ସରିଲା ଜନ୍ମବେଦୀରେ ଲୀଳାଖେଳା: ବାହୁଡିଲେ ବାହୁଡ଼ାବ୍ରହ୍ମ , ଆଜି ଶ୍ରୀଜୀଉଙ୍କ ସୁନାବେଶ

64

-ଅଭୂତପୂର୍ବ ସୁରକ୍ଷା ଭିତରେ ବାହୁଡ଼ା ଯାତ୍ରା
-ବଳଗଣ୍ଡିରେ ପୋଡପିଠା ସମର୍ପଣ
-ଶ୍ରୀନଅର ଆଗରେ ଲକ୍ଷ୍ମୀନାରାୟଣ ଭେଟ
-ଚାରି ଘଣ୍ଟା ପୂର୍ବରୁ ସମସ୍ତ ନୀତିକାନ୍ତି ଶେଷ

ପୁରୀ : ଜନ୍ମବେଦୀର ମୋହ ଛାଡି ମହାବାହୁ ଆଜି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ା ଯାତ୍ରାରେ ଫେରିଛନ୍ତି । ଦୀର୍ଘ ୯ଦିନ ଧରି ଜନ୍ମବେଦୀ ଆଡପ ମଣ୍ଡପରେ ମହାପ୍ରଭୁ ଅବସ୍ଥାନ କରିଥିଲେ । ଚତୁର୍ଦ୍ଧା ମୂର୍ତ୍ତି ନିର୍ମାଣ ସମୟରେ ୨୧ ଦିନ ସରିବ ବୋଲି ରାଜାଙ୍କୁ ବିଶ୍ୱକର୍ମାମାନେ କଣ୍ଟ ଦେଇଥିଲେ । କିନ୍ତୁ ୧୮ ଦିନରେ ରାଜା କବାଟ ଖୋଲିବାରୁ ଅଧାଗଢା ରହିଗଲେ ଚତୁର୍ଦ୍ଧା ମୂର୍ତ୍ତି । ସେହି ଜନ୍ମବେଦୀର ମୋହକୁ ମନେ ପକାଇ ୧୮ ଦିନ ନରହିଲେ ମଧ୍ୟ ତାର ଅଧା ୯ ଦିନ ଜନ୍ମବେଦୀରେ ଅବସ୍ଥାନ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀମନ୍ଦିର ପ୍ରଶାସନ ଦଇତାପତି ଓ ସେବାୟତଙ୍କ ସହଯୋଗରେ ଆଜି ସଅଳ ନୀତି ସମାପନ ହୋଇଛି । ୩ଟା ୫୫ରେ ଉଷୁମ ଲାଗି ସାରି ଦଇତାପତି ମାନେ ବାହାରିଥିଲେ । ଭୋର ୪ଟା ୧୦ ମିନିଟ୍ରେ ମଙ୍ଗଳ ଆଳତୀ ନୀତି ଶେଷ ହୋଇଥିଲା । ୪ଟା ୩୦ରେ ତଡପ ଲାଗି ନୀତି ଶେଷ, ୪ଟା ୫୦ରେ ଅବକାଶ ପୁଜା ସଂପନ୍ନ, ୫ଟା ୧୦ରେ ରୋଷହୋମ ଓ ୫ଟା ୨୦ରେ ବେଶଶେଷ ହୋଇଥିଲା । ୫ଟା ୩୦ରେ ସୂର୍ଯ୍ୟପୂଜା, ୫ଟା ୪୦ରେ ଦ୍ୱାରପାଳ ପୂଜା, ୫ଟା ୪୫ ରେ ଗୋପାଳଭୋଗ ଓ ସକାଳ ଧୂପ ଡାକି ଯାଇଥିଲେ । ୭ଟାରେ ସକାଳ ଧୂପ ପୂଜା ଶେଷ ହୋଇଥିଲା । ୭ଟା ୨୫ରେ ମଙ୍ଗଳାର୍ପଣ କରାଯାଇ ବିଜେ କାହାଳୀ ବାଜିଥିଲା । ୭ଟା ୪୦ରେ ବାହୁଡା ପହଣ୍ଡି ଆରମ୍ଭ ହୋଇ ୧୦ଟା ୨୦ରେ ପହଣ୍ଡି ଶେଷ ହୋଇଥିଲା । ୧୦ଟା ୨୫ରୁ ୧୦ଟା ୪୫ ମଧ୍ୟରେ ମଦନମୋହନ ଓ ରାମକୃଷ୍ଣ ମହାଜନ ସେବକଙ୍କ ଦ୍ୱାରା ରଥରେ ବିଜେ କରିଥିଲେ ।

