ଦୁର୍ବଳ ହେଉଛି ଗଲ୍ଫ ଷ୍ଟ୍ରିମ୍ : ୩ ଦେଶରେ ଭୟଙ୍କର ପ୍ରାକୃତିକ ବିପର୍ଯୟ ଆଶଙ୍କା

69

ନୂଆଦିଲ୍ଲ : ବିଶ୍ୱର ଶୀର୍ଷ ପାଣିପାଗ ବୈଜ୍ଞାନିକମାନେ ଦେଶ ଦୁନିଆ ଲାଗି ଭୀଷଣ ବିପର୍ଯ୍ୟୟର ସତର୍କତା ଜାରି କରିଛନ୍ତି । ଏ ନେଇ ସେମାନେ ପ୍ରମାଣ ଉପସ୍ଥାପନ କରିଥିବା ବେଳେ ଆମେରିକା, କାନାଡା ଓ ବ୍ରିଟେନ୍ ଭଳି ଦେଶଙ୍କ ଲାଗି ଭୀଷଣ ବିପର୍ଯ୍ୟୟର ସଂକେତ ଦେଇଛନ୍ତି । ଯେଉଁଥିରୁ ଭାରତ ବି ବାଦ୍ ପଡ଼ିନଥିବା ଜଣାପଡିଛି । ବୈଜ୍ଞାନିକଙ୍କ ସୂଚନା ଅନୁସାରେ ଆଟଲାଣ୍ଟିକ ମହାସାଗରରେ ହେବାକୁ ଯାଉଥିବା ଏହି ପରିବର୍ତ୍ତନ ହିଁ ବିଶ୍ୱ ଲାଗି ନୂଆ ବିପର୍ଯ୍ୟୟ ନେଇ ଆସୁଥିବା ସୂଚିତ କରିଛନ୍ତି । “ନେଚର କ୍ଲାଇମେଟ୍ ଚେଞ୍ଜ’ ନାମକ ପତ୍ରିକାରେ ପ୍ରକାଶିତ ନୂଆ ରିସର୍ଚ୍ଚ ପେପରରେ ଏ ନେଇ ସୂଚନା ଦିଆଯାଇଛି । ଯାହାକୁ ନେଇ ସାରା ବିଶ୍ୱରେ ଏବେ ଚାଞ୍ଚଲ୍ୟ ଖେଳିଯାଇଛି ।

ଗବେଷଣାରୁ ଲବ୍ଧ ତଥ୍ୟରେ କୁହାଯାଇଛି ଯେ, ଗତ ଶତାବ୍ଦୀରୁ ଆଟଲାଣ୍ଟିକ୍ ମହାସାଗରରେ ଗଲଫ୍ ଧାରାର ପ୍ରବାହ ହ୍ରାସ ହେବାରେ ଲାଗିଛି । ଯାହା ଆଗାମୀ କିଛିବର୍ଷରେ ହୁଏତ ସମାପ୍ତ ବି ହୋଇପାରେ । ଯାହାର ସିଧା ପ୍ରଭାବ ବୈଶ୍ୱିକ ଜଳବାୟୁ ଉପରେ ପଡିବ ବୋଲି ବୈଜ୍ଞାନିକ ଆଶଙ୍କା ପ୍ରକାଶ କରିଛନ୍ତି । ଯଦି ଏପରି କିଛି ହୁଏ ତେବେ ସାରା ବିଶ୍ୱର ଋତୁଚକ୍ର ସବୁଦିନ ଲାଗି ବଦଳିଯିବ । ଫଳରେ ଜଳବାୟୁ ପ୍ରଣାଳୀ ଉପରେ ଏହାର ଗୁରୁତର ପ୍ରଭାବ ପଡିବା ସହ ବିଭିନ୍ନ ଦେଶରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଲକ୍ଷ ଲକ୍ଷ ଲୋକେ ପ୍ରାଣ ହରାଇବେ ବୋଲି ବୈଜ୍ଞାନିକ ସତର୍କ କରାଇଛନ୍ତି । ଏହି ଜଳଧାରା ପଶ୍ଚିମ ୟୁରୋପକୁ ଉଷ୍ମ ରଖିଥାଏ । ଏଣୁ ଗଲଫ୍ ଷ୍ଟ୍ରିମ୍କୁ ମହାସାଗୀରୟ ସ୍ରୋତ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ସ୍ରୋତ ମନେ କରାଯାଏ ଯାହା ବିଶ୍ୱ ଋତୁଚକ୍ରକୁ ସବୁଠୁ ଅଧିକ ପ୍ରଭାବିତ କରେ ।

