ବିଜୁବାବୁଙ୍କ ଉଡାଜାହାଜ ପ୍ରେମ

0 61

ଭୁବନେଶ୍ୱର : ‘ଉଡାଜାହାଜ ହେଲା ବିଜୁବାବୁଙ୍କ ସାରା ଜୀବନର ସ୍ୱପ୍ନସଙ୍ଗିନୀ । ତାଙ୍କର ଷୋଳ ବର୍ଷ ବୟସରେ ସେତେବେଳେ ୧୯୩୧ ମସିହା, କଟକର କିଲ୍ଲା ପଡିଆରେ ଅଚାନକ ଦୁଇଟି ଉଡାଜାହାଜ ଓହ୍ଲାଇଲା ଓ ପେଟ୍ରୋଲ ଭରିବା ପୂର୍ବରୁ ସେମାନେ କଟକରେ ଗୋଟିଏ ରାତି ରହିଲେ । ସାରା କଟକ ଉଡାଜାହାଜ ଦେଖିବା ପାଇଁ ଏକାଠି ହୋଇଗଲା । ସ୍କୁଲ ଛାତ୍ର ବିଜୁବାବୁ ସେଠି ପହଞ୍ଚି (ମୋ ବାପା ମଧ୍ୟ) ପ୍ରଥମଥର ପାଇଁ ଉଡାଜାହାଜ ଦେଖିଲେ ଓ ଛୁଇଁଲେ । ବିଜୁବାବୁଙ୍କ ଉଡାଜାହାଜ ସାଙ୍ଗରେ “ଲଭ୍ ଆଟ ଫାଷ୍ଟ ସାଇଟ୍’ ସେଇଠୁ ଆରମ୍ଭ ହୋଇଥିଲା । ଉଡାଜାହାଜ ପ୍ରେମରେ ସେ ରେଭେନ୍ସା କଲେଜରୁ ବି.ଏ ପଢା ଅଧାରୁ ଛାଡି ଏରୋନେଟିକ୍ସ ଟ୍ରେନିଂ ଇନ୍ଷ୍ଟୁଚ୍ୟୁଟ ଓ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ୍ ରେ ପାଇଲଟ ହବା ପ୍ରଶିକ୍ଷଣ ପ୍ରାପ୍ତ କଲେ’ ।

ବିଜୁ ପଟ୍ଟନାୟକଙ୍କ ଉଡ଼ାଜାହାଜ ପ୍ରେମ ଓ ସେ କିପରି ଜଣେ ବୈମାନିକ ହେଲେ ତାହାର ଏକ ବିସ୍ତୃତ ସ୍ମୃତିଚାରଣ କରିଛନ୍ତି ଅବସରପ୍ରାପ୍ତ ପ୍ରଶାସକ ଓ ଗୀତିକାର ଦେବଦାସ ଛୋଟରାୟ । ତାଙ୍କ ଲିଖିତ ପୁସ୍ତକ ‘ବିଜୁବାବୁ’ ନିକଟରେ ପ୍ରକାଶ ପାଇଛି । ପୁସ୍ତକରେ ଛୋଟରାୟ ଏକଥା ମଧ୍ୟ ଲେଖିଛନ୍ତି ଯେ, ‘ବିଜୁ ୧୯୬୪ ମସିହାରେ କତିପୟ ଡିସି-୩ ଡାକୋଟା ବିମାନକୁ ନେଇ କଳିଙ୍ଗ ଏୟାର ଲାଇନ୍ସ ସ୍ଥାପନ କଲେ । ଏହାର ସେ ଥିଲେ ଏକମାତ୍ର ସଂସ୍ଥାପକ ଓ ମୁଖ୍ୟ ବୈମାନିକ । ୧୯୪୭ ମସିହାରେ କୋଲକାତା ଏୟାରପୋର୍ଟରେ ପରିତ୍ୟକ୍ତ ଏକ ଡିସି-୩ ଡାକୋଟା ବିମାନକୁ ନିଜେ ଚାଳନା କରି, ବିଜୁ ସେ ବର୍ଷ ଜୁଲାଇ ୨୨ ତାରିଖ ଦିନ ସ୍ୱାଧୀନ ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀ ସୁଲତାନ ଶାହାରିର ଓ ଭାଇସ୍ ପ୍ରେସିଡେଣ୍ଟ ଡକ୍ଟର ହାତାଙ୍କୁ ଡଚ୍ମାନଙ୍କ କବଳରୁ ଉଦ୍ଧାର କରି ଆଣିଥିଲେ । ସେ ଲୋମହର୍ଷଣକାରୀ କାହାଣୀ ବର୍ତ୍ତମାନ ଉଡାଜାହାଜର ଉଡାଣ ଇତିହାସରେ ଏକ ଲୋକକଥା ପରି । ନେହରୁଙ୍କ ଅନୁରୋଧରେ ବିଜୁବାବୁ ପ୍ରତିକୂଳ ପରିସ୍ଥିତିରେ ସେତେବେଳ ଆକାଶର ଉଚ୍ଚତମ ସୀମାରେ ତ କେତେବେଳେ ସମୁଦ୍ର ପାଣି ଛୁଇଁଲା ପରି ନିମ୍ନସ୍ତରରେ ନିଜ ଜୀବନକୁ ବିପନ୍ନ କରି, ଯେଉଁପରି ଆସିଲେ, ଡଚ୍ ଲଢୁଆ ବିମାନ ତାଙ୍କ ପ୍ରତିରୋଧରେ ସେ ସାହସ କରିପାରିଲେନି । ସେତେବେଳକୁ ବିଜୁ ପଟ୍ଟନାୟକଙ୍କ ବୟସ ମାତ୍ର ୩୨ ।

