ନାତିକୁ ବଞ୍ଚାଇବାକୁ ପ୍ରୟାସ କରୁଥିବା ଆଈକୁ ହତ୍ୟାକଲା ମଦ୍ୟପ ଯୁବକ

70

ସମ୍ବଲପୁର : ସମ୍ବଲପୁରରେ ୧୨ ଘଣ୍ଟା ମଧ୍ୟରେ ୨ଟି ହତ୍ୟାକାଣ୍ଡ ଓ ରାସ୍ତା ରୋକ । ସତେ ଯେପରି ସହରରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି । ଧନକଉଡ଼ା ନିକଟ ଜାତୀୟ ରାଜପଥରୁ ଉଦ୍ଧାର ହୋଇଥିବା ମୃତ ଯୁବକ ହତ୍ୟା ନା ଦୁର୍ଘଟଣାର ଶିକାର ତାହା ଅସମାହିତ ହୋଇ ରହିଥିବାବେଳେ, ଗତକାଲି ସନ୍ଧ୍ୟାରେ ଧମା ଥାନା ଅନ୍ତର୍ଗତ ମାଳତୀଗୁଣ୍ଡେରପୁର ଘଟିଛି ଆଉ ଏକ ଜଘନ୍ୟ ହତ୍ୟାକାଣ୍ଡ । ନାତିକୁ ବଞ୍ଚାଇବାକୁ ପ୍ରୟାସ କରୁଥିବା ଆଈକୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି ଜଣେ ମଦ୍ୟପ ଯୁବକ । ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଥିଲା । ଗ୍ରାମବାସୀ ତୁରନ୍ତ ଫାଣ୍ଡି ଅଧିକାରୀଙ୍କ ଅପସାରଣ ଓ ଦୋଷୀକୁ ଜନସାଧାରଣଙ୍କ ହାତରେ ଛାଡ଼ି ଦେବାକୁ ଦାବିକରି ୧୫ ନଂ ରାଜ୍ୟ ରାଜପଥକୁ ସନ୍ଧ୍ୟା ସାଢ଼େ ୬ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ଦୀର୍ଘ ତିନି ଘଣ୍ଟା ଧରି ଅବରୋଧ କରି ରଖିଥିଲେ ।

