ପହିଲାରୁ ସୁପ୍ରିମ୍କୋର୍ଟରେ ସ୍ୱାଭାବିକ ଶୁଣାଣି

0 73

ନୂଆଦିଲ୍ଲୀ : ୧୭ ମାସ ପରେ ପୁଣିଥରେ ପୂର୍ବସ୍ଥିତିରେ ସୁପ୍ରିମକୋର୍ଟରେ ହେବାକୁ ଯାଉଛି । ଆସନ୍ତା ସେପ୍ଟେମ୍ବର ୧ରୁ ସୁପ୍ରିମକୋର୍ଟରେ ହେବ ସ୍ୱାଭାବିକ ଶୁଣାଣି । କୋଭିଡ ସ୍ଥିତି ଯୋଗୁ ଦୀର୍ଘ ଦିନ ଧରି ସର୍ବୋଚ୍ଚ ଅଦାଲତରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଶୁଣାଣି ହୋଇଆସୁଥିଲା । ଭର୍ଚୁଆଲ ଶୁଣାଣି ନେଇ ଓକିଲମାନଙ୍କୁ କିଛି ଇଚ୍ଛାଧୀନ ସୁଯୋଗ ଦିଆଯାଇଛି । ବାର ଆସୋସିଏସନର ଅନୁରୋଧ କ୍ରମେ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ରମନ୍ନା ସୁପ୍ରିମକୋର୍ଟ ବିଚାରପତିଙ୍କୁ ନେଇ ଗଠିତ କମିଟିର ସୁପାରିସକୁ ଗ୍ରହଣ କରିବା ସହ ସ୍ୱାଭାବିକ ଶୁଣାଣି ନେଇ ଏସ୍ଓପି ଜାରି କରିଛନ୍ତି । ଯେଉଁଦିନ କମ୍ ସଂଖ୍ୟକ ମାମଲାର ଶୁଣାଣି ଥିବ, ସେହିଦିନ ସ୍ୱାଭାବିକ ଶୁଣାଣି ହୋଇପାରିବ ।

ଏସ୍ଓପି ଅନୁସାରେ ଚୂଡାନ୍ତ ଶୁଣାଣି ଓ ନିୟମିତ ଶୁଣାଣି ଦିନଗୁଡିକରେ ସ୍ୱାଭାବିକ ଶୁଣାଣି ଲାଗି ବ୍ୟବସ୍ଥା ରହିବ । ତେବେ ଏହା ଇଚ୍ଛାଧୀନ ରହିବ । ଏହାସହ ଯଦି ଖଣ୍ଡପୀଠ ଚାହାନ୍ତି, ତେବେ ଅନ୍ୟ ଦିନଗୁଡିକରେ ସ୍ୱାଭାବିକ ଭାବେ ଶୁଣାଣି ହୋଇପାରିବ । ଯଦି ବିଭିନ୍ନ ପକ୍ଷ ଲାଗି ୨୦ରୁ ଅଧିକ ଲେଖାଏଁ ଓକିଲ କୋର୍ଟ ରୁମ୍ ପିଛା ରହନ୍ତି, ତେବେ ଭିଡିଓ ବା ଟେଲି କନ୍ଫରେନ୍ସିଂ ଜରିଆରେ ଶୁଣାଣି ହୋଇପାରିବ । ସ୍ୱାଭାବିକ ଶୁଣାଣି ଲାଗି ଯଦି ଜଣେ ଓକିଲ ଚାହାନ୍ତି ତେବେ ପକ୍ଷ ପିଛା କେସ ଫାଇଲ କରିଥିବା ଓକିଲ ବା ତାଙ୍କ ପ୍ରତିନିଧି,ଜଣେ ପ୍ରତିପକ୍ଷ ଓକିଲ ଓ ଜଣେ ଜୁନିଅର ଓକିଲଙ୍କୁ କୋର୍ଟ ରୁମରେ ପ୍ରବେଶ ଲାଗି ଅନୁମତି ଦିଆଯିବ । ପକ୍ଷ ପିଛା ଜଣେ ପଞ୍ଜିକୃତ କିରାଣିଙ୍କୁ ବି ଅନୁମତି ମିଳିବ ।

Leave A Reply

Your email address will not be published.