କାଳୁପାତ୍ର ସାହିରୁ ଗୁଟଖା ଫ୍ୟାକ୍ଟ୍ରୀ ଠାବ ଘଟଣା : ୬ ଗିରଫ

64

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ବଡ଼ବଜାର ଥାନା ଅନ୍ତର୍ଗତ କାଳୁପାତ୍ର ସାହିରୁ ଗୁଟଖା ଫ୍ୟାକ୍ଟ୍ରୀ ଠାବ ଘଟଣାରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଗୁଟଖା ତିଆରି ପାଇଁ ବ୍ୟବହୃତ କଂଚାମାଲ, ମେସିନ ସହିତ ୪ଟି ଗାଡି ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ କାଳୁପାତ୍ର ସାହିର ରିଂଟୁ କୁମାର ସାହୁ, ନୂଆ କାଳୁପାତ୍ର ସାହିର ଅର୍ଜ୍ଜୁନ ସାହୁ, ବୋରିଗାଁର ବୁଢ଼ା ସାହୁ, ଲକ୍ଷ୍ମୀ ନୃସିଂହ ସାହିର ଶିବରାମ ବେହେରା ଓ ଉତର ପ୍ରଦେଶର ଚନ୍ଦ୍ରଭାନୁ ପଟେଲ ଏବଂ ରାମ ଆଶିଷ । ବେଆଇନ ଗୁଟଖା କାରବାରର ମାଷ୍ଟର ମାଇଣ୍ଡ କୁହାଯାଉଥିବା କାଳୁପାତ୍ର ସାହିର ନାରାୟଣ ସାହୁ ଫେରାର୍ ହୋଇଯାଇଛି । ତାକୁ ଧରିବା ପାଇଁ ଉଦ୍ୟମ ଜାରୀ ରହିଥିବା ନେଇ ପୋଲିସ କହିଛି । କାଳୁପାତ୍ର ସାହିର ଏକ ଘରେ ଗୁଟଖା ତିଆରି ଚାଲିଥିବା ଖବର ପାଇ ବ୍ରହ୍ମପୁର ଉପଜିଲାପାଳ ଭି. ତୀର୍ତିଭାସନଙ୍କ ନେତୃତ୍ୱରେ ଏକ ଟିମ୍ ସେଠାରେ ଚଢ଼ଉ କରିଥିଲା । ଚଢ଼ଉ ବେଳେ ଉତର ପ୍ରଦେଶର ଦୁଇ ଜଣ ଗୁଟଖା ପ୍ରସ୍ତୁତକାରୀ ଶ୍ରମିକଙ୍କୁ ପଚରା ଉଚରା କରିଥିଲା ପୋଲିସ ।

ସେହିପରି ଅନ୍ୟ ଏକ ଘର ଯାଂଚ୍ ପରେ ସେଠାରୁ ୧୬୦ ପ୍ୟାକେଟ୍ ଗୁଟଖା ଜବତ ହୋଇଥିଲା । ଏନେଇ ଅଧିକ ତଦନ୍ତ ପରେ ବୋରିଗାଁ ନିକଟରୁ ଏକ ପିକଅପ୍ ଭ୍ୟାନ୍ ରେ ଭର୍ତି ହୋଇଥିବା ଗୁଟଖା ଜବତ ହୋଇଥିଲା । ଏହି ମାମଲାରେ ମୋଟ୍ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୩ଟି ପିକଅପ୍ ଭ୍ୟାନ୍, ଗୋଟିଏ ଅଟୋ, ମେସିନ ଓ ବିଭିନ୍ନ ବ୍ରାଣ୍ଡର ଗୁଟଖା ଏବଂ ଜର୍ଦା ଜବତ କରାଯାଇଥିଲା । କାଳୁପାତ୍ର ସାହିର ନାରାୟଣର ସହଯୋଗରେ ଏମାନେ ବେଆଇନ ଭାବେ ଗୁଟଖା ପ୍ରସ୍ତୁତ କରୁଥିଲେ ।

Comments are closed.