ତାଲିବାନୀ ରାଜ୍: ଭିଟାମାଟି ଛାଡ଼ୁଛନ୍ତି ଲୋକେ

0 63

-ମଉଜ ମଜ୍ଲିସ୍ ରେ ତାଲିବାନ ସେନା
-ଆଫଗାନ୍ ରେ ସବୁ ଦୂତାବାସ ବନ୍ଦ କଲା ଭାରତ
-ମୋଦୀଙ୍କ ଆଫଗାନ୍ ସ୍ଥିତି ସମୀକ୍ଷା

କାବୁଲ : ଆଫାଗାନିସ୍ତାନରେ ତାଲିବାନୀ ରାଜ୍ ପରେ ବଦଳିଯାଇଛି ସେଠାକାର ଚିତ୍ର । ଗତକାଲି ଏୟାରପୋର୍ଟ ଜନସମୁଦ୍ର ପାଲଟିଥିଲା । ଦେଶ ଛାଡ଼ିବାକୁ ବ୍ୟାକୁଳ ଲୋକଙ୍କ କରୁଣ ଦୃଶ୍ୟ ଦେଖିଥିଲା ସାରାବିଶ୍ୱ । ଆମେରିକା ମିଲିଟାରୀ ଓ ପଶ୍ଚିମ ୟୁରୋପ୍ର କିଛି ରାଷ୍ଟ୍ର ସହଯୋଗରେ ଘନି ସରକାରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ବ୍ୟକ୍ତି ଓ ସେମାନଙ୍କ ପରିବାରକୁ ସୁରକ୍ଷିତ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଆମେରିକା ବାୟୁସେନା ବିମାନରେ ଖୁନ୍ଦାଖୁନ୍ଦି ହୋଇ ବସିଛନ୍ତି ଲୋକ । ଅନ୍ୟ ଉପାୟ ବି ନାହିଁ । କ୍ଷମତାଠାରୁ ଢେର ଅଧିକ ହେଲେ ବି ଲୋକଙ୍କ ତୁଳନାରେ ବିମାନ ସଂଖ୍ୟା କମ୍ ଥିବାରୁ ଲୋକେ ଜୀବନ ବିକଳରେ ସେଥିରେ ପଶୁଛନ୍ତି । କାବୁଲ୍ରୁ କୂଟନୈତିକ, ଫଶିଥିବା ଅନ୍ୟ ଦେଶର ଲୋକେ ଓ ୨୦ବର୍ଷ ହେବ ତାଲିବାନୀ ବିରୋଧୀ ଲଢ଼େଇରେ ସ୍ୱର ଉତ୍ତୋଳନ କରିଥିବା ଲୋକଙ୍କୁ ସେଠାରୁ ଅନ୍ୟତ୍ର ନିଆଯାଉଛି । ସେଥିପାଇଁ ଆମେରିକା ପ୍ରଥମେ ୨୫୦୦ ଓ ପରେ ଆଉ ୧୦୦୦ ସୈନ୍ୟ ପଠାଇଛି । ସେମାନେ ଏୟାରପୋର୍ଟ ଦାୟିତ୍ୱରେ ଅଛନ୍ତି ।

ଆଫଗାନି ସଂକଟ ଓ ସେନା ପ୍ରତ୍ୟାହାର ଉପରେ ବାଇଡେନ୍ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ସେନା ଅପସାରଣ ନିଷ୍ପତ୍ତି ଏକଦମ୍ ଠିକ । ଯେଉଁଠି ଆଫଗାନି ସେନା ନିଜ ଦେଶ ଲଢ଼ିବାକୁ ଓ ମରିବାକୁ ପ୍ରସ୍ତୁତ ନୁହଁ, ସେଠି ଆମେରିକା ସେନା ଆଉ କେତେ ଦିନ ରହିଥାନ୍ତେ । ୧୫ବର୍ଷ ପୂର୍ବରୁ ବି ସେନା ପ୍ରତ୍ୟାହାର କରିଥିଲେ ସେତେବେଳେ ମଧ୍ୟ ଏହା ଘଟିଥାନ୍ତା । ବାଇଡେନ୍ ଆହୁରି କହିଛନ୍ତି ଆଫଗାନର ସୁରକ୍ଷା ଆମେରିକାର କାମ ନୁହେଁ । ଯେଭଳି ଆତଙ୍କୀ ହାମ୍ଲା ନ ହେବ ତାହା ଆମର ଫୋକସ୍ ବୋଲି ସେ କହିଛନ୍ତି । ୨୦ ବର୍ଷ ପରେ ତାଲିବାନ ହାତକୁ ଯାଇଛି ଆଫଗାନ୍ ର କ୍ଷମତା । ଲୋକେ ଆଗକୁ ଭୟାଭହ ସ୍ଥିତି ନେଇ ଆକଳନ କରୁଛନ୍ତି । ଭୟରେ ଦେଶ ଛାଡ଼ିବାକୁ ସମସ୍ତେ ବ୍ୟାକୁଳ ଥିବାବେଳେ ତାଲିବାନ ଯୋଦ୍ଧାମାନେ କିନ୍ତୁ ଖୁସି ମନାଉଛନ୍ତି । ରାଷ୍ଟ୍ରପତି ଭବନ ଅକ୍ତିଆର ପରେ ସେଠାରେ ଖିଆପିଆ କରିବା ସହିତ ମଉଜ ମଜଲିସ୍ କରୁଛନ୍ତି । ରାଷ୍ଟ୍ରପତି ଭବନରେ ଥିବା ଜିମ୍ ରେ ବ୍ୟାୟାମ କରୁଥିବା ଭିଡିଓ ଏବେ ଭାଇରାଲ ହେଉଛି । ଅନ୍ୟପକ୍ଷରେ ଆଫଗାନ୍ ର ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଛି । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ସୁରକ୍ଷା ପରିଷଦର ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଅଛନ୍ତି । ସୂଚନାଯୋଗ୍ୟ ଯେ, କାବୁଲରେ ଥିବା ସମସ୍ତ ଦୂତାବାସକୁ ବନ୍ଦ କରିଛି ଭାରତ । ରାଷ୍ଟ୍ରଦୂତ ଓ ସମସ୍ତ କର୍ମଚାରୀଙ୍କୁ ବାୟୁସେନା ବିମାନରେ ଭାରତ ଅଣାଯାଇଛି ।

