ଟ୍ରେନ୍ ଧକ୍କାରେ ୩ ମୃତ : ୪ ଜଣ ଅଳ୍ପକେ ବର୍ତିଲେ

0 71

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟସ୍ଥ ହଳଦିଆପଦର ଲେବଲ କ୍ରସିଂ ନିକଟରେ ଗତକାଲି ବିଳମ୍ବିତ ରାତିରେ ୩ ଜଣ ବ୍ୟକ୍ତି ଟ୍ରେନ୍ ଧକ୍କାରେ ପ୍ରାଣ ହରାଇଥିବା ଜଣାପଡିଛି । ରାତି ପ୍ରାୟ ୧୧ଟା ୪୫ ମିନିଟ୍ ସମୟରେ ବିଶାଖା- ଟାଟା ନଗର ଏକ୍ସପ୍ରେସ୍ ଟ୍ରେନ୍ ଧକ୍କାରେ ସମ୍ପୃକ୍ତ ତିନି ଜଣଙ୍କ ମୃତ୍ୟୁ ଘଟିଥିଲା । ପ୍ରାୟ ୭ ଜଣ ବ୍ୟକ୍ତି ଟ୍ରେନ୍ ଲାଇନ୍ କଡେ କଡେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ବାଟରେ ଏହି ଦୁର୍ଘଟଣା ଘଟିଥିଲା । ୭ ଜଣଙ୍କ ମଧ୍ୟରୁ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି । ଏମାନେ ଟ୍ରେନ୍ ଲାଇନ୍ କଡେ କଡେ ଯାଉଥିବା ବେଳେ ଲେବଲ କ୍ରସିଂ ଗାର୍ଡ଼ ଏହା ଦେଖି ପାଟି କରି ସାଇଡ୍ କୁ ହଟିଯିବାକୁ ବାରମ୍ବାର କହିଥିଲେ ସୁଦ୍ଧା ସେମାନେ ତାହା ଶୁଣି ପାରିନଥିଲେ କିମ୍ବା ବୁଝି ପାରିନଥିଲେ । ଏତଦ୍ ବ୍ୟତୀତ ଟ୍ରେନ୍ ଡ଼୍ରାଇଭର ବାରମ୍ବାର ହର୍ଣ୍ଣ ମାରିବା ସହ ଟ୍ରାକରୁ ହଟିଯିବାକୁ ପାଟି କରିଥିଲେ ମଧ୍ୟ ସେମାନେ ଜାଣିପାରିନଥିଲେ ।

ଏମାନେ ସମସ୍ତେ ବାହାର ରାଜ୍ୟର ବୋଲି ଜଣାପଡିଛି । ଜିଆରପି ପୋଲିସ ଘଟଣାସ୍ଥଳରେ ପହଂଚି ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି । ବ୍ରହ୍ମପୁର ଜିଆରପି ପକ୍ଷରୁ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି ।

Leave A Reply

Your email address will not be published.