ଭୟରେ ଥରହର ଆଫଗାନ୍ ବାସୀ : ମାର୍କିନ୍ ଅସ୍ତ୍ରଶସ୍ତ୍ରରେ ବଳିଆନ୍ ତାଲିବାନୀ

0 55

କାବୁଲ : ଆଫଗାନ୍ କୁ ଅଧିକାର କରିବା ପରେ ପ୍ରତିଦିନ ବର୍ବରତାର ଚିତ୍ର ସାମ୍ନାକୁ ଆସିଛି । ତାଲିବାନୀମାନେ ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକମାନଙ୍କୁ ଜୀବନ୍ତ ଲୋକଙ୍କ ଶରୀରରୁ ଚମଡ଼ା ଉତାରି ସେମାନଙ୍କୁ ଦଣ୍ଡ ଦେଉଥିବାର ଦୃଶ୍ୟ ଏବେ ସାମ୍ନକୁ ଆସିଛି । ଯାହା ଯେକୌଣସି ଲୋକର ହୃଦୟକୁ ଥରାଇ ଦେବ । ସେହିପରି ସର୍ବସମ୍ମୁଖରେ ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କୁ ଖୁଣ୍ଟରେ ଝୁଲାଇ ଫାଶୀ ଦେଉଛନ୍ତି । ବିଶେଷକରି ଆଫଗାନ ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକମାନେ ସେମାନଙ୍କ ଟାର୍ଗେଟରେ ରହିଛନ୍ତି । ସେମାନଙ୍କ ସହ ତାଲିବାନୀମାନେ ଏପରି ବର୍ବରକାଣ୍ଡ କରୁଛନ୍ତି ବୋଲି ପୂର୍ବତନ ଆମେରିକା କଂଗ୍ରେସ ସଦସ୍ୟ ମାର୍କ ୱାଲକର କହିଛନ୍ତି ।

ଗୋଟିଏ ସାକ୍ଷାତକାରରେ ସେ ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ସୂଚନା ଦେବା ସହ ଆଫଗାନରେ ରହୁଥିବା ସଂଖ୍ୟାଲଘୁଙ୍କ ପାଇଁ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି, ମୁଁ ସବୁବେଳେ ଭୟର ଶବ୍ଦକୁ ଘୃଣା କରେ । କିନ୍ତୁ ଏବେ ଭୟର ସ୍ଥିତି ଆଫଗାନରେ ସୃଷ୍ଟି ହୋଇଛି । ତାଲିବାନର ବର୍ବରତା ସବୁ ସୀମା ଟପି ଯାଇଛି । ସବୁ ଧର୍ମର ଧର୍ମଗୁରୁମାନେ ସେମାନଙ୍କ ସାପ୍ତାହିକ ପ୍ରାର୍ଥନା ବେଳେ ୫ ମିନିଟ ପାଇଁ ଆଫଗାନ ଲୋକଙ୍କ ସୁରକ୍ଷା ପାଇଁ ନିବେଦନ କରନ୍ତୁ । କାରଣ ସେଠାକାର ସ୍ଥିତି ବେଶ ଗମ୍ଭୀର । ତାଲିବାନୀମାନେ ଆଫଗାନ ଦଖଲ କରିବା ପରେ ଖ୍ରୀଷ୍ଟିୟାନ ସଂପ୍ରଦାୟର ଗୋଟିଏ ପରିବାର ସଦସ୍ୟମାନଙ୍କ ଚମଡ଼ା ଜୀବନ୍ତ ଅବସ୍ଥାରେ ଉତାରି ଦେଇଛନ୍ତି । ଏହାପରେ ସେମାନଙ୍କୁ ଖୁଣ୍ଟରେ ଝୁଲାଇ ଦଣ୍ଡ ଦେଇଛନ୍ତି । କେବଳ ଏହି ଗୋଟିଏ ପରିବାର ନୁହନ୍ତି, ଅନେକ ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକଙ୍କୁ ଏପରି ଦଣ୍ଡ ମିଳୁଛି ।

