ଏଣିକି ସ୍ମାର୍ଟକ୍ଲାସ୍ ରେ ପଢ଼ିବେ ଛାତ୍ରଛାତ୍ରୀ : ଜୀବନର ଶ୍ରେଷ୍ଠ ସମୟ ହେଉଛି ସ୍କୁଲ

0 72

ହିଞ୍ଜିଳି : ପ୍ରତି ପିଲା ହେଉଛି ଅନନ୍ତ ସମ୍ଭାବନାର ପ୍ରତୀକ । ତାର ସୁନ୍ଦର ଭବିଷ୍ୟତ ପାଇଁ ତା ଆଖିରେ ଥାଏ ଅନେକ ସ୍ୱପ୍ନ ଓ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ରୂପାନ୍ତର ଆଣିଛି ସୁଯୋଗ । ପିଲାଙ୍କ ସ୍ୱପ୍ନ ସାକାର ହେଲେ ପୂରଣ ହେବ ନୂଆ ଓଡିଶା, ନବୀନ ଓଡିଶାର ଲକ୍ଷ୍ୟ । ସ୍କୁଲ ହେଉଛି ସମସ୍ତଙ୍କ ଜୀବନର ଶ୍ରେଷ୍ଠ ସମୟ । ଏହି ରୂପାନ୍ତର ତୁମର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅନେକ ସୁଯୋଗ ସୃଷ୍ଟି କରିବ ବୋଲି ସ୍ମାର୍ଟକ୍ଲାସ୍ ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଏହା କହିଛନ୍ତି । ଭିଡିଓ କନ୍ଫରେନ୍ସିଂ ଜରିଆରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଓ ଶେରଗଡ଼ ବ୍ଲକ୍ର ୫୦ଟି ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିରେ ଆରମ୍ଭ ହୋଇଥିବା ଏହି ରୂପାନ୍ତରଣ କାର୍ଯ୍ୟ ସାରା ରାଜ୍ୟକୁ ବାଟ ଦେଖାଇଛି । ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୦୭୦ ସ୍କୁଲର କାୟାକଳ୍ପ ହେବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଥିଲେ । ୫-ଟି ଉପକ୍ରମ ବିଷୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସ୍କୁଲ ରୂପାନ୍ତର ହେଉଛି ଆମର ୫-ଟି କାର୍ଯ୍ୟକ୍ରମର କ୍ଲାସିକ୍ ଉଦାହରଣ । ୫-ଟିର ପଞ୍ଚଆଧାର ବିଷୟରେ ଅବତାରଣା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଟେକ୍ନୋଲୋଜି, ଟିମ୍ୱାର୍କ, ଟାଇମ୍, ଟ୍ରାନ୍ସପରେନ୍ସି ଏବଂ ଟ୍ରାନ୍ସଫର୍ମେସନ୍ । ଏହା ହିଁ ରୂପାନ୍ତରଣକୁ ସମ୍ଭବ କରିପାରିଛି । ଟେକ୍ନୋଲୋଜି ଆମକୁ ସ୍ମାର୍ଟକ୍ଲାସ୍ ରୁମ୍, ଇ-ଲାଇବ୍ରେରୀ, କମ୍ପ୍ୟୁଟର ଏବଂ ମଡର୍ଣ୍ଣ ଲାବୋରେଟୋରୀରର ସୁବିଧା ଦେଇଥିବା ବେଳେ, ଆମ ସମସ୍ତଙ୍କର ମିଳିତ ଉଦ୍ୟମ ହେଉଛି ଟିମ୍ୱାର୍କ । ପଞ୍ଚାୟତ ପ୍ରତିନିଧିଠାରୁ ଆରମ୍ଭକରି ସ୍କୁଲ ପରିଚାଳନା କମିଟି, ଶିକ୍ଷକ-ଶିକ୍ଷୟିତ୍ରୀ,ପୁରାତନ ଛାତ୍ରଛାତ୍ରୀ, ପ୍ରଶାସନ, ଅଭିଭାବକ, ସ୍ଥାନୀୟ ଜନସାଧାରଣ ସମସ୍ତେ ଏଥିପାଇଁ ମିଶି କାମ କରିଛନ୍ତି । ୫-ଟିର ତୃତୀୟ ଆଧାର ହେଉଛି ଟାଇମ୍ ।

ଏ ବିଷୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅଗଷ୍ଟ ୧୫ ସୁଦ୍ଧା ହିଞ୍ଜିଳି-ଶେରଗଡର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ଶେଷ
କରିବା ପାଇଁ ମୁଁ ପ୍ରଶାସନକୁ ଟାର୍ଗେଟ ଦେଇଥିଲି । ୬ ମାସ ତଳେ କାମ ଆରମ୍ଭ ହେଲା ଏବଂ ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ଶେଷ ହେଲା । ଏହା ସମ୍ଭବ ହୋଇପାରିଲା ସମସ୍ତଙ୍କର ନିଷ୍ଠା ଓ ପ୍ରତିବଦ୍ଧତା ଯୋଗୁ । ୫-ଟିର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଆଧାର ହେଲା ଟ୍ରାନ୍ସପରେନ୍ସି ବା ସ୍ୱଚ୍ଛତା । ସ୍କୁଲମାନଙ୍କରେ ଯାହାକିଛି ପରିବର୍ତ୍ତନ ଆସିଛି, ଲୋକଙ୍କ ସହ ଆଲୋଚନା କରି କରାଯାଇଛି । ଭିଜନ ଡକ୍ୟୁମେଣ୍ଟ ଠାରୁ ଆରମ୍ଭ କରି ଖର୍ଚ୍ଚ ବିଷୟରେ ଲୋକମାନେ ସବୁ ବିଷୟରେ ଅବଗତ ଅଛନ୍ତି । ସେମାନେ ନିଜେ ମଧ୍ୟ କାମ ତଦାରଖ କରିଛନ୍ତି । ସ୍ୱଚ୍ଛତା ହେଉଛି ୫-ଟିର ସବୁଠାରୁ ବଡ ଶକ୍ତି । ଆଉ ଗୋଟିଏ ବିଷୟ ହେଲା ପିଲାମାନଙ୍କ ପାଇଁ ଭଲ ପିଇବା ପାଣି ଓ ଉତ୍ତମ ପରିମଳ ବ୍ୟବସ୍ଥାର ଉପଲବ୍ଧତା । ଏସବୁ କିଛି ଆଣିପାରିଛି ରୂପାନ୍ତର ଏବଂ ଯାହା କି ସମସ୍ତେ ଦେଖି ପାରୁଛନ୍ତି ଓ ଅନୁଭବ ମଧ୍ୟ କରିପାରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

ପରିଶେଷରେ ଜନସାଧାରଣ ରୂପାନ୍ତରଣ ହୋଇଥିବା ସ୍କୁଲ ଗୁଡିକର ଯତ୍ନ ନିଜ ସଂପତ୍ତି ପରି ନେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ୨୦ ଜଣ ବିଧାୟକ ଓ ମନ୍ତ୍ରୀ ଭାଗ ନେଇଥିଲେ । ସେମାନେ ସ୍କୁଲ ରୂପାନ୍ତରୀକରଣ କାମର ଉଚ୍ଚପ୍ରଶଂସା କରିଥିଲେ । ୫-ଟି ସଚିବ ଭି.କେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଞ୍ଚାଳନା କରିଥିଲେ । ଏଥିରେ ମୁଖ୍ୟ ଶାସନ ସଚିବଙ୍କ ସମେତ ବରିଷ୍ଠ ପଦାଧିକାରୀ ଓ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.