ଦେଶର ପୋଷଣ ଆବଶ୍ୟକତା ପୂରଣ କରିବାର ସାମର୍ଥ୍ୟ ଆୟୁର୍ବେଦର ରହିଛି: ସ୍ମୃତି ଜୁବିନ ଇରାନୀ

0 49

ନୂଆଦିଲ୍ଲୀ : ଏକ ମାସ ବ୍ୟାପୀ ପାଳନ କରାଯିବାକୁ ଥିବା ପୋଷଣ ମାସର ପ୍ରଥମ ଦିନ ଅବସରରେ ଆଜି କେନ୍ଦ୍ର ମହିଳା ଓ ଶିଶୁବିକାଶମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜୁବିନ ଇରାନୀ ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସେ କହିଛନ୍ତି ଯେ ଦେଶର ପୁଷ୍ଟି ଆବଶ୍ୟକତା ପୂରଣ କରିବାକୁ ପ୍ରାଚୀନ ଜ୍ଞାନ ଆୟୁର୍ବେଦର ଉପଯୋଗ କରିବାର ସମୟ ଆସିଛି । ପୁଷ୍ଟି ସାଧନ କ୍ଷେତ୍ରରେ ଦେଶର ଆବଶ୍ୟକତା ପୂରଣ କରିବାର ସାମର୍ଥ୍ୟ ଆୟୁର୍ବେଦର ରହିଛି ।

ଆଜି ଏହି ଉପଲକ୍ଷେ ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀମତୀ ଇରାନୀ ଅଖିଳ ଭାରତ ଆୟୁର୍ବେଦ ପ୍ରତିଷ୍ଠାନ (ଏଆଇଆଇଏ) ପରିସରରେ ଏକ ନୁଟ୍ରିଗାର୍ଡେନ ବା ପୋଷଣ ବଗିଚାକୁ ଉଦ୍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ତଥା ଆୟୁଷ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ମୁଞ୍ଜପରା ମହେନ୍ଦ୍ରଭାଇ ଉପସ୍ଥିତ ଥିଲେ । ଏହି ବଗିଚାରେ ସଜନା ଓ ଅଁଳା ଚାରା ଦୁଇମନ୍ତ୍ରୀଙ୍କ ଦ୍ୱାରା ରୋପଣ କରାଯାଇଥିଲା ।

ଦିଲ୍ଲୀସ୍ଥିତ ଅଖିଳ ଭାରତ ଆୟୁର୍ବେଦ ପ୍ରତିଷ୍ଠାନ (ଏଆଇଆଇଏ) ଆୟୁଷ ମନ୍ତ୍ରଣାଳୟର ନିର୍ଦ୍ଦେଶରେ ୨୦୨୧ ପୋଷଣ ମାସ ପାଳନ ଦାୟିତ୍ୱ ନେଇଛି ।

