ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା ! ଘନେଇଲା ମରୁଡି ଆଶଙ୍କା

63

ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି)ଅଗଷ୍ଟ ମାସ ପାଇଁ ଦେଶରେ ମୌସୁମୀ ବର୍ଷାର ଆକଳନ କରିଛି । ଏଥିରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସ୍ୱାଭାବିକ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । କିନ୍ତୁ ଓଡ଼ିଶାରେ ଅଗଷ୍ଟ ମାସରେ ନିଅଣ୍ଟିଆ ବର୍ଷା ହୋଇପାରେ ବୋଲି ଏଥିରୁ ଜଣାପଡ଼ିଛି । ପ୍ରଥମ ୧୫ ଦିନ ବର୍ଷା ସମ୍ପୂର୍ଣ୍ଣ ଉଭାନ୍ ହୋଇଯିବ ବୋଲି ପାଣିପାଗ ବିଶେଷଜ୍ଞ ସତର୍କ କରାଇ ଦେଇଛନ୍ତି । ଏହାକୁ ନେଇ ମରୁଡ଼ି ଆଶଙ୍କା ଘନେଇଛି । ଆଇଏମ୍ଡିର ଏହି ପୂର୍ବାନୁମାନ କହୁଛି, ଅବିଭକ୍ତ କୋରାପୁଟ ଜିଲ୍ଲାର କିଛି ଅଞ୍ଚଳ, ଦେବଗଡ ଓ ମୟୂରଭଞ୍ଜର କିଛି ଅଞ୍ଚଳରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ଅଛି ।

