ଆମ ପିଲା କୌଣସି ଗୁଣରେ କମ୍ ନୁହଁନ୍ତି : ସୁଯୋଗ ମିଳିଲେ ଇତିହାସ ସୃଷ୍ଟି କରିପାରିବେ

0 73

-ଆଉ ୧୦ ସ୍ମାର୍ଟ ବିଦ୍ୟାଳୟ ଲୋକାର୍ପିତ

ହିଞ୍ଜିଳିକାଟୁ/ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୦ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କ ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ୫ଟି ପର୍ଯ୍ୟାୟରେ ୫୦ଟି ସ୍କୁଲର ଲୋକାର୍ପଣ କରାଯିବ । ଆଜି ଲୋକାର୍ପିତ ହୋଇଥିବା ବିଦ୍ୟାଳୟଗୁଡିକ ହେଉଛି ବୃନ୍ଦାବନ ନାୟକ ସ୍ମୃତି ବିଦ୍ୟାପୀଠ,ଶାସନ ଆମ୍ବଗାଁ ପଞ୍ଚାୟତ, କୁମାରପାଣି ହାଇସ୍କୁଲ, କୁମାରପାଣି ପଞ୍ଚାୟତ, ସରକାରୀ ୟୁଜି ହାଇସ୍କୁଲ, ସାପୁଆପଲ୍ଲୀ,ଦାରୁଭଦ୍ର ପଞ୍ଚାୟତ, ଲାଞ୍ଜିଆପଲ୍ଲୀ ହାଇସ୍କୁଲ, ଧନତରା ପଞ୍ଚାୟତ, ଗ୍ରାମପଞ୍ଚାୟତ ହାଇସ୍କୁଲ, ଶାହାପୁର ପଞ୍ଚାୟତ, କରଡ଼କଣା ହାଇସ୍କୁଲ, କରଡକଣା ପଞ୍ଚାୟତ, ଭଗବତୀ ବିଦ୍ୟାପୀଠ, ବୁରୁପଦ ପଞ୍ଚାୟତ, ସହିଦ୍ ହାଇସ୍କୁଲ, ଟକରଡା ପଞ୍ଚାୟତ, ମା’ କାଳୀ ହାଇସ୍କୁଲ, କୁଳାଗଡା ପଞ୍ଚାୟତ ଓ ଜେସିସି ହାଇସ୍କୁଲ, ଭାବନ୍ଧ ପଞ୍ଚାୟତ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦ୍ବୋଧନ ଦେଇ କହିଛନ୍ତି ଯେ, ଆମର ଓଡିଶାର ପିଲାମାନେ ପ୍ରତିଭାରେ କାହାଠାରୁ କମ୍ ନୁହନ୍ତି । ସେମାନଙ୍କ ପାଖରେ ଭରପୁର ସମ୍ଭାବନା ରହିଛି । ସୁଯୋଗ ପାଇଲେ ସେମାନେ ଇତିହାସ ସୃଷ୍ଟି କରିପାରିବେ । ଏହି ପ୍ରସଙ୍ଗରେ ହକି ଖେଳର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ହକି ଖେଳରେ ଆମର ପ୍ରଚୁର ସମ୍ଭାବନା ଥିଲା । ଯେତେବେଳେ ସେମାନଙ୍କୁ ପ୍ରୋତ୍ସାହନ ମିଳିଲା ସେମାନେ ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ମେଡାଲ ଜିତି ଆମ ପାଇଁ ଗୌରବ ଆଣିଲେ । ଓଡିଶା ସରକାର ହକିର ପ୍ରାୟୋଜକ ଅଛନ୍ତି । ଓଡିଶାର ଦୁଇଜଣ ଖେଳାଳୀ ଦେଶପାଇଁ ଖେଳି ଆମର ମର୍ଯ୍ୟାଦା ବଢାଇଛନ୍ତି । ତେଣୁ ସବୁ କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗୁରୁତ୍ୱାରୋପ କରିଥିଲେ । ପିଲାମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲ ହେଉଛି ସମସ୍ତଙ୍କ ଜୀବନର ଶ୍ରେଷ୍ଠ ସମୟ । ଏହି ରୂପାନ୍ତର ତୁମମାନଙ୍କ ପାଇଁ । ତୁମମାନଙ୍କ ଭବିଷ୍ୟତ ପାଇଁ ଏବଂ ତୁମମାନଙ୍କୁ ଶ୍ରେଷ୍ଠ ଗଢିବା ପାଇଁ ଏହା ଅନେକ ସୁଯୋଗ ସୃଷ୍ଟି କରିବ ।

