ସ୍ମାର୍ଟ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା

71

-୧୫ରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
-ଉପକୃତ ହେବେ ୯୨.୫ଲକ୍ଷ ହିତାଧିକାରୀ
-ନଭେମ୍ବର ସୁଦ୍ଧା ସବୁ ହିତାଧିକାରୀଙ୍କୁ କାର୍ଡ

ଭୁବନେଶ୍ୱର : ସ୍ମାର୍ଟ ହେବ ରାଜ୍ୟର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ହିତାଧିକାରୀ ସଂଖ୍ୟା ୭୧ଲକ୍ଷରୁ ୯୨.୫ଲକ୍ଷକୁ ବୃଦ୍ଧି କରାଯାଇଏହି ସ୍ମାର୍ଟକାର୍ଡ ବଣ୍ଟନ କରାଯିବ । ଅଗଷ୍ଟ ୧୫ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ । ୨୦୧୮ରୁ ଆରମ୍ଭ ହୋଇଥିବା ଏହି ଯୋଜନା ଏବେସ୍ମାର୍ଟ ରୂପ ପାଇବା ସହିତ ହିତାଧିକାରୀ ଚୟନ ନେଇଥିବା ମାନଦଣ୍ଡ ବଦଳିବ । ଫଳରେ ଏହି ଯୋଜନାରେ ସାମିଲ ହେବେ ଅଧିକ ହିତାଧିକାରୀ । ସ୍ୱାଧୀନତା ଦିବସରେ ରାଜ୍ୟରେ କାର୍ଯ୍ୟକାରୀ ହେବ ନୂତନବିଏସକେୱାଇ ସ୍ମାର୍ଟ ହେଲ୍ଥ କାର୍ଡ । ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ସୁନ୍ଦରଗଡ଼, ବଲାଙ୍ଗୀର ଓ ମୟୂରଭଞ୍ଜ ଜିଲ୍ଲାରେ ଏହି କାର୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଣ୍ଟନ କରିବେ । ପରବର୍ତ୍ତୀ ସମୟରେ ଅନ୍ୟ ଜିଲ୍ଲାରେ ଏହି କାର୍ଡ ବଣ୍ଟାଯିବ । ଯାହାଫଳରେ ରାଜ୍ୟରେ ଅଧିକରୁ ଅଧିକ ଲୋକ କ୍ୟାସଲେସ୍ ଚିକିତ୍ସା ସୁବିଧା ପାଇପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

୨୦୧୮ ମସିହା ସ୍ୱାଧୀନତା ଦିବସରେ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ହୋଇଥିଲା । ଏଥିରେ ବିଜୁ କୃଷକ କଲ୍ୟାଣ ଯୋଜନା ବା ବିକେକେୱାଇ-୧ରେ ୨୫,୬୧,୬୦୨, ବିକେକେୱାଇ-୨ରେ ୪୪,୦୮, ୦୭୦, ବିପିଏଲ, ଅନ୍ତୋଦୟ ଓ ନିମ୍ନ ଆୟ ବର୍ଗର ୨ଲକ୍ଷ ଲୋକଙ୍କୁ ମିଶାଇ ସମୁଦାୟ ୭୧ଲକ୍ଷ ୬୯ ହଜାର ୬୭୨ ପରିବାରଙ୍କୁ ଏଥିରେ ସାମିଲ କରାଯାଇଥିଲା । ବର୍ଷକୁ ଗୋଟିଏ ପରିବାରକୁ ୫ଲକ୍ଷ ଓ ମହିଳାଙ୍କୁ ୧୦ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସହାୟତା ଦିଆଯାଇଛି । ମାତ୍ର ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁଯାୟୀ ଏନ୍ଏଫ୍ଏସ୍ଏ/ଏସ୍ଏଫ୍ଏସ୍ଏ ଅଧୀନରେ ଥିବା ରାଜ୍ୟର ୨୦ଲକ୍ଷ ୮୦ହଜାର ୩୨୮ ପରିବାର ସାମିଲ ହୋଇଛନ୍ତି । ଯାହାଫଳରେ ବିଏସକେୱାଇ ସ୍ମାର୍ଟ ହେଲ୍ଥ କାର୍ଡର କଳେବର ବୃଦ୍ଧି ପାଇଛି । ହସ୍ପିଟାଲରେ ସେବା ପାଇବା ପାଇଁ ହିତାଧିକାରୀଙ୍କୁ ବିଏସକେୱାଇ ସ୍ମାର୍ଟ ହେଲ୍ଥ କାର୍ଡ କିମ୍ବା ଏନ୍ଏଫ୍ଏସ୍ଏ/ଏସ୍ଏଫ୍ଏସ୍ଏ କାର୍ଡ ଦେଖାଇବାକୁ ହେବ । ବିଏସକେୱାଇ ଅଧୀନରେ ଏବେ ୧୮୩ଟି ହସ୍ପିଟାଲ ଅନୁବନ୍ଧିତ ହୋଇଥିବା ବେଳେ ୧୫୮୯ ପ୍ରକାର ପ୍ୟାକେଜ୍ ଦିଆଯାଉଛି । ରାଜ୍ୟ ବାହାରେ ରାଜ୍ୟ ଚିକିତ୍ସା ପାଙଋି ବା ଓଏସଟିଏଫ୍ ଅଧୀନରେ ୧୭ଟି ହସ୍ପିଟାଲ ଅନୁବନ୍ଧିତ ରହିଛି । ରାଜ୍ୟ ବାହାରେ ଅଧିକରୁ ଅଧିକ ଘରୋଇ ହସ୍ପିଟାଲମାନଙ୍କୁ ଏଥିରେ ସାମିଲ କରିବା ଲାଗି ଉଦ୍ୟମ କରାଯାଉଛି । ସେପ୍ଟେମ୍ବର ୧ତାରିଖରୁ ଏହା କାର୍ଯ୍ୟକାରୀ ହେବ । ଏହାସହ ଚିକିତ୍ସା ସୁବିଧା ପାଇଁ ବିକେକେୱାଇ ୧-୨ କାର୍ଡ, ଅନ୍ତୋଦୟ, ବିପିଏଲ, ନିମ୍ନ ଆୟ ସାର୍ଟିଫିକେଟର ଆବଶ୍ୟକତା ପଡ଼ିବ ନାହିଁ ।