ଆଇସିଏମ୍ଆର ର ସହଯୋଗରେ ଆୟୁଷ ମନ୍ତ୍ରଣାଳୟ ଦେଶରେ ରକ୍ତହୀନତା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ କରିବାରେ ସଫଳ ହୋଇଥିବାରୁ ମନ୍ତ୍ରୀ ଶ୍ରୀମତୀ ଇରାନୀ ସମ୍ପୃକ୍ତ ମନ୍ତ୍ରଣାଳୟକୁ ସାଧୁବାଦ ଜଣାଇଥିଲେ । ପୁଷ୍ଟିହୀନତା ଦୂରକରିବାରେ ଆୟୁର୍ବେଦର ଭୂମିକା ସମ୍ପର୍କୀୟ ବିଜ୍ଞାନଭିତ୍ତିକ ତଥ୍ୟାବଳୀ ପ୍ରସ୍ତୁତ କରି ବିଶ୍ୱ ସମୁଦାୟ ଆଗରେ ଉପସ୍ଥାପନ କରିବାକୁ ସେ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ ପୁଷ୍ଟିସାଧନର ଦୁଇଟି ପ୍ରମୁଖ ଦିଗ ରହିଛି । ପ୍ରଥମତଃ ଏହା ଶସ୍ତା ଓ ଦ୍ୱିତୀୟରେ ସବୁପ୍ରକାର ଚିକିତ୍ସାର ଉପଚାର ପାଇଁ ଏହା ସହଜରେ ଉପଲବ୍ଧ । ସାମଗ୍ରିକ ସ୍ୱାସ୍ଥ୍ୟରକ୍ଷା କ୍ଷେତ୍ରରେ ଆୟୁର୍ବେଦର ଏକ ବଡ ଭୂମିକା ରହିଛି । ସୁସ୍ଥ ସନ୍ତାନସନ୍ତତି ଏବଂ ଶାସ୍ତ୍ରୀୟ ରୋଷେଇ ସମ୍ପର୍କରେ ପ୍ରସ୍ତୁତ ଆୟୁଷ କ୍ୟାଲେଣ୍ଡରକୁ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ଜରିଆରେ ଲୋକପ୍ରିୟ କରିବା ପ୍ରସ୍ତାବକୁ ବିଚାର କରି ଦେଖାଯିବ ବୋଲି ଶ୍ରୀମତୀ ଇରାନୀ କହିଥିଲ ।

ମନ୍ତ୍ରୀ ଡଃ ମୁଞ୍ଜପରା ମହେନ୍ଦ୍ରଭାଇ ତାଙ୍କ ଭାଷଣରେ ସଜନା, ଶତାବରୀ, ଅଶ୍ୱଗନ୍ଧା, ଅଁଳା, ତୁଳସୀ ଓ ହଳଦି ଆଦିର ଔଷଧୀୟ ଓ ଗୁଣ ଗୁରୁତ୍ୱ ସମ୍ପର୍କରେ କହିଥିଲେ । ମା’ ଓ ଶିଶୁଙ୍କ ସାମଗ୍ରୀକ ସୁସ୍ଥତା କ୍ଷେତ୍ରରେ ପ୍ରମାଣଭିତ୍ତିକ ଆୟୁର୍ବେଦ ପୁଷ୍ଟିସାଧନକାରୀ ନୀତିର ପ୍ରୋତ୍ସାହନକୁ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ। ଜଣେ ମା’ ସୁସ୍ଥ ରହିଲେ ସୁସ୍ଥ ସନ୍ତାନ ଜନ୍ମ ଦେଇପାରିବ ଏବଂ ଏଥିପାଇଁ ଆୟୁର୍ବେଦର ପୋଷକ ସାମଗ୍ରୀ ବିଶେଷ ସହାୟକ ହେବ ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟର ସଚିବ ଶ୍ରୀ ଇନ୍ଦିବର ପାଣ୍ଡେ, ଆୟୁଷ ମନ୍ତ୍ରଣାଳୟ ସଚିବ ବୈଦ୍ୟ ରାଜେଶ କୋଟେଚା ଉପସ୍ଥିତ ଥିଲେ । ଏହି ମାସବ୍ୟାପୀ ପୋଷଣ କାର୍ଯ୍ୟକ୍ରମ ସମୟରେ ରୋଗୀ ସଚେତନତା ବକ୍ତୃତା, ରଚନା ଓ କୁଇଜ ପ୍ରତିଯୋଗିତା, ଅତିଥିମାନଙ୍କ ଉଦ୍ବୋଧନ ତଥା ପୋଷଣ ମାସର ବିଭିନ୍ନ କାର୍ଯ୍ୟକ୍ରମ ଉପରେ କର୍ମଶାଳାମାନ ଆୟୋଜିତ ହେବ । ଏ ସମସ୍ତ କାର୍ଯ୍ୟକ୍ରମ ଏଆଇଆଇଏ ଆୟୋଜନ କରିବ ।

Leave A Reply

Your email address will not be published.