ବିଧାୟିକାଙ୍କ ଘରେ ଭଙ୍ଗାରୁଜା

75

୬ଜଣଙ୍କୁ ଟେକିନେଲା ପୋଲିସ: ଗାଁ ପୁରୁଷ ଶୂନ୍ୟ

ଖଲ୍ଲିକୋଟ : ଗତକାଲି ଦିନ ଦ୍ୱିପହରରେ ଖଲ୍ଲିକୋଟ୍ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଭଡ଼ା ଘରେ ପଶି ଲଙ୍କା କାଣ୍ଡ ଘଟାଇବା ଅଭିଯୋଗରେ ପୋଲିସ୍ ୬ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ସେପଟେ ଗିରଫ ଭୟରେ ବିଧାୟିକାଙ୍କ ନିଜ ଗାଁ କେଶପୁର ପୁରୁଷ ଶୂନ୍ୟ ହୋଇପଡିଛି । ସୂଚନାରୁ ପ୍ରକାଶ, ବିଧାୟିକାଙ୍କ ସମର୍ଥକ ଓ ବିରୋଧୀଙ୍କ ଭିତରେ ପୂର୍ବରୁ ମତଭେଦ ଲାଗି ରହିଥିଲା । ପୂର୍ବରୁ ଦୁଇଗୋଷ୍ଠୀ ବହୁବାର ମୁହାଁମୁହିଁ ହୋଇଥିଲେ । ଯେଉଁଥିପାଇଁ ମାମଲା ଥାନାକୁ ଯାଇଥିଲା । ବୁଧବାର ମଧ୍ୟ ଦୁଇଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ସେହି ଘଟଣାକୁ ନେଇ ପୁଣିଥରେ ଲଙ୍କାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଗତ କିଛିବର୍ଷ ଧରି ଲାଗି ରହିଥିବା ରାଜନୈତିକ ଶତ୍ରୁତା ଗତକାଲି ଉଗ୍ରରୂପ ଧାରଣ କରିଥିଲା ।

ବିଧାୟିକାଙ୍କ ସମର୍ଥକ ଓ ବିରୋଧୀ ଦୁଇଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସଂଘର୍ଷ ହେବା ସହ ପରସ୍ପର ଉପରକୁ ଆକ୍ରମଣ କରିଥିଲେ । ଯାହାଫଳରେ ଅପର ଗୋଷ୍ଠୀର କିଛି ଦୁର୍ବୃତ୍ତ ବିଧାୟିକାଙ୍କ ଦୁଇ ସମର୍ଥକଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାପରେ ବିଧାୟିକା ଘରେ ଥିବା ଭାବି ଦୁର୍ବୃତ୍ତମାନେ ତାଙ୍କୁ ସେଠାକୁ ଆକ୍ରମଣ କରିବାକୁ ଯାଇଥିଲେ । ମାତ୍ର ଘରେ ତାଲା ପଡ଼ିଥିବା ଦେଖି ବାହାରେ ଭଙ୍ଗାରୁଜା କରିଛନ୍ତି । ଏପରିକି ଘରେ ଲାଗିଥିବା କାଚ ଓ ୨ଟି ବାଇକ ଭାଙ୍ଗି ଦେଇଥିଲେ । ପରେ ଦୁର୍ବୃତ୍ତମାନେ ବିଧାୟିକାଙ୍କ ନିଜ ଗାଁ କେଶପୁର ପାଟଣାସାହିରେ ପହଞ୍ଚି ତାଙ୍କ ସମର୍ଥକଙ୍କ ଉପରେ ବୋମାମାଡ଼ କରିଥିଲେ । ତେବେ ଏକାଧିକ ବୋମା ଫିଙ୍ଗା ଯାଇଥିବା ଜଣାପଡ଼ିଛି । ବିଧାୟିକାଙ୍କ ଅନୁପସ୍ଥିତରେ ଦୃର୍ବୃତ୍ତମାନେ ତାଙ୍କ ଘର ଉପରକୁ ବୋମାମାଡ଼ କରିବା ସହ ଢେଲା ମାଡ କରିଥିଲେ । ଯାହାକୁ ନେଇ ଗ୍ରାମରେ ଅଶାନ୍ତି ଲାଗି ରହିଥିବା ବେଳେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଚଳାଇଛି । ଗ୍ରାମରେ ଏବେ ମଧ୍ୟ ଅଶାନ୍ତି ଲାଗି ରହିଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Comments are closed.