ଅଧା ଓଡ଼ିଶାରେ ମରୁଡ଼ି ! ମୁକାବିଲା ପାଇଁ ତ୍ରିସୂତ୍ରୀ ଆକ୍ସନ୍ ପ୍ଲାନ

0 67

ଭୁବନେଶ୍ୱର : ଶ୍ରାବଣ ମାସରେ ବି ନିଦାଘ ଖରା । ମୌସୁମୀ ଖେଳୁଛି ଲୁଚକାଳି ଖେଳ । ରାଜ୍ୟରେ ଶୁଭିଲାଣି ଆସନ୍ନ ମରୁଡିର ପଦଧ୍ୱନୀ । ଯେଉଁ ସମୟରେ ସବୁଜ ଧାନ କ୍ଷେତ ପବନରେ ଲହଡ଼ି ମାରିବା କଥା ସେହି ସମୟରେ ବର୍ଷା ଅଭାବରୁ ମାଟି ଫାଟି ଆଁ କଲାଣି । ମରିବାକୁ ବସିଲାଣି ଧାନ ଗଛ । ଉପକୂଳଠାରୁ ଉପାନ୍ତ ଯାଏ ସବୁଠି ସମାନ ଅବସ୍ଥା । ୩୦ ଜିଲ୍ଲାର ୧୫ ବ୍ଲକ୍ ଅଧିକ ପ୍ରଭାବିତ ହୋଇଛି । ଏହାର ମୁକାବିଲା କିପରି ହେବ ସେ ନେଇ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଚଳିତ ବର୍ଷାଋତୁରେ ଏବେ ସୁଦ୍ଧା ୨୮.୮ ପ୍ରତିଶତ କମ୍ ବର୍ଷା ହୋଇଛି । ଅଗଷ୍ଟ ମାସରେ ୫୦% କମ୍ ବର୍ଷା ହୋଇଥିବା ବେଳେ ୨୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ୯୦% ଜିଲ୍ଲାରେ ବର୍ଷାର ପରିମାଣ ସ୍ୱାଭାବିକ୍ଠାରୁ କମ୍ ରହିଛି । ଜୁନ୍ ପହିଲାରୁ ଆଜିସୁଦ୍ଧା ସ୍ୱାଭାବିକ୍ ଠାରୁ ୩୦ ପ୍ରତିଶତ କମ୍ ବର୍ଷା ହୋଇଛି । ଜୁନ୍ ରେ ୧୬ ପ୍ରତିଶତ, ଜୁଲାଇରେ ୨୧ ପ୍ରତିଶତ, ଅଗଷ୍ଟ ଆଜିସୁଦ୍ଧା ୫୧ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ଏଥିପାଇଁ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି ସରକାର । ସମସ୍ତ ଜଳସେଚନ ପ୍ରକଳ୍ପ ଚାଲୁ ରଖିବା ସହ ସବୁ ଉଠାଜଳସେଚନ ଓ ବୋରୱେଲ ଆଦିକୁ ବିଦ୍ୟୁତ୍ ସଂଯୋଗ ଅବ୍ୟାହତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରତି ଜିଲ୍ଲାକୁ ବ୍ଲକ୍ ପଞ୍ଚାୟତୱାରୀ ବିକଳ୍ପ ଫସଲ ପାଇଁ କଣ୍ଟିଜେନ୍ସି ପ୍ଲାନ୍ ପ୍ରସ୍ତୁତ ପାଇଁ କୁହାଯାଇଛି । ସମସ୍ତ କେନାଲର ଶେଷ ମୁଣ୍ଡ ପର୍ଯ୍ୟନ୍ତ ପାଣି ପହଞ୍ଚିବା ଆବଶ୍ୟକ । କେନାଲର ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କମ୍ ବୃଷ୍ଟିପାତ ଥିବା ବ୍ଲକମାନଙ୍କରେ ଅଣଧାନ ଚାଷ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଆବଶ୍ୟକ ବିହନ ଓ ମଞ୍ଜି ଯୋଗାଇବାକୁ ରାଜ୍ୟ ବିହନ ନିଗମକୁ ନିର୍ଦ୍ଦେଶ ଦିଆଯାଇଛି । କୃଷି ଶ୍ରମିକମାନଙ୍କୁ ମନରେଗା ଓ ଅନ୍ୟ ସରକାରୀ ଯୋଜନାରେ ସାମିଲ କରାଯାଇ କାମ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ସରକାରଙ୍କୁ ଘେରିବା ପାଇଁ ଉଦ୍ୟମ କରିଛନ୍ତି ବିଜେପି ଓ କଂଗ୍ରେସ । ମରୁଡ଼ି ସ୍ଥିତି ଅନୁଧ୍ୟାନ କରିବାକୁ ଚାରୋଟି କମିଟି ଗଠନ କରିଛି ଦଳ । ମରୁଡ଼ି ସ୍ଥିତିକୁ ଗମ୍ଭୀରତାର ସହ ସରକାର ନେଉନାହାନ୍ତି ବୋଲି କଂଗ୍ରେସ ମଧ୍ୟ ଅଭିଯୋଗ କରିଛି ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ଚାଷୀଙ୍କ ସୁବିଧା ପାଇଁ ହୋଇଥିବା ବୀମା ଯୋଜନା ସେମାନଙ୍କ କାମରେ ଆସୁନି । ଉଭୟ ଚାଷୀ ଓ ସରକାର ପ୍ରିମିୟମ ପୈଠ କରୁଛନ୍ତି । ହେଲେ ଫସଲ ନଷ୍ଟ ହେଲେ ବୀମା ଟଙ୍କା ଦେବାକୁ ଆଗେଇ ଆସୁନାହାନ୍ତି ବୀମା କମ୍ପାନୀ । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ଖରିଫ ୨୦୨୦ ସୁଦ୍ଧା ୬୧୬୩ କୋଟି ଟଙ୍କା ପ୍ରିମିୟମ ଦିଆଯାଇଥିଲା । ବୀମା ବାବଦରେ ଚାଷୀଙ୍କୁ ମିଳିଥିଲା ୫,୦୯୮ କୋଟି ଟଙ୍କା । ମାତ୍ର ବୀମା କମ୍ପାନୀ ଲାଭ କରିଥିଲା ୧୦୬୪କୋଟି ଯାହା ମୋଟ ପ୍ରିମିୟମର ୧୭.୨୭ ପ୍ରତିଶତ ।

Leave A Reply

Your email address will not be published.