ନିର୍ବାଚନ ପାଇଁ ବାଟ ଫିଟିଲା: ବଢ଼ିବନି ପଞ୍ଚାୟତ ସଂଖ୍ୟା

67

ଭୁବନେଶ୍ୱର : ସବୁ କଳ୍ପନା ଜଳ୍ପନାରେ ପଡିଲା ପୂର୍ଣ୍ଣଚ୍ଛେଦ । ଚଳିତଥର ହେବନି ପଞ୍ଚାୟତ ପୁନର୍ଗଠନ । ଯେତିକି ପଞ୍ଚାୟତ ରହିଛି ସେତିକି ରହିବ । ୱାର୍ଡ ସଂଖ୍ୟାରେ ମଧ୍ୟ କୌଣସି ପରିବର୍ତ୍ତନ ହେବ ନାହିଁ । ଏନେଇ ନିର୍ବାଚନ କମିଶନଙ୍କୁ ଜଣାଇ ଦେଇଛନ୍ତି ରାଜ୍ୟ ସରକାର । ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଞ୍ଚାୟତ ପୁନର୍ଗଠନ ହୋଇଥିଲା । କେତେକ ପଞ୍ଚାୟତକୁ ଭାଙ୍ଗି ଏହାର ସୀମା ନିର୍ଦ୍ଧାରଣ କରାଯାଇଥିଲା । ଫଳରେ ଚଳିତଥର ଆଉ ପୁନର୍ଗଠନର ଆବଶ୍ୟକତା ନାହିଁ । ଏହି ନିଷ୍ପତ୍ତି ପରେ ନିର୍ବାଚନ ପାଇଁ ବେଶୀ ସମୟ ଲାଗୁଥିବା ପ୍ରକ୍ରିୟା ଶେଷ ହୋଇଛି । ନିର୍ବାଚନ ପାଇଁ ନିଷ୍ପତ୍ତି ହେଲେ କେବଳ ସ୍ଥାନ ସଂରକ୍ଷଣ ଓ ଭୋଟର ତାଲିକା ସଂଶୋଧନ ପାଇଁ ସମୟ ଲାଗିବ । ଏଣୁ ସଠିକ୍ ସମୟରେ ନିର୍ବାଚନ ହେବା ନେଇ ଆଶା ବଢିଛି ।

ରାଜ୍ୟର ୬୮୦୧ ପଞ୍ଚାୟତ ଓ ୯୨ହଜାର ୨୯ଟି ୱାର୍ଡରେ ନିର୍ବାଚନ ହେବ । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସମସ୍ତ ଜିଲ୍ଲାପାଳଙ୍କୁ ଚିଠିଲେଖି ବାଲଟ୍ ବାକ୍ସ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ହୋଇଛି । ୯୨ ହଜାର ବାଲଟ୍ ବାକ୍ସର ଆବଶ୍ୟକତା ରହିଛି । ଚଳିତଥର ସ୍ୱାଭିମାନ ଅଞ୍ଚଳରେ ନିର୍ବାଚନ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଏବେ ବିକାଶର ସୂର୍ଯ୍ୟ ଉଇଁଛି । ଯୋଗଯୋଗ ସହିତ ଅନେକ ସେବା ସେମାନଙ୍କ ପାଖରେ ପହଞ୍ଚିଛି । ତେଣୁ ସେଠାରେ ନୂଆ ତରିକାରେ ନିର୍ବାଚନ ହେବା ନେଇ ପ୍ରୟାସ ଚାଲିଛି । ୨୦୨୨ ମାର୍ଚ୍ଚ ୧୦ ତାରିଖରେ ପଞ୍ଚାୟତ ନିର୍ବାଚନ କାର୍ଯ୍ୟାଳୟ ସରିବ । ଏହା ପୂର୍ବରୁ ନିର୍ବାଚନ ସରିବା କଥା । କିନ୍ତୁ ନିର୍ବାଚନ ରାସ୍ତାରେ କଣ୍ଟା ହୋଇ ଠିଆହୋଇଛି କରୋନା ।ତେବେ ଆଗକୁ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନେଇପାରନ୍ତି ନିର୍ବାଚନ କମିଶନ୍ ।

Comments are closed.