କରୋନା ସରିନି, ଘାରିଲାଣି ଡେଙ୍ଗୁ ଭୟ

71

-ଭୁବନେଶ୍ୱରରେ ୭୦୦ ପାର୍

ଭୁବନେଶ୍ୱର : ରାଜ୍ୟକୁ ଏବେ କବଳିତ କଲାଣି ଡେଙ୍ଗୁ । ଚାରିଆଡେ ଏବେ ଏଡିସ୍ ମଶାକୁ ନେଇ ଟେନ୍ସନ୍ । ରାଜଧାନୀରେ ଦୈନିକ ୪୦ରୁ ୬୦ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । କେବଳ ବିଏମ୍ସି ଅଞ୍ଚଳରେ ଏହିସଂଖ୍ୟା ୭୦୦ ପାର୍ କରିଛି । ୬ ଦିନ ହେଲା ଦୈନିକ ୩୫ରୁ ୪୦ ରୋଗୀ ଚିହ୍ନଟ ହେଉଥିବା ବେଳେ ଗତକାଲି ଆଉ ୬୬ ରୋଗୀ ଯୋଡି ହେଲା ପରେ ଏହି ସଂଖ୍ୟା ୬୬୪ରେ ପହଞ୍ଚିଥିଲା । କିନ୍ତୁ ଆଜି ଆଉ ୪୦ ରୋଗୀ ଚିହ୍ନଟ ପରେ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀ ସଂଖ୍ୟା ୭୦୦ ପାର୍ କରିଛି । ସଚେତନ ଓ ସଫେଇ କାର୍ଯ୍ୟକ୍ରମକୁ ବିଏମ୍ସି ବ୍ୟାପକ କରିଛି ।
୫୯୧୩ ଘରୁ ମୋଟ ୨୪ହଜାର ୪୧୩ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଇଛି । ୨୫୭୪ଟି ସମ୍ଭାବ୍ୟ ମଶାବୃଦ୍ଧି ସ୍ଥାନକୁ ହଟାଯିବା ସହ ୭୨୭ଟି ସ୍ଥାନରେ ଏଡିସ୍ ମଶାର ଲାର୍ଭାକୁ ଚିହ୍ନଟ କରି ନଷ୍ଟ କରିଦିଆଯାଇଛି । ତେବେ ରାଜଧାନୀକୁ ଆରମ୍ଭରୁ ଜଗିଥିଲେ ଏଭଳି ସ୍ଥିତି ଉପୁଜିନଥାନ୍ତା ବୋଲି ବିଶେଷଜ୍ଞ ଓ ବୁଦ୍ଧିଜୀବୀ କହିଛନ୍ତି ।

ଇସ୍ପାତ ନଗରୀ ରାଉରକେଲାରେ ମଧ୍ୟ ଡେଙ୍ଗୁ ଆତଙ୍କ ଦେଖାଦେଇଛି । ସରକାରୀ ହସ୍ପ୍ିଟାଲରେ ୨୧ଜଣ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଚିକିତ୍ସାଳୟରେ ମଧ୍ୟ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି । ଆରଜିଏଚ୍ ଓ ଆଇଜିଏଚ୍ରେ ନମୂନା ଟେଷ୍ଟ କରାଯାଉଛି । ବାସନ୍ତୀ କଲୋନୀ, ରେଳବାଇ କଲୋନୀ ଓ ସେକ୍ଟର ଅଞ୍ଚଳ ହେଉଛି ଡେଙ୍ଗୁ ହଟ୍ସ୍ପଟ୍ । ତେଣୁ ଏଡିସ୍ ମଶା ମାରିବାକୁ ଆରଏମ୍ସି ପକ୍ଷରୁ ଆରମ୍ଭ ହୋଇଛି ଅଭିଯାନ । ସହରର ୪୦ଟି ୱାର୍ଡରେ ଟିମ୍ ଗଠନ କରାଯାଇ ମଶାବଂଶ ନାଶ ପାଇଁ ଡ୍ରେନ୍ ସଫେଇ ଓ ଔଷଧ ସିଞ୍ଚନ ଚାଲିଛି । ବ୍ରହ୍ମପୁରରେ ମଧ୍ୟ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ସତର୍କ ହୋଇଛି ମହାନଗର ନିଗମ । ଲୋକଙ୍କୁ ସଚେତନ କରାଇବା ଲାଗି ସହରର ୪୦ଟି ୱାର୍ଡ ପାଇଁ ୧୨୦ଟି ଟିମ୍ ଗଠନ ହୋଇଛି ।

Comments are closed.