ଭୁବନେଶ୍ୱରରେ ଧର୍ମାନୁଷ୍ଠାନ ଖୋଲିବା ନେଇ ବିଏମସି ର ବୈଠକ

70

ଭୁବନେଶ୍ୱର : କୋଭିଡ୍ କଟକଣା କୋହଳ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଧର୍ମାନୁଷ୍ଠାନ ଗୁଡିକ ଖୋଲାଯାଉଛି । ତେବେ ଭୁବନେଶ୍ୱରରେ ଧର୍ମାନୁଷ୍ଠାନ ଖୋଲିବା ନେଇ କୌଣସି ନିଷ୍ପତି ହୋଇନଥିବାବେଳେ ବେଳେ ଆଜି ଏନେଇ ବିଏମସିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବିଏମସି କମିସନର ସଞ୍ଜୟ ସିଂହଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଧର୍ମାନୁଷ୍ଠାନ ଖୋଲିବା ପାଇଁ ବୈଠକ ବସିଥିଲା । ଏଥିରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନର କର୍ମକର୍ତାଙ୍କ ସମେତ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ ଓ ବିଭିନ୍ନ ନିଯୋଗ କର୍ମକର୍ତା ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ । ଏହି ବୈଠକରେ ମନ୍ଦିର ଓ ଅନ୍ୟ ଧାର୍ମିକ ଅନୁଷ୍ଠାନ ଖୋଲିବା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଆସନ୍ତା ୨୩ ତାରିଖରେ ଧର୍ମାନୁଷ୍ଠାନ ଖୋଲିବା ପାଇଁ ସମସ୍ତେ ପ୍ରସ୍ତାବ ଦେଇଥିଲେ ବୋଲି ଶ୍ରୀ ସିଂହ କହିଛନ୍ତି ।

ତେବେ ଏ ନେଇ ଏକ ଆଭ୍ୟନ୍ତରୀଣ ବୈଠକ ବସିବ ଏବଂ ଧର୍ମାନୁଷ୍ଠାନ ଖୋଲିବା ନେଇ ଦୁଇଟି ଦିଗକୁ ଗୁରୁତ୍ୱ ଦିଆଯିବ । କୋଭିଡ ସ୍ଥିତି ଓ ଆଜିର ବୈଠକର ମତାମତ ଆଧାରରେ ଧର୍ମାନୁଷ୍ଠାନ ଖୋଲିବା ନେଇ ନିଷ୍ପତି ନିଆଯିବ ବୋଲି ବିଏମସି କମିସନର୍ ସଞ୍ଜୟ ସିଂହ କହିଛନ୍ତି ।

Comments are closed.