ସଂପୂର୍ଣ୍ଣ ରଥଯାତ୍ରାକୁ ତିନି ଭାଗରେ ବିଭକ୍ତ କରାଯାଇ ରଥଯାତ୍ରା ଗୁଣ୍ଡିଚା ଘରେ ରହଣୀ ଓ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଥାଏ । ଗୁଣ୍ଡିଚା ଦିନ ଉତ୍ତରାୟଣ ଯାତ୍ରା ଓ ବାହୁଡାରେ ଦକ୍ଷିଣାଭିମୁଖୀ ଯାତ୍ରା ଦର୍ଶନ କରିଲେ ଅଶ୍ୱମେଧ ଯଜ୍ଞ ସମଫଳ ମିଳିବା ସହ ବୈକୁଙଋପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଗତକାଲି ରାତିରେ ଆଡପ ମଣ୍ଡପରେ ବଡସିଂହାର ବେଶ ହେବା ପରେ ପହୁଡ ଆଳତୀ ହୋଇଥିଲା । ପୁଷ୍ପାଳକ ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖରେ ଖଣ୍ଡୁଆ ପକାଇ ବାହାରି ଆସିଥିଲେ । ପରେ ପରେ ଦଇତାପତି ସେବକମାନେ ଗୁପ୍ତ ସେବା କରିବା ସହ କୋଟ ସୁଆଁସିଆମାନେ ଆଡପ ମଣ୍ଡପ ସିଂହାସନର ତଳକୁ ଚାରମାଳ ବାନ୍ଧିଥିଲେ । ଟାହିଆ ଲାଗି ହେବା ପରେ ତିନି ଠାକୁର ବେଶ୍ ଆକର୍ଷଣୀୟ ଦୃଶ୍ୟମାନ ହୋଇଥିଲେ । ତିନି ଠାକୁର ଧାଡି ପହଣ୍ଡିରେ ରଥକୁ ବିଜେ କରିଥିଲେ । ରଥରେ ବିଜେ ପରେ ରୁନ୍ଧା କାର୍ଯ୍ୟ ହୋଇଥିଲା । ତିନି ରଥରେ ଚତୁର୍ଦ୍ଧା ମୂର୍ତ୍ତି ବିଜେ କରିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଜପତିଙ୍କୁ ଡାକରା ଯାଇଥିଲା । ପୂର୍ବରୁ ଶ୍ରୀନଅରଠାରୁ ତାନଜାନ ପାଲିଙ୍କି, କାହାଳିଆ ଓ ଭାରୁଆମାନେ ବଡଶଙ୍ଖଠାରେ ଆସି ଗଜପତିଙ୍କୁ ଅପେକ୍ଷା କରିଥିଲେ । ଗଜପତି କାର ଯୋଗେ ବଡଶଙ୍ଖରେ ପହଞ୍ଚିବା ପରେ ପାଲିଙ୍କିରେ ବସି ରଥ ନିକଟକୁ ଯାଇଥିଲେ । କାହାଳି, ଛତ୍ରୀ ଓ ଶୋଭାଯାତ୍ରାରେ ଗଜପତି ବିଜେ କରିଥିଲେ । ତିନି ରଥରେ ଛେରାପହଁରା କରିବା ପରେ ରଥରୁ ଚାରମାଳ ଖୋଲାଯାଇ ଘୋଡା ବନ୍ଧା ଯାଇଥିଲା । ମହାରଣା ଓ ଭୋଇ ସେବାୟତମାନେ ରଥରେ ଦଉଡି ଲଗାଇଥିଲେ ।ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପରେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ସେବାୟତମାନେ ଟାଣି ଟାଣି ନେଇଥିଲେ । ବଳଗଣ୍ଡିଠାରେ ଥିବା ମାଉସୀ ମାଆ ମନ୍ଦିରରେ ତିନିରଥରେ ତିନୋଟି କୁଡିଆରେ ପୋଡପିଠା ଭୋଗ କରାଯାଇଥିଲା । ଶ୍ରୀନଅର ପାଖରେ ନନ୍ଦିଘୋଷ ଅଟକିବା ପରେ ଗଜପତି ମହାରାଜା ଲକ୍ଷ୍ମୀନାରାୟଣ ଭେଟ କରିବେ । ୧୨ଟା ୧୫ ସୁଦ୍ଧା ଗଜପତିଙ୍କ ଛେରାପହଁରା ସରିବା ପରେ ଚାରମାଳ
ଖୋଲାଯାଇଥିଲା । ଆଜି ରଥ ଲାଗିବା ପରେ ଆସନ୍ତାକାଲି ସୁନାବେଶ ଅନୁଷ୍ଠିତ ହେବ ।

Comments are closed.