ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା ୨୬ ଦିନ ବିତିଲା

0 74

ଟେକ୍ନିକାଲ ଓ ଫରେନ୍ସିକ ଲ୍ୟାବ ରିପୋର୍ଟକୁ ନେଇ ପୋଲିସର ତନାଘନା


ପାରଳାଖେମୁଣ୍ଡି, ୭ା୮ : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ବହୁ ଚର୍ଚ୍ଚିତ ମୃତ୍ୟୁ ଘଟଣାକୁ ୨୬ ଦିନ ବିତିଲା । ତଥାପି ଏହି ଘଟଣାର ସସ୍ପେନ୍ସର ଗୁମର ଉନ୍ନୋଚନ ହୋଇପାରିନାହିଁ । ଗଜପତି ପୋଲିସ ଟେକ୍ନିକାଲ ଓ ଫରେନ୍ସିକ୍ ଲ୍ୟାବ ରିପୋର୍ଟକୁ ନେଇ ବର୍ତ୍ତମାନ ତନାଘନା କରୁଥିବା ଜଣାଯାଇଛି । ମୃତ୍ୟୁ ଘଟଣାର ସମସ୍ତ ଟେକ୍ନିକାଲ ରିପୋର୍ଟ ଓ ଫରେନସିକ ଲ୍ୟାବ୍ ରିପୋର୍ଟ ପୁଲିସର ହସ୍ତଗତ ହୋଇଛି । ଏହାକୁ ଆଧାର କରି ଗଜପତି ପୋଲିସ ଭିନ୍ନ ଭିନ୍ନ ଭାବେ ତଜର୍ମା କରି ବ୍ୟାପକ ତନାଘନା ଜାରି ରଖିଛି । ଏହି ରିପୋର୍ଟ ଗୁଡିକ ସହ ବର୍ତ୍ତମାନ ସୁଦ୍ଧା ପୋଲିସ ଜେରା କରିଥିବା ବିଭିନ୍ନ ତଥ୍ୟକୁ ନେଇ ସମଗ୍ର ଘଟଣାର ପ୍ରେକ୍ଷାପଟ୍ଟରେ ଥିବା କାରଣ, ପାରିପାର୍ଶିକ ଘଟଣାବଳୀ ଓ କେଉଁ କେଉଁ ଚରିତ୍ରଙ୍କ କଣ ଭୂମିକା ରହିଛି ସେନେଇ ପୋଲିସ ଟିକିନିଖି ଭାବେ ଅନୁଧ୍ୟାନ ଚଳାଇଛନ୍ତି । ବର୍ତ୍ତମାନ ଏହି ଘଟଣା ଘଟି ୨୬ ଦିନ ବିତିଲା ତଥାପି ସ୍ପଷ୍ଟ ହୋଇପାରି ନାହିଁ ମୃତ୍ୟୁର ପ୍ରକୃତ କାରଣ । ପୋଲିସ ଉକ୍ତ ଘଟଣା ସହ ସମ୍ପୃକ୍ତ ଥିବା ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଜେରା ଓ ପଚରାଉଚରାରେ ଶେଷ କରିଛି । ବର୍ତ୍ତମାନ ଘଟଣାର ବିଭିନ୍ନ ଟେକ୍ନିକାଲ ରିପୋର୍ଟ ଓ ଏ ସମ୍ପର୍କିତ ରିପୋର୍ଟକୁ ତର୍ଜମା ଚଳାଇଛି । ଏଥି ସହ ଏସିଏଫ୍ ସୌମ୍ୟରଞ୍ଜନଙ୍କ ଦେହରେ ନିଆଁ ଲାଗିବା ଠାରୁ ତାଙ୍କ ଶବଦାହ କରାଯିବା ପର୍ଯ୍ୟନ୍ତ ପ୍ରତ୍ୟେକ ଘଟଣାର ସମସ୍ତ ତଥ୍ୟକୁ ପୋଲିସ ଓ କ୍ରାଇମ୍ବ୍ରାଞ୍ଚ ତଦନ୍ତକାରୀ ଦଳ ଅନୁଧ୍ୟାନ ଜାରି ରଖିଛନ୍ତି । ଏଥି ସହ ସୌମ୍ୟରଞ୍ଜଙ୍କ ପରିବାରଙ୍କ ତରଫରୁ ପୂର୍ବରୁ ହୋଇଥିବା ଅଭିଯୋଗ ସହର ପରବର୍ତ୍ତୀ ସମୟରେ ଏମାନଙ୍କୁ ଜେରା ସମୟରେ ଦିଆଯାଇଥିବା ବୟାନର ତଥ୍ୟ ପ୍ରମାଣ, ଦସ୍ତାବିଜକୁ ନେଇ ମଧ୍ୟ ପୋଲିସ ତନାଘନା କରୁଛି । ଘଟଣାର ୨୬ ଦିନ ପରେ ସୁଦ୍ଧା ସୌମ୍ୟଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ, ହତ୍ୟା ନା ଆତ୍ମହତ୍ୟା ତାହା ପୋଲିସ ସ୍ପଷ୍ଟ କରୁ ବୋଲି ପାରଳାବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.