ମିଳିଥିବା ଖବରରୁ ପ୍ରକାଶ ଯେ, ଗୁରବାର ପୂର୍ବାହ୍ନରେ ଧମା ଥାନା ଅଧୀନସ୍ଥ ମାଳତୀଗୁଣ୍ଡେରପୁର ଗ୍ରାମର ସୁଶୀଳ ବାଗ (୨୫) ନାମକ ଜଣେ ଯୁବକ ସେହି ଗ୍ରାମର ଚିକୁ ବାଗ (୨୨) ନାମକ ଅନ୍ୟ ଜଣେ ଯୁବକ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ହୋଇଥିଲା । ଏଥିରେ ଉତ୍ୟେକ୍ତ ହୋଇ ସୁଶୀଳ ବାଗ ଚିକୁକୁ ମାଡ଼ପିଟ କରିଥିଲା । ଏଥିରେ ବାଧା ଦେବାକୁ ଆସିଥିବା ଚିକୁର ସାନଭାଇ ବାସୁଦେବ ବାଗ (୧୮)କୁ ମଧ୍ୟ ସେ ଛାଡ଼ିନଥିଲା । ଏହାକୁ ନେଇ ଚିକୁର ପରିବାର ପକ୍ଷରୁ ଗୁଣ୍ଡେରପୁର ଫାଣ୍ଡିରେ ଅଭିଯୋଗ କରିଥିଲେ । ଏହା ପୂର୍ବରୁ ପ୍ରଚୁର ମଦ୍ୟପାନ କରି ସୁଶୀଳ ମାନେଶ୍ବର ବ୍ଲକ କାର୍ଯ୍ୟାଳୟ ଭିତରେ ପ୍ରବେଶ କରି ଅଧିକାରୀ ଓ କର୍ମଚାରୀମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ଧମକ ଚମକ ମଧ୍ୟ ଦେଇଥିଲା । ଏ ସମ୍ପର୍କରେ ବ୍ଲକର ବିଡିଓ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ଫଳରେ ଫାଣ୍ଡି ଅଧିକାରୀ ବସନ୍ତ ସାହୁ ସୁଶୀଳକୁ ଆଣି କେବଳ ଚେତାବନୀ ଦେଇ ଛାଡ଼ି ଦେଇଥିଲେ । ଏଠାରୁ ଗଲାପରେ ସେ ଗାଁ ମଝିରେ ପାଟିତୁଣ୍ଡ କରି ହାବୁଡ଼ରେ ପଡ଼ିଥିବା ଚିକୁ ଓ ତାଙ୍କ ଭାଇଙ୍କୁ ବାଡ଼ିଆପିଟା କରିଥିଲା । ଯାହାକୁ ନେଇ ଚିକୁଙ୍କ ପରିବାର ପକ୍ଷରୁ ଫାଣ୍ଡିରେ ହୋଇଥିବା ଅଭିଯୋଗ ସମ୍ପର୍କରେ ସେ ଜାଣିବାକୁ ପାଇଥିଲା । ଏ ସମ୍ପର୍କରେ ଜାଣିବା ପରେ ସେ ପୁନର୍ବାର ଚିକୁଙ୍କ ଘରକୁ ଯାଇ ବାଡ଼ିଆପିଟା କରିଥିଲା । ଏହାଦେଖି ଚିକୁର ମା ବିଳାସିନୀ ଓ ତାଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ଏଥିରେ ବାଧା ଦେବାରୁ ସୁଶୀଳ ସେମାନଙ୍କୁ ମଧ୍ୟ ଛାଡ଼ିନଥିଲା । କ୍ଷେତରୁ କାମସାରି ଚିକୁଙ୍କ ଆଇ ମଖନୀ ବାଗ (୬୦) ଘରକୁ ଫେରି ସୁଶୀଳ ସମସ୍ତଙ୍କୁ ମାଡ଼ ମାରୁଥିବା ଦେଖି ତାକୁ ବାଧା ଦେଇ ନାତି ଚିକୁଙ୍କୁ ତା କବଳରୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ । ଏଥିରେ ସୁଶୀଳ ଉତକ୍ଷିପ୍ତ ହୋଇ ଏକ କାଠ ଫାଳିଆରେ ମଖନୀଙ୍କ ମୁଣ୍ଡକୁ ପିଟି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ମଖନୀଙ୍କ ପୁତ୍ର ତଥା ଚିକୁଙ୍କ ପିତା ରାଜେନ୍ଦ୍ର ବାଗ ଘରକୁ ଫେରି ଏଭଳି ଘଟଣା ଦେଖି ତୁରନ୍ତ ଫାଣ୍ଡିକୁ ଯାଇ ସୁଶୀଳ ତାଙ୍କ ମାଙ୍କୁ ହତ୍ୟା କରିଥିବା ନେଇ ଏତଲା ଦେଇଥିଲେ । ତାଙ୍କ ଏତଲାକୁ ଆଧାର କରି ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ସୁଶୀଳକୁ ଅଟକ ରଖି ପଚରା ଉଚରା କରିଥିଲେ । ପୂର୍ବରୁ ସୁଶୀଳର ଅନେକ ଅପରାଧୀକ ରେକର୍ଡ ରହିଥିବା ବେଳେ ନିୟମିତ ଭାବେ ସେ ଗାଁ ଦାଣ୍ଡରେ ଏଭଳି ଆତଙ୍କ ସୃଷ୍ଟି କରି ଗ୍ରାମବାସୀଙ୍କୁ ଭୟଭିତ କରିଥାଏ । ଏଥିରେ ତାର ପିତାଙ୍କ ପରୋକ୍ଷ ସମର୍ଥନ ମଧ୍ୟ ରହିଥିବା ଲୋକେ ଅଭିଯୋଗ କରିଛନ୍ତି ।

ଅପରପକ୍ଷରେ ଫାଣ୍ଡି ଅଧିକାରୀ ଶ୍ରୀ ସାହୁଙ୍କ ଅବହେଳାରୁ ଏହି ହତ୍ୟାକାଣ୍ଡ ଘଟିଛି, ତେଣୁ ଏଠାରୁ ତାଙ୍କୁ ତୁରନ୍ତ ଅପସାରଣ ତଥା ମୃତକ ପରିବାରକୁ ନ୍ୟାୟ ଓ ସାଧାରଣ ଜନତାଙ୍କ ଦ୍ବାରା କାର୍ଯ୍ୟାନୁଷ୍ଠାନ ପାଇଁ ସୁଶୀଳକୁ ହସ୍ତାନ୍ତର ଦାବିରେ ଉତ୍ୟେକ୍ତ ଗ୍ରାମବାସୀ ରାସ୍ତା ମଝିରେ ମୃତକର ଶବକୁ ରଖି ଦୀର୍ଘ ସମୟ ଧରି ସମ୍ବଲପୁର-ସୋନପୁର ରାସ୍ତାକୁ ଅବରୋଧ କରି ରଖିଥିଲେ । ପରେ ଧମା ଥାନା ଅଧିକାରିଣୀ ତାରାବତୀ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଉତ୍ୟେକ୍ତ ଲୋକଙ୍କୁ ବୁଝାଶୁଝା କରି ମୃତକଙ୍କ ଅନ୍ତ୍ୟୋଷ୍ଟି ଖର୍ଚ୍ଚ ଆଦି ସେ ନିଜେ ବହନ କରିବେ ତଥା ପୀଡ଼ିତ ପରିବାରଙ୍କୁ ଉଚିତ ନ୍ୟାୟ ପ୍ରଦାନ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେବାପରେ ରାସ୍ତାରୋକ ହଟିଥିଲା । ଏହାବାଦ୍ ପୁଲିସ ମୃତକର ଶବକୁ ଜବତ କରିଛି । ଆଜି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତକୁ ମଧ୍ୟ କୋର୍ଟଚାଲାଣ କରାଯିବ ବୋଲି କୁହାଯାଉଛି ।

Comments are closed.