ସୂଚନାଯୋଗ୍ୟ, ତାଲିବାନୀମାନେ ଏବେ ଘର ଘର ବୁଲି ପୂର୍ବ ସରକାର ଓ ଆମେରିକା ସେନା ପାଇଁ କାମ କରୁଥିବା ଲୋକଙ୍କୁ ଖୋଜୁଛନ୍ତି । ସେମାନଙ୍କୁ ପାଇବା ମାତ୍ରେ ଗୁଳି କରି ହତ୍ୟା କରୁଛନ୍ତି । ଏଥିପାଇଁ ଅନେକ ପୂର୍ବତନ ସରକାରୀ କର୍ମଚାରୀ ଭୟରେ ଲୁଚି ରହିଛନ୍ତି । ଅନ୍ୟପକ୍ଷରେ ତାଲିବାନମାନେ ମହିଳାଙ୍କର ୨ ଆଖି ତାଡ଼ି ନେଇଥିଲେ । ତାଙ୍କ ଉପରକୁ ୬ରୁ ୭ରାଉଣ୍ଡ ଗୁଳି ଚଳାଇଥିଲେ । ଏତେ ସବୁ ହେବା ପରେ ବି ମହିଳାଜଣକ ନିଜ ଜୀବନ ବଞ୍ଚାଇ ପଳାଇ ଆସିବାରେ ସଫଳ ହୋଇଥିଲେ । ପରେ ତାଙ୍କ ଦୁଃଖଦ କାହାଣୀ ମିଡିଆ ସାମ୍ନାରେ ବଖାଣିଛନ୍ତି । କସ୍ତୁରବା ନଗରର ସମସ୍ତଙ୍କ ମୁହଁରେ ଆଜି ଖାତିରାଙ୍କ ବାହାଦୁରୀର କାହାଣୀ ଶୁଣିବାକୁ ମିଳୁଛି । ଗତ ୮ ମାସ ହେବ ସେ ଭାରତରେ ନିଜ ଆଖିର ଚିକିତ୍ସା କରାଇଥିଲେ । ତାଲିବାନଙ୍କ ପାଇଁ ତାଙ୍କର ୨ ଆଖି ନଷ୍ଟ ହୋଇଯାଇଛି । ଖାତିରାଙ୍କ ସ୍ୱାସ୍ଥ୍ୟାବସ୍ଥା ଖୁବ୍ ଖରାପ ଥିଲା । ତାଙ୍କ ପରିବାର ମଧ୍ୟ ବିଚଳିତ ଅବସ୍ଥାରେ ଥିଲେ । ତାଙ୍କ ତିନି ସନ୍ତାନ ଗଜନୀରେ ରୁହନ୍ତି । ସେ ତାଙ୍କର କନିଷ୍ଠ ସନ୍ତାନ ଏବଂ ସ୍ୱାମୀଙ୍କ ସହ ଭାରତ ଆସିଥିଲେ ଆଖିର ଚିକିତ୍ସା କରିବା ପାଇଁ । ଖାତିରାଙ୍କ ସ୍ୱାମୀ ନିଜ ଅନୁଭୂତି ସମ୍ପର୍କରେ ଯାହା କହିଛନ୍ତି ତାହା ଅତ୍ୟନ୍ତ ହୃଦୟ ବିଦାରକ । ଖାତିରା ଆଫଗାନିସ୍ତାନ ପୋଲିସରେ କାମ କରୁଥିଲେ । ସେ ଗଜନୀରେ ଡ୍ୟୁଟି କରିବା ସମୟରେ ତାଲିବାନମାନେ ତାଙ୍କୁ ଅପହରଣ କରିବାକୁ ଉଦ୍ୟମ କରିଥିଲେ । ଖାତିରା ଏହାକୁ ବିରୋଧ କରିବାରୁ ତାଙ୍କ ଉପରକୁ ୬ ରାଉଣ୍ଡ ଗୁଳି ଚଳାଇଥିଲେ । ଏପରିକି ତାଙ୍କ ଆଖିକୁ ମଧ୍ୟ ଆଘାତ ଦେଇଥିଲେ । ଫଳରେ ଖାତିରା ଦୃଷ୍ଟିଶକ୍ତି ହରାଇଥିଲେ । ତଥାପି କୌଣସି ପ୍ରକାରେ ସେ ନିଜର ଜୀବନ ବଞ୍ଚାଇ ପଳାଇ ଆସିଥିଲେ । ତେବେ ତାଲିବାନଙ୍କ ଭୟ ତାଙ୍କ ମନରୁ ଯାଇନି । ତାଲିବାନ କ୍ଷମତାକୁ ଆସିବା ପରେ ନିୟମିତ ଭାବେ ତାଙ୍କ ଘରକୁ ଯାଇ ପଚରାଉଚରା କରୁଛନ୍ତି । ଖାଲି ଖାତିରା ନୁହେଁ, ସେନା ଏବଂ ପୋଲିସରେ କାମ କରୁଥିବା ବ୍ୟକ୍ତିଙ୍କ ଘର ଉପରେ ତାଲିବାନମାନେ କଡା ନଜର ରଖିଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ଭାରତକୁ ଚିକିତ୍ସା ପାଇଁ ଆସିଥିବା ପ୍ରତ୍ୟେକ ଆଫଗାନ ନାଗରିକ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । ଅଧିକାଂଶ ଲୋକ ଭାରତ ଏବଂ ଅନ୍ୟ ଦେଶରେ ଶରଣ ନେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ।