୫-ଟି କାର୍ଯ୍ୟକ୍ରମ ଏହି ରୂପାନ୍ତରୀକରଣରେ କିପରି ପ୍ରମୁଖ ଭୂମିକା ନେଇଛି ସେ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୫-ଟିର ପ୍ରତ୍ୟେକ ନୀତିର ପ୍ରୟୋଗ ବିଦ୍ୟାଳୟ ରୂପାନ୍ତରଣକୁ ସଫଳ କରିଛି । ହିଞ୍ଜିଳିରେ ଆରମ୍ଭ ହୋଇଥିବା ଏହି ରୂପାନ୍ତରଣ କାର୍ଯ୍ୟ ସାରା ରାଜ୍ୟରେ ଆଗ୍ରହ ସୃଷ୍ଟି କରିଛି । ଅତିଥି ଭାବରେ ଯୋଗ ଦେଇଥିବା ମନ୍ତ୍ରିମଣ୍ଡଳର ସଦସ୍ୟବୃନ୍ଦ ଓ ବିଧାୟକମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିରୁ ଆରମ୍ଭ ହୋଇଥିବା ସ୍କୁଲମାନଙ୍କର ଏ ରୂପାନ୍ତରଣ ଓଡ଼ିଶାର ଶିକ୍ଷା ଇତିହାସରେ ଏକ ଗୌରବମୟ ଅଧ୍ୟାୟ ଯୋଡ଼ି ପାରିଛି । ମନ୍ତ୍ରୀ ଓ ବିଧାୟକମାନେ ସେମାନଙ୍କ ଅଞ୍ଚଳରେ ଏହି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ କିପରି ଭଲ ଭାବରେ କାର୍ଯ୍ୟକାରୀ ହେବ ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଏହା ସହିତ ସ୍ଥାନୀୟ ଜନସାଧାରଣଙ୍କୁ ସାମିଲ କରି ଗଞ୍ଜାମରେ ଯେପରି ସଫଳତା ମିଳିଛି, ଅନ୍ୟ ସବୁ ଜିଲ୍ଲାରେ ମଧ୍ୟ ସେହିପରି ଲୋକଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହି ଅବସରରେ ୧୦ଟି ଯାକ ସ୍କୁଲରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଯୋଗ ଦେଇଥିଲେ ମନ୍ତ୍ରିମଣ୍ଡଳର ସଦସ୍ୟ, ବିଧାୟକଗଣ, ସରପଞ୍ଚ, ପଞ୍ଚାୟତ ସଦସ୍ୟ, ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମନ୍ତ୍ରୀ ଅଶୋକ ପଣ୍ଡା,ମନ୍ତ୍ରୀ ରଘୁନନ୍ଦନ ଦାସ ଓ ବିଧାୟକମାନେ ଯୋଗଦେଇ ହିଞ୍ଜିଳି ବିକାଶ ସମ୍ପର୍କରେ ସୋମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ଲୋକସେବା ଭବନରୁ ମୋ ସ୍କୁଲର ଅଧ୍ୟକ୍ଷ ସସ୍ମିତା ବାଗ୍ଚୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ୫-ଟି ସଚିବ ଭି.କେପାଣ୍ଡିଆନ୍ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଗଞ୍ଜାମ ଜିଲ୍ଳାପାଳ ସ୍ୱାଗତ ଭାଷଣ ଦେଇଥିଲେ ।

Leave A Reply

Your email address will not be published.