ଅଲିମ୍ପିକ୍ସ ପଦକ ବିଜୟ ପଛରେ ଓଡ଼ିଶା: ବାତ୍ରା

0 68

ଭୁବନେଶ୍ୱର : ଅଲିମ୍ପିକ୍ସ ହକି ଖେଳାଳିଙ୍କୁ ରାଜ୍ୟ ସରକାର ସମ୍ବର୍ଦ୍ଧିତ କରିଛନ୍ତି । ଲୋକସେବା ଭବନରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ସଫଳତା ପାଇଁ ଉଭୟ ପୁରୁଷ ଓ ମହିଳା ହକି ଦଳକୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଲିମ୍ପିକ୍ସରେ ଦୀର୍ଘ ୪୧ବର୍ଷ ପରେ ଭାରତ ଯେଉଁ ସଫଳତା ହାସଲ କରିଛି ସେଥିପାଇଁ ଓଡ଼ିଶାର ଭୂମିକାକୁ ପୂରା ଦେଶ ପ୍ରଂଶସା କରିଛି । ଆଉ ଆଜି ସମ୍ବର୍ଦ୍ଧନା ଉତ୍ସବରେ ମଧ୍ୟ ହକି ପ୍ରତି ଓଡ଼ିଶାର ଅବଦାନକୁ ମନେ ପକାଇବା ସହ ପ୍ରଂଶସାରେ ପୋତି ପକାଇଛନ୍ତି ଭାରତୀୟ ଅଲମ୍ପିକ୍ସ ଆସୋସିଏସନର ସଭାପତି ନରିନ୍ଦର ବାତ୍ରା । ସମ୍ବର୍ଦ୍ଧନା ଉତ୍ସବରେ ନରିନ୍ଦର କହିଛନ୍ତି, ହକି ଖେଳାଳିଙ୍କ ଦ୍ୱିତୀୟ ଘର ପାଲଟିଛି ଓଡ଼ିଶା । ଏପରିକି ଭାରତୀୟ ହକିର ଘର ପାଲଟି ସାରିଛି ଓଡ଼ିଶା । ଆଉ ଏହା ପଛରେ ମୁଖ୍ୟମନ୍ତ୍ରୀଙ୍କ ବଡ ଅବଦାନ ରହିଛି । ହକିର ବିକାଶ ପାଇଁ ନବୀନ ଅନେକ ପଦକ୍ଷେପ ହାତକୁ ନେଇଛନ୍ତି । ଭିତ୍ତିଭୂମିକୁ ସୁଦୃଢ କରିବାଠାରୁ ଆରମ୍ଭ କରି ହକିକୁ ଲୋକପ୍ରିୟ କରିବା କ୍ଷେତ୍ରରେ ନବୀନଙ୍କ ଭୂମିକା ଅତୁଳନୀୟ । ଅଲିମ୍ପିକ୍ସ ପୂର୍ବରୁ ଓଡ଼ିଶାରେ ବଡ ବଡ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଛି, ଯାହା ଭାରତୀୟ ଟିମକୁ ବଳ ଦେଇଛି । ମୋଟାମୋଟି ଭାବେ କହିବାକୁ ଗଲେ ଓଡ଼ିଶା ସହଯୋଗରେ ଭାରତୀୟ ହକିର ଭାଗ୍ୟ ବଦଳିଛି ।

ଯେତେବେଳେ କ୍ରିକେଟ ପଛରେ ସମସ୍ତେ ପାଗଳ ଥିଲେ ସେତେବେଳେ ହକିକୁ ଆପଣାଇଥିଲା ଓଡ଼ିଶା । ହକିକୁ ନୂଆ ଜନ୍ମ ଦେଇଥିଲା ଓଡ଼ିଶା । ରାଜ୍ୟବାସୀଙ୍କଠାରୁ ଯେଉଁ ଭଲପାଇବା ମିଳିଥିଲା ତାହା ହକି ଖେଳାଳିଙ୍କ ମନୋବଳ ବଢାଇଥିଲା । ଆଉ ଏହିଠାରୁ ଭାରତୀୟ ହକିର ନୂଆ ଯୁଗ ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ନରିନ୍ଦର । ଏହାସହ ଅଲିମ୍ପିକ୍ସରେ ଦୀର୍ଘ ୪୧ ବର୍ଷ ପରେ ଭାରତ ଯେଉଁ ପଦକ ପାଇଛି ତାହା ପଛରେ ଓଡ଼ିଶାର ବଡ ଭୂମିକା ରହିଛି ବୋଲି ନରିନ୍ଦର କହିଛନ୍ତି । କ୍ରୀଡା କ୍ଷେତ୍ରରେ ଓଡ଼ିଶାର ଅବଦାନ ଭାରତୀୟ ହକିକୁ ସଫଳତାର ଶିଖରରେ ପହଞ୍ଚାଇଛି । ହକିର ଲୋକପ୍ରିୟତାର ଗ୍ରାଫ୍ ଏବେ ବଢି ଚାଲିଛି । କେବଳ ହକି ନୁହେଁ ବରଂ ଅନ୍ୟ କ୍ରୀଡାକୁ ମଧ୍ୟ ବେଶ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ଯେଉଁଥିପାଇଁ ପ୍ରତି ଜିଲ୍ଲାରେ ଇନ୍ଡୋର ଷ୍ଟାଡିୟମ୍ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାହା ଦର୍ଶାଉଛି ରାଜ୍ୟ ସରକାରଙ୍କ ଫୋକସ୍ ରେ ରହିଛି କ୍ରୀଡା ।

Leave A Reply

Your email address will not be published.