ଓଡ଼ିଶାରେ ମୌସୁମୀ ଦୁର୍ବଳ: ଆଇଏମ୍ଡି

0 51

ଭୁବନେଶ୍ୱର : ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହୋଇଯାଇଥିବା ଭାରତୀୟ ପାଣିପାଗ ବିଭାଗ କହିଛି । ଏହା ଫଳରେ ଚଳିତ ବର୍ଷ ରାଜ୍ୟରେ ବର୍ଷା ନିଅଣ୍ଟ ଦେଖାଯିବାର ଆଶଙ୍କା ସୃଷ୍ଟି ହୋଇଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ରିପୋର୍ଟ ଅନୁସାରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ତେବେ ୨୫ ତାରିଖ ବେଳକୁ ରାଜ୍ୟର କିଛି ଜିଲ୍ଲା ଯେପରିକି ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ, ସୁନ୍ଦରଗଡ଼, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହୋଇପାରେ ।

ତେବେ ଗତକାଲି ଘରୋଇ ପାଣିପାଗ ସଂସ୍ଥା କହିଥିଲା ଯେ ଆସନ୍ତା ୨୭ କିମ୍ବା ୨୮ ଆଡ଼କୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ଏହି ସମ୍ଭାବ୍ୟ ଲଘୁଚାପର ପ୍ରଭାବ ସୀମିତ ରହିବାର ସମ୍ଭାବନା ରହିଛି । ଏହା ସତ୍ତେ୍ୱ ଏହି ଲଘୁଚାପ ପ୍ରଭାବରୁ ରାଜ୍ୟରେ ବର୍ଷା ନିଅଣ୍ଟ ସ୍ଥିତି ସୁଧୁରିବାର ସମ୍ଭାବନା ରହିଛି । ଚଳିତ ମାସରେ ସମଗ୍ର ଦେଶରେ ବର୍ଷା ଅଭାବ ଦେଖାଦେଇଛି । ତେବେ ଗତ କିଛି ଦିନ ହେଲା ମଧ୍ୟ ଓ ଉତ୍ତର ଭାରତରେ ଭଲ ବର୍ଷା ହୋଇଥିବାରୁ ନିଅଣ୍ଟ ପରିମାଣ କିଛିଟା ଭରଣା ହୋଇଛି । ଅଗଷ୍ଟ ୧ରୁ ୧୮ ମଧ୍ୟରେ ହାରାହାରି ୧୫୯.୯ ମିଲିମିଟର ବର୍ଷା ହୋଇଥାଏ । କିନ୍ତୁ ଚଳିତ ଅଗଷ୍ଟର ଏହି ସମୟରେ ଦେଶରେ ମାତ୍ର ୧୧୦ ମିଲିମିଟର ବର୍ଷା ହୋଇଛି ଯାହାକି ୩୧ ପ୍ରତିଶତ କମ୍ ।

Leave A Reply

Your email address will not be published.