ପ୍ରଥମଥର ପାଇଁ ମପାଯିବ ଶିଶୁଙ୍କ ଆଣ୍ଟିବଡି

0 65

ଭୁବନେଶ୍ୱର : ପ୍ରଥମ ଥର ପାଇଁ ଅଧା ଓଡ଼ିଶାର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ହେବ ସେରୋ ସର୍ଭେ । ଏହାସହ ଶିଶୁମାନଙ୍କର ଆଣ୍ଟିବଡି ମପାଯିବ । ରାଜ୍ୟର ୧୨ଟି ଜିଲ୍ଲାରେ ରାଣ୍ଡମ ସାମ୍ପଲ ଟେଷ୍ଟ କରାଯିବ । ୬ ରୁ ୧୮ ବର୍ଷ ଓ ସବୁବର୍ଗର ଲୋକଙ୍କର ହେବ ସେରୋ ସର୍ଭେ । ଲୋକଙ୍କ ଶରୀରରେ କେତେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି ତାହା ସ୍ପଷ୍ଟ ହେବ ବୋଲି ଆରଏମ୍ଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି କହିଛନ୍ତି । ପୂର୍ବରୁ କୋରାପୁଟ, ରାୟଗଡ଼ା, ଗଞ୍ଜାମ ଜିଲ୍ଲାରେ ସେରୋ ସର୍ଭେ କରାଯାଇଥିଲା । ଗଞ୍ଜାମରେ ଲୋକଙ୍କ ଦେହରେ ସର୍ବାଧିକ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥିବା ବେଳେ ରାୟଗଡ଼ା ଓ କୋରାପୁଟରେ ୬୦ ପ୍ରତିଶତ ଉପରେ ରହିଥିଲା ରୋଗ ପ୍ରତିରୋଧକ ଶକ୍ତି । ପିଲାଙ୍କ ପାଇଁ କୋଭିଡ ଟିକା ଆସିନଥିବାରୁ ପ୍ରକୃତରେ ସେମାନଙ୍କ ଶରୀରେ କେତେ ଆଣ୍ଟିବଡି ସୃଷ୍ଟି ହୋଇଛି ସେରୋ ସର୍ଭେରେ ଜଣାପଡିବ । ଏଥିପାଇଁ ରାଜ୍ୟ ସରକାର ୫୭ ଦଶମିକ ୭୦ଲକ୍ଷ ଟଙ୍କା ବ୍ୟୟବରାଦ କରିଛନ୍ତି ।

ଖୁବ୍ଶୀଘ୍ର ସେରୋ ସର୍ଭେ ଆରମ୍ଭ ହେବ ବୋଲି ଆରଏମ୍ଆରସି ନିର୍ଦ୍ଦେଶିକା କହିଛନ୍ତି । ରାଜ୍ୟରେ ସଂକ୍ରମଣ ନିମ୍ନଗାମୀ । ଦ୍ୱିତୀୟ ଲହର ସରିଆସୁଛି । କିନ୍ତୁ ସମ୍ପୂର୍ଣ୍ଣ ସରିନି ବୋଲି ଡିଏମ୍ଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି । ଶିଶୁଙ୍କ ସଂକ୍ରମଣ ୧୨ପ୍ରତିଶତ ପାଖାପାଖି ରହୁଛି । ଯେହେତୁ ଯୁବଗୋଷ୍ଠୀ ଓ ବୟସବର୍ଗ ସଂକ୍ରମିତ ହୋଇସାରିଛନ୍ତି ବା ଟିକା ନେଇସାରିଛନ୍ତି ସେଥିପାଇଁ ଶିଶୁଙ୍କୁ ଅଧିକ ସଂକ୍ରମଣର ଆଶଙ୍କା ରହୁଛି । ଶିଶୁ ସଂକ୍ରମଣ ତଥ୍ୟ ଉପରେ ସପ୍ତାହେ ନଜର ରଖିବା ପରେ ସ୍ଥିତି କେମିତି ଅଛି ଜଣାପଡ଼ିବ । ତେବେ ଶିଶୁ ଗୁରୁତର ହେବା ବହୁତ କମ୍ ରହିଛି । ପ୍ରଥମ ଓ ଦ୍ୱିତୀୟ ଲହରରେ ଯେଉଁ ପଦକ୍ଷେପ ନିଆଯାଇଥିଲା ତୃତୀୟ ଲହରରେ ବି ସମାନ ପଦକ୍ଷେପ ନିଆଯିବ । ଶିଶୁଙ୍କ ସୁରକ୍ଷା ଲାଗି ଅଧିକ ବ୍ୟବସ୍ଥା କରାଯାଇଛି । ସେପଟେ ଇକ୍ମୋ ମେସିନ ଇନ୍ଷ୍ଟଲେସନ୍ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସମସ୍ତ ୯ଟି ମେସିନ୍ କଟକ ଏସ୍ସିବି ମେଡିକାଲରେ ଇନ୍ଷ୍ଟଲ୍ ହୋଇସାରିଛି । ଏହା ଜୀବନ ରକ୍ଷାକାରୀ ମେସିନ । ଏଥିରେ ଟ୍ରାଏଲ ଆଣ୍ଡ ଏରର୍ କରାଯାଇପାରିବ ନାହିଁ । ଭଲ ଭାବେ ପରୀକ୍ଷା କରାଯିବା ପରେ ମେସିନ କାର୍ଯ୍ୟକ୍ଷମ ହେବ ।

Leave A Reply

Your email address will not be published.