ସେହିଭଳି ବାଲେଶ୍ୱର ଓ କେନ୍ଦ୍ରାପଡ଼ାର ସୀମିତ କିଛି ଅଞ୍ଚଳରେ ସ୍ୱାଭାବିକ ବର୍ଷା ହୋଇପାରେ । ଏହି ଦୁଇ ଜିଲ୍ଲାକୁ ଛାଡ଼ି ବାକି ସମସ୍ତ ଉପକୂଳବର୍ତ୍ତୀ ଅଞ୍ଚଳ ଓ ପଶ୍ଚିମ ଓଡ଼ିଶାର ଅନେକ ଅଞ୍ଚଳରେ ଅଗଷ୍ଟ ମାସରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ । ରାଜ୍ୟର ବାକି ଅଞ୍ଚଳରେ ବର୍ଷାକୁ ନେଇ ଅନିଶ୍ଚିତତା ରହିଛି । ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, ଆଇଏମ୍ଡିର ଆକଳନକୁ ଦେଖିଲେ ଅଗଷ୍ଟ ମାସରେ ନିଅଣ୍ଟିଆ ବର୍ଷା ହେବା ଆଶଙ୍କାକୁ ଏଡାଇ ଦେଇ ହେବନି । ପ୍ରଥମତଃ ଅଗଷ୍ଟ ମାସରେ ପୂର୍ବ ମାସ ଭଳି ଭାରତ ମହାସାଗର(ଡାଇପୋଲ୍) ନେଗେଟିଭ୍ ବା ବିଯୁକ୍ତ ରହିଛି । ପୂର୍ବ ବର୍ଷମାନଙ୍କରେ ଯେବେ ଏହା ନେଗେଟିଭ୍ ହୋଇଛି ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ କମ୍ ବର୍ଷା ହୋଇଛି । ଦ୍ୱିତୀୟରେ ଲା ନିନା ମୌସୁମୀ ପର୍ଯ୍ୟନ୍ତ ଆସିବନି । ଏଣୁ ବର୍ଷା ସମ୍ଭାବନା କମ୍ । ତୃତୀୟରେ ରାଜ୍ୟର ଯେଉଁ ଅଞ୍ଚଳରେ ଏବେ ବର୍ଷାକୁ ନେଇ ଅନିଶ୍ଚିତତା ଦେଖାଦେଇଛି ପୂର୍ବବର୍ଷରେ ବି ବର୍ଷାର ଅନିୟମିତତା ଅଧିକ । ଏଣୁ ଅଗଷ୍ଟ ମାସରେ ବର୍ଷା ପରିମାଣ ନିଅଣ୍ଟିଆ ରହିବ । ଡ.ପଶୁପାଳକ ଅଗଷ୍ଟ ମାସରେ ନିଅଣ୍ଟିଆ ବର୍ଷା ହେବାର ଆଶଙ୍କା ଥିବାରୁ ଚାଷ କାମ ବାଧାପ୍ରାପ୍ତ ହେବ । ତାଙ୍କ ଆକଳନ ଅନୁସାରେ ଅଗଷ୍ଟ ମାସର ପ୍ରଥମ ୧୫ଦିନ ରାଜ୍ୟରେ ବିଶେଷ ବର୍ଷା ନାହିଁ । ଉପକୂଳ ଜିଲ୍ଲାରେ ସମୁଦାୟ ବର୍ଷା ହାରାହାରି ୬୫ ମିଲିମିଟରରୁ କମ୍ ହେବ । ଏଣୁ ଆଗକୁ ଚାଷ କାମ ପ୍ରତି ସଙ୍କଟ ଦେଖା ଦେଇପାରେ ବୋଲି ସେ ସତର୍କ କରିଛନ୍ତି । ସୋଆର ଜଳବାୟୁ ଓ ପାଣିପାଗ ବିଭାଗ ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି, ଅଗଷ୍ଟର ପ୍ରଥମ ୧୩ଦିନ ଯାଏ ବର୍ଷା ନ ହୋଇପାରେ । କାଁ ଭାଁ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ । କିନ୍ତୁ ବର୍ଷା ପରିମାଣ ସ୍ୱଳ୍ପ ରହିବ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ୩ ଦିନ ହେଲା ରାଜ୍ୟରେ ବର୍ଷାର ପରିମାଣ ଖୁବ୍ କମ୍ ରହିଛି । ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିଛି । ଫଳରେ ଅଗଷ୍ଟ ଆରମ୍ଭରୁ ହିଁ ନିଅଣ୍ଟିଆ ବର୍ଷାର ପରିମାଣ ବଢ଼ିବାରେ ଲାଗିଛି । ଜୁନ୍ ୧ ତରିଖରୁ ଅଗଷ୍ଟ ୨ ତାରିଖ ମଧ୍ୟରେ ରାଜ୍ୟରେ ମୋଟ୍ ୪୬୧.୬ମିମି ବର୍ଷା ରେକର୍ଡ ହୋଇଛି । ସ୍ୱାଭାବିକ ଭାବେ ଏହି ସମୟ ମଧ୍ୟରେ ୫୮୬.୮ ମିମି ବର୍ଷା ହୋଇଥାଏ । ଅର୍ଥାତ୍ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୧% ନିଅଣ୍ଟିଆ ବର୍ଷା ହୋଇଛି । ୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷାର ସ୍ଥିତି ଉକ୍ରଟ ରହିଛି । ସେଗୁଡ଼ିକ ହେଲା ଭଦ୍ରକ, ଯାଜପୁର ଓ ଗଜପତି ଜିଲ୍ଲା । ଏଠାରେ ୪୦%ରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ରାଜ୍ୟର ୧୬ ଜିଲ୍ଲାରେ ସ୍ୱାର୍ଷା ହୋଇଥିବା ବେଳେ ୧୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଏବେ ରାଜ୍ୟରେ ମେସୁମୀର ସ୍ଥିତି ଦୁର୍ବଳ ରହିଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବି ମେସୁମୀର ଦୁର୍ବଳ ରହିବ । ତେଣୁ ୨ ଦିନ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । କିନ୍ତୁ ୪ ତାରିଖ ଆଡ଼କୁ ଉତ୍ତର ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଆକାଶ ଆଂଶିକ ମେଘୁଆ ରହିବ । ବର୍ଷା ମଧ୍ୟ ହୋଇପାରେ ବୋଲି କେନ୍ଦ୍ର ସୂଚନା ଦେଇଛି ।

Comments are closed.