ଚଳିତ ମାସରେ ମାଲକାନଗିରି, ସୁନ୍ଦରଗଡ଼, ଗଜପତି, ବଲାଙ୍ଗୀର ଓ ମୟୂରଭଞ୍ଜ ଜିଲ୍ଲାରେ କାର୍ଡ ବିତରଣ କରାଯିବ । ଆସନ୍ତା ନଭେମ୍ବର ୧୪ ସୁଦ୍ଧା ସବୁ ଜିଲ୍ଲାରେ କାର୍ଡ ବଣ୍ଟନ କାର୍ଯ୍ୟ ଶେଷ ହେବ । ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ଏହି କାର୍ଡ ବଣ୍ଟାଯିବ । ତେବେ ରାଜ୍ୟରେ କିଛି ଜିଲ୍ଲାରେ କୌଣସି ଘରୋଇ ହସ୍ପିଟାଲ ଅନୁବନ୍ଧିତ ନ ଥିବା ବେଳେ କେତେକ ଜିଲ୍ଲାରେ ଏହା କମ୍ ରହିଛି । ତେଣୁ ଏହି ସଂଖ୍ୟା ବୃଦ୍ଧି କରିବା ଲାଗି ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବୌଦ୍ଧ, ଦେବଗଡ଼, କନ୍ଧମାଳ, କୋରାପୁଟ, ମାଲକାନିଗିରି ଓ ନୂଆପଡ଼ା ଜିଲ୍ଲାରେ କୌଣସି ଘରୋଇ ହସ୍ପିଟାଲରେ ବିଏସକେୱାଇରେ ଅନୁବନ୍ଧିତ ନାହାନ୍ତି । ଏହାସହ ବଲାଙ୍ଗୀର, ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, ସୋନପୁର ଓ ସୁନ୍ଦରଗଡ଼ରେ ୫ରୁ କମ୍ ହସ୍ପିଟାଲ ଅନୁବନ୍ଧିତ ରହିଛନ୍ତି । ତେଣୁ ଯେଉଁ ହସ୍ପିଟାଲଗୁଡ଼ିକ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆଇନରେ ପଞ୍ଜୀକୃତ ହେବା ସହିତ ବୈଧ ଅଗ୍ନି ଓ ନିରାପତ୍ତା ସାର୍ଟିଫିକେଟ୍ ରହିଥିବ ସେମାନେ ବିଏସକେୱାଇରେ ଅନୁବନ୍ଧିତ ହେବା ଲାଗି ଆବେଦନ କରିାରିବେ । ଜିଲ୍ଲାସ୍ତରୀୟ ଅନୁବନ୍ଧିତ କମିଟି ଓ ସିଡିଏମ୍ଓଙ୍କ ପକ୍ଷରୁ ଏହାର ଯାଞ୍ଚ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.