକ୍ରାନ୍ତ ହୋଇଛନ୍ତି ୫୦୩୯ଜଣ ।

ଚିନ୍ତା ବଢ଼ାଉଛି ପଡ଼ୋଶୀ ଦେଶର ସଂକ୍ରମଣ :

ଭାରତରେ କରୋନାର ଦ୍ୱିତୀୟ ଲହରର ପ୍ରଭାବ କମୁଥିବା ଦେଖାଯାଉଥିବା ବେଳେ ଦକ୍ଷିଣ ପୂର୍ବ ଏସିଆରେ ସଂକ୍ରମଣ ବଢ଼ି ଚାଲିଛି । ବିଶେଷକରି ଭାରତର କେତୋଟି ପାଖାପାଖି ଦେଶରେ ସଂକ୍ରମଣ ବଢ଼ୁଥିବା ଖବର ସାମ୍ନାକୁ ଆସିଛି । ପାକିସ୍ତାନ ଓ ବାଂଲାଦେଶରେ ପୂର୍ବ ଅପେକ୍ଷା ସଂକ୍ରମଣ ବଢ଼ିଛି । ସେହିପରି ଇଣ୍ଡୋନେସିଆ, ମାଲେସିଆ, ଭିଏତ୍ନାମ, ଥାଇଲାଣ୍ଡରେ ମଧ୍ୟ ସଂକ୍ରମଣର ଅଧିକ ମାମଲା ଚିହ୍ନଟ ହୋଇଛି । ଏପରିକି ବିଶ୍ୱର ସବୁଠୁ ଅଧିକ ଦୈନିକ ସଂକ୍ରମଣ ମାମଲାରେ ଇଣ୍ଡୋନେସିଆ ୩ଟି ଦେଶ ମଧ୍ୟରେ ରହୁଛି । ଏବେ ସେଠାରେ ଦିନକୁ ପ୍ରାୟ ୫୦ ହଜାର ମାମଲା ଚିହ୍ନଟ ହୋଇଛି । ଇଣ୍ଡୋନେସିଆ ଏବେ ଏସିଆର ସଂକ୍ରମଣ ସ୍ପଟ ପାଲଟିଛି । ୧୫ ଜୁଲାଇରେ ଇଣ୍ଡୋନେସିଆରେ ୫୬ ହଜାର ମାମଲା ଚିହ୍ନଟ ହୋଇଥିବା ବେଳେ ମାଲେସିଆରେ ୧୩ ହଜାର, ଥାଇଲାଣ୍ଡରେ ୧୦ ହଜାର, ଭିଏତ୍ନାମ୍ରେ ୩ ହଜାର ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଇଣ୍ଡୋନେସିଆରେ ଏବେ ଆକ୍ଟିଭ କେସ୍ ୫ ଲକ୍ଷ ୪ ହଜାର । ବାଂଲାଦେଶରେ ଏବେ ଆକ୍ଟିଭ କେସ୍ ୧ ଲକ୍ଷ ୫୨ ହଜାର ଥିବା ବେଳେ ପାକିସ୍ତାନରେ ୪୬ ହଜାର, ମାଲେସିଆରେ ୧ ଲକ୍ଷ ୧୪ ହଜାର ଆକ୍ଟିଭ କେସ୍ ରହିଛି । ଥାଇଲାଣ୍ଡରେ ଏବେ ଆକ୍ଟିଭ କେସ୍ ୧ ଲକ୍ଷ ୧୧ ହଜର ଥିବା ବେଳେ ଭିଏତ୍ନାମ୍ରେ ଆକ୍ଟିଭ କେସ୍ ୩୬ ହଜାର ସକ୍ରିୟ ମାମଲା ରହିଛି । ଦକ୍ଷିଣ କୋରିଆରେ ଅଧିକ ମାମଲା ଆସିବା ପରେ କଟକଣା ବଢ଼ାଇ ଦେଇଛନ୍ତି ସରକାର । ବିଶ୍ୱରେ ମଧ୍ୟ ଦୈନିକ ସଂକ୍ରମଣ ଜୁନ୍ ମାସ ଅପେକ୍ଷା ଅଧିକ ରହିଛି । ଜୁନ୍ ୨୧ରେ ବିଶ୍ୱରେ ହାରାହାରି ଦୈନିକ ସଂକ୍ରମଣ ୩ ଲକ୍ଷ ୫୯ ହଜାର ଥିଲା ।

Comments are closed.