ସେହିପରି ତାଲିବାନ ବିରୋଧରେ ଏପରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଣେ ପୂର୍ବତନ ମହିଳା ବିଚାରପତି ନାଜିଲା ଆୟୋବି । ସେ କହିଛନ୍ତି ଯେ,ମହିଳାମାନଙ୍କୁ ତାଲିବାନର ଆତଙ୍କବାଦୀମାନେ ନିଜର ଯୌନାକାଂକ୍ଷା ପୂରଣ ପାଇଁ ବ୍ୟବହାର କରୁଛନ୍ତି । ଆଉ କିଛି ଆତଙ୍କବାଦୀ ମହିଳାଙ୍କୁ କପିନରେ ଭର୍ତ୍ତି କରି ବାହାର ଦେଶକୁ ଚାଲାଣ କରୁଛନ୍ତି । ସେମାନଙ୍କୁ ଯୌନଦାସୀ ଭାବେ ବ୍ୟବହାର କରାଯାଉଛି । ଦେଶର ଉତ୍ତର ପ୍ରାନ୍ତରେ ଜଣେ ମହିଳା ଠିକ୍ ଭାବେ ରୋଷେଇ କରିପାରିନଥିଲେ । ତେଣୁ ତାଙ୍କୁ ଜୀଅନ୍ତା ଜାଳି ଦିଆଯାଇଥିଲା । ମହିଳା ବିଚାରପତିଜଣଙ୍କ ଆହୁରି କହିଛନ୍ତି ଯେ, କମ ବୟସର ଯୁବତୀମାନଙ୍କୁ ଜବରଦସ୍ତ ବିବାହ ପାଇଁ ବାଧ୍ୟ କରାଯାଉଛି । ଏହାସହ ସେମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଛି । ସେମାନଙ୍କୁ ରୋଷେଇ କରିବାକୁ ବାଧ୍ୟ କରାଯାଉଛି । କିଛି ସପ୍ତାହ ହେଲା କମ୍ ବୟସର ଯୁବତୀଙ୍କୁ ବାହାର ଦେଶକୁ ଚାଲାଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ସବୁଠାରୁ ବଡ଼ କଥା ହେଉଛି ତାଲିବାନ ହାତରେ ଏବେ ଅଜସ୍ର ମାର୍କିନ୍ ଅସ୍ତ୍ର । ଆମେରିକା ଯୋଗାଇଥିବା ଏମ୍-୪ କାର୍ବାଇନ୍ ଏବଂ ଏମ୍-୧୬ ରାଇଫଲ୍ ଧରି ବୁଲୁଛନ୍ତ ତାଲିବାନୀ କମାଣ୍ଡୋ । ୨୦୧୩-୧୬ ଭିତରେ ଆଫଗାନ୍ ସେନାକୁ ଏମ୍-୪, ଏମ୍-୧୬ ଭଳି ୬ଲକ୍ଷ ହାଲ୍କା ଅସ୍ତ୍ର ଦେଇଥିଲା ଆମେରିକା । ୮୦ହଜାର ଗାଡି, ନାଇଟ୍ ଭିଜନ୍ ଚଷମା ଏବଂ ରେଡିଓ ଯୋଗାଇଥିଲା । ସେହିପରି ୨୦୧୭-୧୯ ମଧ୍ୟରେ ୭ହଜାର ମେସିନ୍ ଗନ୍, ୪୭୦୦ ହମ୍ବି, ୨୦ହଜାରରୁ ଅଧିକ ଗ୍ରେନେଡ୍ ଓ ପ୍ରଚୁର ଗୁଳିଗୋଳା ଦେଇଥିଲା । ସେଥିରୁ ଏୟାରଷ୍ଟ୍ରାଇକ୍ ଦ୍ୱାରା ଆମେରିକା କିଛି ଅସ୍ତ୍ରଶସ୍ତ୍ର ନଷ୍ଟ କରିଦେଇଥିବା ବେଳେ ପ୍ରଚୁର ପରିମାଣର ଅସ୍ତ୍ର ଏବେ ଏହି ଆତଙ୍କବାଦୀ ସଙ୍ଗଠନ ହାତରେ । ଏହି ଅସ୍ତ୍ରଶସ୍ତ୍ର ଏବେ ସମଗ୍ର ବିଶ୍ୱର ଚିନ୍ତା ବଢ଼ାଇଛି । ତାଲିବାନକୁ ସମର୍ଥନ କରିଥିବା ଆତଙ୍କୀ ସଂଗଠନ ହାତକୁ ବି ଏହି ଅସ୍ତ୍ର ଯାଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।

Leave A Reply

Your email address will not be published.