ଚାଷୀ ଆନ୍ଦୋଳନ: ସୁପ୍ରିମକୋର୍ଟଙ୍କ ଉଦବେଗ

0 77

-ତୁରନ୍ତ ସମାଧାନର ବାଟ ବାହାର କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : କୃଷକଙ୍କ ଆନ୍ଦୋଳନ ଯୋଗୁଁ ରାସ୍ତା ବନ୍ଦ ପ୍ରସଙ୍ଗରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଏହି ସମସ୍ୟାର ସମାଧାନ କରିବା ପାଇଁ କହିଛନ୍ତି । ନୋଏଡାର ଜଣେ ମହିଳାଙ୍କ ଦ୍ୱାରା ଦାଖଲ ହୋଇଥିବା ପିଟିସନର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହା କହିଛନ୍ତି । ଆବେଦନକାରୀଙ୍କ ଦ୍ୱାରା ଦାଖଲ ହୋଇଥିବା ପିଟିସନରେ କୁହାଯାଇଥିଲା ଯେ ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ନୋଏଡାରୁ ଦିଲ୍ଲୀକୁ ସଂଯୋଗ କରୁଥିବା ରାସ୍ତା ବନ୍ଦ ହୋଇଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତାକୁ ଖୋଲାଯିବା ଉଚିତ୍ । ଏହି ପ୍ରସଙ୍ଗରେ ବର୍ତ୍ତମାନ ପର୍ଯ୍ୟନ୍ତ ରାସ୍ତା କାହିଁକି ବନ୍ଦ ରହିଛି ବୋଲି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି । ଏହା ସହିତ କୋର୍ଟ କେନ୍ଦ୍ର ସରକାର ଏବଂ ସଂପୃକ୍ତ ତିନି ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରି ଏହାର ଜବାବ ମାଗିଛନ୍ତି । ଏହି ରାସ୍ତା ଅବରୋଧ ହଟାଇବାକୁ ଚେଷ୍ଟା କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କୋର୍ଟ କହିଛନ୍ତି ।

ଆବେଦନ ଶୁଣାଣି ସମୟରେ ଜଷ୍ଟିସ କୌଲ କହିଛନ୍ତି, “ଏହାର ସମାଧାନ କେନ୍ଦ୍ର ସରକାର ଏବଂ ସଂପୃକ୍ତ ରାଜ୍ୟମାନଙ୍କ ହାତରେ ଅଛି । କୌଣସି କାରଣରୁ ରାସ୍ତା ବନ୍ଦ ହେବା ଉଚିତ୍ ନୁହେଁ । ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କୁ ସମୟ ଦିଆଯାଇଛି । ସେ ଏହି ସମସ୍ୟାର ସମାଧାନ କରି ଆମକୁ ରିପୋର୍ଟ ଦାଖଲ କରିବା ଉଚିତ । ଗୋଟିଏ ପଟେ ସମାଧାନ ପାଇଁ କୋର୍ଟ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ଏବଂ ଅନ୍ୟପଟେ କୃଷକଙ୍କ ଆନ୍ଦୋଳନ ସମ୍ପର୍କରେ ମଧ୍ୟ ପରାମର୍ଶ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଚାଷୀଙ୍କ ଆନ୍ଦୋଳନ କରିବାର ଅଧିକାର ଅଛି, କିନ୍ତୁ ଏଥିପାଇଁ ସେମାନେ ରାସ୍ତା ବନ୍ଦ କରିପାରିବେ ନାହିଁ । ସେମାନେ ଅନ୍ୟ କୌଣସି ସ୍ଥାନରେ ଆନ୍ଦୋଳନ କରିପାରିବେ । ନୋଏଡା ନିବାସୀ ମୋନିକା ଅଗ୍ରୱାଲ କୋର୍ଟରେ ଏକ ଆବେଦନ କରିଥିଲେ ଯେ ପୂର୍ବରୁ ନୋଏଡାଠାରୁ ଦିଲ୍ଲୀ ଯାଏଁ ମାତ୍ର ୨୦ ମିନିଟ୍ ସମୟ ଲାଗୁଥିଲା, ବର୍ତ୍ତମାନ ଦୁଇ ଘଣ୍ଟାରୁ ଅଧିକ ସମୟ ଲାଗୁଛି । ଏହି ସଙ୍କଟ ଶେଷ ହେବାର ଆବଶ୍ୟକତା ରହିଛି । ଏହା ଶୁଣି କୋର୍ଟ କହିଛନ୍ତି ଯେ କୃଷକଙ୍କ ସମସ୍ୟା ଅନ୍ୟ ଉପାୟରେ ସମାଧାନ ହୋଇପାରିବ । କିନ୍ତୁ ସାଧାରଣ ଲୋକ ଏହିପରି ଯନ୍ତ୍ରଣା ଭୋଗିବା ଉଚିତ୍ ନୁହେଁ ।

Leave A Reply

Your email address will not be published.