ସରଗରମ ହେବ ମୌସୁମୀ ଅଧିବେଶନ

0 71

ଭୁବନେଶ୍ୱର : ଆଉ ଦିନକ ପରେ ବିଧାନସଭାର ମୌସୁମୀ ଅଧିବେଶନ । ଏହି ଅଧିବେଶନ ସେପ୍ଟେମ୍ବର ପହିଲାରୁ ଆରମ୍ଭ ହୋଇ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହା ସ୍ୱଳ୍ପକାଳୀନ ହୋଇଥିଲେ ହେଁ ତାରକା ପ୍ରଶ୍ନ ସହିତ ଏଥିରେ ମୁଲତବୀ ପ୍ରସ୍ତାବ ରହିବ । ଏଥିପାଇଁ ଉଭୟ ବିରୋଧୀ ଓ ଶାସକ ଦଳ ରଣନୀତି ଆପଣାଇଛନ୍ତି । ଶାସକ ଦଳର ବିଭିନ୍ନ ପ୍ରକାର ଦୁର୍ନୀତି ଓ ଅସଫଳତାକୁ ଗୃହରେ ବିଜେପି ଉଠାଇବ ବୋଲି କହିଛି । ଏଥିସହିତ ଚାଷୀ ସମସ୍ୟା, ମରୁଡ଼ି ସ୍ଥିତି, ଷ୍ଟାଫ ସିଲେକ୍ସନ୍ ଦୁର୍ନୀତି ଆଦିକୁ ବିଜେପି ପ୍ରସଙ୍ଗ କରିବ ବୋଲି ଜଣାଯାଇଛି ।ସେହିପରି ଚାଷୀ ସମସ୍ୟା, ବେକାରି ସମସ୍ୟା, ମାହାଙ୍ଗ ଡବଲ ମର୍ଡର ଆଦିକୁ ନେଇ କଂଗ୍ରେସ ଶାସକ ଦଳକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି । ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଭାଜପା ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ କଂଗ୍ରେସ ମଧ୍ୟ ବୈଠକ କରିବ । ଏହି ବୈଠକରେ କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ସାମିଲ ହେବେ ।

ସେହିପରି ଉକ୍ତ ଦିନ ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ବସିବ । ଏ ପ୍ରସଙ୍ଗରେ ଶାସକ ଦଳ ବିଧାୟକ କିଶୋର ମହାନ୍ତି କହିଛନ୍ତି ବିରୋଧୀ ଦଳ ନିକଟରେ ବିରୋଧ କରିବା ଭଳି ବିଶେଷ କିଛି ପ୍ରସଙ୍ଗ ନାହିଁ । ତେବେ ବିଧାନସଭା ନିୟମାବଳୀର ଗଣ୍ଡି ଭିତରେ ବିରୋଧୀ ଯେଉଁସବୁ ପ୍ରସଙ୍ଗ ଆଣିବେ ସରକାର ସେ ସବୁର ଉତ୍ତର ରଖିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ତେବେ ବିଧାନସଭା ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ପାରମ୍ପରିକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି ଏବଂ ସବୁ ଦଳର ସହଯୋଗ କାମନା କରିଛନ୍ତି ବାଚସ୍ପତି । ଏହି ସ୍ୱଳ୍ପକାଳୀନ ଅଧିବେଶନରେ ପ୍ରମୁଖ ବିରୋଧୀ ଦଳ ବିଜେପିକୁ ମୁଲତବୀ ପ୍ରସ୍ତାବ ଆଣିବା ଲାଗି ଚାରିଦିନ ସମୟ ଦିଆଯାଇଥିବା ବେଳେ କଂଗ୍ରେସକୁ ଦୁଇଦିନ ମିଳିଛି । କରୋନାକୁ ଦୃଷ୍ଟିରେ ରଖି ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ଅନ୍ୟ ବିଧାୟକଙ୍କ ସମେତ ଅଧିବେଶନ ଲାଗି ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀ ଓ ସାମ୍ବାଦିକଙ୍କ କୋଭିଡ୍ ଟେଷ୍ଟ ଚାଲିଛି । ଯାହା ସୂଚନା ମିଳୁଛି କେତେକ ପ୍ରମୁଖ ପ୍ରସଙ୍ଗରେ ବିରୋଧୀ ସଦସ୍ୟମାନେ ବିଧାନସଭା କାର୍ଯ୍ୟକ୍ରମ ଗତଥର ଭଳି ବ୍ୟାଘାତ କରିପାରନ୍ତି । ତେବେ ଶାସକ ଦଳର କହିବା କଥା ବିରୋଧୀ ଦଳ ପକ୍ଷରୁ ଯେଉଁସବୁ ପ୍ରସଙ୍ଗ ଅଣାଯିବ ତାକୁ ଜବାବ ଦେବା ପାଇଁ ସରକାରୀ ଦଳ ପ୍ରସ୍ତୁତ ଅଛନ୍ତି । ତେବେ ଏ ପରିପ୍ରେକ୍ଷୀରେ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହି ସ୍ୱଳ୍ପକାଳୀନ ଅଧିବେଶନ ସରଗରମ ରହିବ ନା ରଚନାତ୍ମକ ହେବ ତାହା ଉପରେ ସମସ୍ତଙ୍କ ନଜର ।

Leave A Reply

Your email address will not be published.