ଏଥିଯୋଗୁ ଆଞ୍ଚଳିକ ପାଣିପାଗ ଯେପରିକି ଘୂର୍ଣ୍ଣିବଳୟ, ଘୂର୍ଣ୍ଣିବାତ୍ୟା ମଧ୍ୟ ନିୟନ୍ତ୍ରିତ ହୋଇଥାଏ । ବିଶ୍ୱ ଜଳବାୟୁ ଉପରେ ଏହି ଜଳ ସ୍ରୋତର ସବୁଠୁ ଅଧିକ ପ୍ରଭାବ ରହୁଥିବାରୁ ବୈଜ୍ଞାନିକଙ୍କ ନଜର ସମୁଦ୍ର ତଳେ ପ୍ରବାହିତ ହେଉଥିବା
ଗଲଫଷ୍ଟ୍ରିମ୍ ଉପରେ ରହିଥାଏ । ଗ୍ଲୋବାଲ ୱାର୍ମିଂ କାରଣରୁ ଏବେ ସାରା ବିଶ୍ୱର ତାପମାତ୍ରା ବଢିବାରେ ଲାଗିଛି । ଫଳରେ ଦକ୍ଷିଣ-ପୂର୍ବ ଗ୍ରୀନ୍ଲ୍ୟାଣ୍ଡକୁ ଲାଗି ରହିଥିବା ଆଟଲାଣ୍ଟିକ୍ ମହାସାଗରର ଏକ ବିସ୍ତୃତ ଅଞ୍ଚଳ ବରଫ ପାଲଟିବାରେ ଲାଗିଛି । ଏଥିରୁ ଆଟଲାଣ୍ଟିକ୍ ମହାସାଗରରେ ତାପମାତ୍ରା ଅସନ୍ତୁଳିତ ହେବା ସହ ଗଲଫ ଷ୍ଟ୍ରିମ୍ ଦୁର୍ବଳ ହେଉଥିବା ସୂଚନା ଦେଉଛି । ଯାହାକୁ ଏବେ ବିଶ୍ୱର ଋତୁଚକ୍ର ପରିବର୍ତ୍ତନର ସୂଚନା ବୋଲି ବୁଝାଯାଉଛି । ଯାହାର ପରିଣାମ ଏବେ ବିନାଶକାରୀ
ବୋଲି ବିଚାର କରାଯାଉଛି ।

ବୈଜ୍ଞାନିକଙ୍କ ସୂଚନା ଅନୁସାରେ ଆଟଲାଣ୍ଟିକ୍ ରେ ଗଲଫ ଷ୍ଟ୍ରିମ୍ ଦୁର୍ବଳ ହେବାର ଅର୍ଥ କେତେକ ଦେଶରେ ଭୀଷଣ ଝଡତୋଫାନ ତ କେତେକ ଦେଶରେ ସମୁଦ୍ରରେ ଜଳସ୍ତର ବୃଦ୍ଧି ଯୋଗୁ ଉପକୂଳ ସହର ବୁଡିବା ଭଳି ପରିସ୍ଥିତି ସୃଷ୍ଟି କରିବ । ସେହିପରି ଏବେ ଯେଉଁସବୁ ଦେଶ ଉତ୍ତମ ବର୍ଷା ପାଉଛନ୍ତି ଆଗକୁ ହୁଏତ ସେ ସବୁ ଦେଶମାନଙ୍କରେ ବର୍ଷା ହ୍ରାସ ସହ କ୍ରମଶଃ ସମ୍ପୂର୍ଣ୍ଣ ଉଭେଇଯିବ । ଫଳରେ ଦେଶ ମରୁଭୂମିରେ ପରିଣତ ହେବ । ଗଲଫଷ୍ଟ୍ରିମ୍ ଶୁଷ୍କ ହେବା ଯୋଗୁ ଏବେ ୟୁରୋପକୁ ଉଷ୍ମ ପବନ ବହିବା ମଧ୍ୟ ହ୍ରାସ ହେଲାଣି । ଫଳରେ ତାପମାତ୍ରା ହ୍ରାସ ଜନିତ ସମସ୍ୟା ଉପୁଜିଲାଣି । ଯାହା କ୍ରମଶଃ ଗୁରୁତର ହେବା ସହ ଆଗାମୀ ଦିନରେ ବ୍ରିଟେନ୍ ବରଫରେ ପୋତି ହୋଇଯିବ । କେବଳ ବ୍ରିଟେନ ନୁହେଁ ଭାରତର ହୀନ୍ଦ୍ ମହାସାଗର ଉପରେ ମଧ୍ୟ ଏହାର ପ୍ରଭାବ ପଡିବ । ଭାରତର ମୁଖ୍ୟ ବୃତ୍ତି କୃଷି ମୌସୁମୀ ଉପରେ ନିର୍ଭରଶୀଳ । ମୌସୁମୀ ଯୋଗୁ ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ସାରା ଦେଶ ସବୁଜ ସୁନ୍ଦର ହୋଇଥାଏ । ଯଦି ଗଲଫଷ୍ଟ୍ରିମ୍ ପ୍ରଭାବିତ ହୁଏ ତେବେ ଭାରତରେ ବର୍ଷା ପ୍ରଭାବିତ ହେବ ଓ ଚାଷ ଉଜୁଡିବ ବୋଲି ସତର୍କ କରାଯାଇଛି ।

Comments are closed.