ଭାରତର ମହାନତା ଆଫଗାନବାସୀଙ୍କୁ ଭିସା ଦେବାକୁ ପ୍ରତିଶ୍ରୁତି :

ଆଫଗାନିସ୍ତାନକୁ ତାଲିବାନ ଦଖଲ କରିନେବା ପରେ ସେଠାରେ ଭୟଙ୍କର ଭାବେ ମାନବୀୟ ସଂକଟ ଦେଖାଦେଇଛି । ତାଲିବାନୀ ଆତଙ୍କବାଦୀଙ୍କ ଭୟରେ ଏବେ ସେଠାକାର ଲୋକେ ଦେଶ ଛାଡିବାକୁ ବାଧ୍ୟ ହୋଇଛନ୍ତି । ଏହି କ୍ରମରେ ହଜାର ହଜାର ଆଫଗାନବାସୀ ବିଶ୍ୱର ବିଭିନ୍ନ ଦେଶରେ ଶରଣ ପାଇଁ ଉଦ୍ୟମ କରୁଛନ୍ତି । ଆଫଗାନବାସୀଙ୍କ ଏଭଳି ସଂକଟ ସମୟରେ ଭାରତ ସହାୟତାର ହାତ ବଢାଇବା ସହ ମାନବିକତାର ପରିଚୟ ଦେଇଛି । ଭାରତ ସରକାରଙ୍କ ପକ୍ଷରୁ ଆଫଗାନ ଶରଣାର୍ଥୀଙ୍କ ପାଇଁ ସ୍ୱ୍ୱତନ୍ତ୍ର ଇ-ଭିସାର ବ୍ୟବସ୍ଥା କରାଯାଇଛି । ଆଉ ଏହି ଭିସାର ନାମ “ଇ-ଏମର୍ଜେନ୍ସି ଏକ୍ସ-ମିସ ଭିସା’ ରଖାଯାଇଛି । ଏହି ଭିସା ସହାୟତାରେ ଧର୍ମସଂପ୍ରଦାୟ ନିର୍ବିଶେଷରେ ସବୁ ଆଫଗାନବାସୀ ଭିସା ପାଇଁ ଆବେଦନ କରିପାରିବେ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଆଫଗାନବାସୀଙ୍କ ପାଇଁ କୌଣସି ଇ-ଭିସାର ବ୍ୟବସ୍ଥା ନଥିଲା । ହେଲେ ଏବେ ଆଫଗାନରେ ଦେଖାଦେଇଥିବା ମାନବୀୟ ସଂକଟକୁ ଦୃଷ୍ଟିରେ ରଖି ଭାରତ ସରକାର ଏଭଳି ବ୍ୟବସ୍ଥା କରିଛନ୍ତି । ଏହି ଇ-ଭିସା ବ୍ୟବସ୍ଥା ଅନୁସାରେ ଭିସା ପାଇଁ ଆବେଦନ କରୁଥିବା ଆଫଗାନବାସୀଙ୍କ ଆବେଦନଗୁଡିକର ବି·ର ନୂଆ ଦିଲ୍ଲୀରେ କରାଯିବ । ଆବେଦନକାରୀଙ୍କ ପୃଷ୍ଠଭୂମି ଓ ଆବଶ୍ୟକ ସୁରକ୍ଷା ଯାଞ୍ଚ ପରେ ଆବେଦନକୁ ମଞ୍ଜୁର କରାଯିବ । ଇ-ଭିସା ଆଇନ ମୁତାବକ ପ୍ରଥମ ୬ମାସ ପାଇଁ ଭିସା ଦିଆଯିବ । ସୂଚନା ଥାଉକି ତାଲିବାନୀମାନେ ଆଫଗାନିସ୍ତାନ ଦଖଲ କରିବା ପୂର୍ବରୁ ସେଠାରେ ଦମନଲୀଳା ଚଳାଇଛନ୍ତି । ସେନାଙ୍କୁ ହତ୍ୟା କରାଯାଉଛି, ସାଧାରଣ ଲୋକଙ୍କୁ ଘର ଛାଡିବାକୁ ବାଧ୍ୟ କରାଯାଉଛି । ମହିଳା ଓ ଶିଶୁମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଯାଉଛି ।ଏଥିରେ ଭୟଭୀତ ହୋଇ ଆଫଗାନର ଲୋକମାନେ ଦେଶଛାଡି ଅନ୍ୟ ଦେଶର ଶରଣ ନେବାକୁ ଦେଶର ବିଭିନ୍ନ ସୀମାରେ ଭିଡ ଜମାଇଛନ୍ତି।

Leave A Reply

Your email address will not be published.