ବିଜୁ ପଟ୍ଟନାୟକ, କଟକଓ ଆଉ କିଛି ସ୍ମୃତି’ ଏହି ବିଷୟକୁ ନେଇ ଲିଖିତ ପୁସ୍ତକରେ ବିଜୁବାବୁଙ୍କ ପାଇଲଟ୍ ଜୀବନର ନାନା ରୋମାଞ୍ଚକର ଅନୁଭୂତି ବର୍ଣ୍ଣିତ ହୋଇଛି । ଦେବଦାସ ଛୋଟରାୟଙ୍କ କହିବା ଅନୁଯାୟୀ, ପ୍ରଥମରୁ ହିଁ ବିଜୁଙ୍କ ସମ୍ପର୍କ ଦୁଇ ରକମର ବିମାନ ସହିତ । ଗୋଟିଏ ହେଲା ଡାକୋଟା ଓ ଅନ୍ୟଟି ସ୍ପିଟ୍ ଫାୟାର । ଆମେରିକା ଡଗ୍ଲାସ ଏୟାରକ୍ରାଫ୍ଟ ଦ୍ୱାରା ଡିସି-୩ ଡାକୋଟା ଏକ ପଣ୍ୟବାହୀ ଜାହାଜ ହିସାବରେ ବିଗତ ୩୦ ଓ ୪୦ ଦଶକରେ ଏୟାର ଟ୍ରାନ୍ସପୋର୍ଟ ବା ବାୟୁ ପରିବହନର ସଂଜ୍ଞା ଆଉ ସ୍ୱରୂପ ବଦଳେଇ ଦେଇଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବିଜୟର ଶ୍ରେୟ ଆଇଜନ ହାୱାର ଡାକୋଟାର ବହୁଳ ବ୍ୟବହାରକୁ ଦେଇଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବିଜୁ ପଟ୍ଟନାୟକ ରୟାଲ ଇଣ୍ଡିଆନ ଏୟାରଫୋର୍ସ ପାଇଲଟ ହିସାବରେ ଇଂଲଣ୍ଡର ସୁପର ମାରାଇନ ଦ୍ୱାରା ନିର୍ମିତ ପ୍ରଖ୍ୟାତ ବ୍ରିଟିଶ ଫାଇଟର ପ୍ଲେନ୍ ସ୍ପାଇଟ ଫାୟାରର ଚାଳନା ମଧ୍ୟ କରିଥିଲେ । ହାକ୍ୱାର ହେରିକେନ ସହିତ ସ୍ପାଇଟ ଫାୟାର ଥିଲା ବିଟ୍ରେନର ପ୍ରମୁଖ ଯୁଦ୍ଧ ଜାହାଜ । ଯୁଦ୍ଧବେଳେ ଏହା ଜର୍ମାନର ଲୁପ୍ଟୱାଫର ମୁକାବିଲା କରିବାର ସମର୍ଥ ହୋଇଥିଲା-ଏକଥା ଲେଖିଛନ୍ତି ଛୋଟରାୟ । କଟକରୁ ଭୁବନେଶ୍ୱର ଓ ଧାନବାଦରୁ ଦିଲ୍ଲୀ ଯାଏଁ ବିଭିନ୍ନ ସମୟରେ ବିଜୁ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସିଥିଲେ ଦେବଦାସ ଛୋଟରାୟ । ସେହି ସବୁ ଛୋଟ ଛୋଟ ସ୍ମୃତିକୁ ନେଇ ଲିଖିତ ଏହି ପୁସ୍ତକରେ ବିଜୁ ପଟ୍ଟନାୟକଙ୍କ ସମ୍ପର୍କରେ ଆହୁରି ଅନେକ ରୋଚକ ତଥ୍ୟ ରହିଛି । ଭୁବନେଶ୍ୱରର ପେନ୍ ଇନ୍ ବୁକ୍ସ ଏହି ପୁସ୍ତକକୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.