ଆରମ୍ଭରୁ ହଟ୍ଟଗୋଳ : ମରୁଡ଼ି ତାତି

0 67

-ମରୁଡ଼ି ମନୁଷ୍ୟକୃତ ନୁହେଁ: କୃଷିମନ୍ତ୍ରୀ
-କୃଷିମନ୍ତ୍ରୀଙ୍କ ଉତ୍ତର ଅବାନ୍ତର: ନରସିଂହ
-ମରୁଡ଼ି ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ହେଉ: ମୋହନ
-ହଟ୍ଟଗୋଳ ମଧ୍ୟରେ ୭ ବିଲ୍ ପାରିତ

ଭୁବନେଶ୍ୱର : ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଗୃହ କାର୍ଯ୍ୟ ଆରମ୍ଭରୁ କଂଗ୍ରେସ ସଦସ୍ୟ ହୋ ହଲ୍ଲା କରିଛନ୍ତି । ଗୃହର ମଧ୍ୟଭାଗରେ କଂଗ୍ରେସ ନାରାବାଜି କରିଥିଲେ । ପ୍ରଶ୍ନକାଳ ବାତିଲ୍ କରି ରାଜ୍ୟର ମରୁଡ଼ି ସ୍ଥିତି ନେଇ ଆଲୋଚନା କରିବାକୁ ପୋଡିୟମ୍ ଉପରେ ଚଢ଼ି ଦାବି କରିଥିଲେ କଂଗ୍ରେସ ସଦସ୍ୟ । ବିଧାୟକ ଦଳ ନେତା ନରସିଂହ ମିଶ୍ର ଲିଖିତ ଭାବେ ଏ ନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମୂଲତବୀ ପ୍ରସ୍ତାବରେ ସମାନ ପ୍ରସଙ୍ଗ ଆସିଥିବାରୁ ଏହାକୁ ଆଗ୍ରହ୍ୟ କରିଥିଲେ ବାଚସ୍ପତି । ଗୃହରେ କଂଗ୍ରେସର ହଟ୍ଟଗୋଳ ପରେ ବାଚସ୍ପତି ବିଧାନସଭାକୁ ୧୨ଟା ୩୪ ଯାଏଁ ମୁଲତବୀ ଘୋଷଣା କରିଥିଲେ ।

ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ମରୁଡ଼ି ସ୍ଥିତି ନେଇ ବିରୋଧୀଙ୍କ ପକ୍ଷରୁ ଅଣାଯାଇଥିବା ମୁଲତବୀ ପ୍ରସ୍ତାବ ଆଲୋଚନା ପୂର୍ବରୁ କୃଷିମନ୍ତ୍ରୀ ଅରୁଣ ସାହୁ ଉତ୍ତର ରଖିଥିଲେ । ସେ କହିଥିଲେ ଗତ ୨୦ବର୍ଷ ଭିତରେ ୮ ଥର ରାଜ୍ୟରେ ମରୁଡ଼ି ହୋଇଛି । ଚଳିତ ବର୍ଷାଋତୁରେ ଅଗଷ୍ଟ ୨୮ ତାରିଖ ସୁଦ୍ଧା ୨୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । କମ୍ ବର୍ଷା ହୋଇଥିବା କାରଣରୁ ୧୪ ଜିଲ୍ଲାର ୪୭ ବ୍ଲକ୍ ରେ ଫସଲ ଗୁରୁତର ଭାବେ ପ୍ରଭାବିତ ହୋଇଛି । ମରୁଡ଼ି ସ୍ଥିତିକୁ ଦୃଷ୍ଟିରେ ରଖି ଏବେ ସେଠାରେ କଣ୍ଟିଜେନ୍ସି କ୍ରପ୍ ପ୍ଲାନ୍ କରାଯାଉଛି । ଏବେ ରାୟଗଡ଼ା ଓ ଗଜପତି ଜିଲ୍ଲାରେ ମରୁଡ଼ି ସ୍ଥିତିରେ ସୁଧାର ଆସିଛି । ଯେଉଁ ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ହୋଇଛି ସେଠାରେ ପମ୍ପ୍ସେଟ୍ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।ଉଠା ଜଳସେଚନ ଓ କେନାଲ ପାଣିକୁ ୭ ଦିନ ଭିତରେ ପ୍ରସ୍ତୁତ କରିବା ପାଇଁ କୁହାଯାଇଛି । ଏହା ଉପରେ ନଜର ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ତେବେ ମରୁଡ଼ି ସ୍ଥିତି ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି । ସେ କହିଛନ୍ତି ଯେ, ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ଚିରାଚରିତ ଓ ଦୁର୍ଭାଗ୍ୟଜନକ । ମରୁଡ଼ି ପାଇଁ ପ୍ରକୃତିକୁ ଦୋଷ ଦେଲେ ହେବନି । ମରୁଡ଼ି ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି କରାଯାଇନାହିଁ । ଉଠା ଜଳସେଚନ କାର୍ଯ୍ୟକ୍ଷମ ହୋଇନାହିଁ । ଜଳାଶୟ ଶୁଖିଲା ହୋଇପଡ଼ିଛି । ସରକାର ଜଳସେଚନ କରିବାରେ ବିଫଳ ହୋଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡି ପକ୍ଷରୁ ୪ଟି ଟିମ୍ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ପରଖି ଆସିଛନ୍ତି । ଏହି ସମୟରେ ରାଜ୍ୟରେ ଭୟଙ୍କର ମରୁଡ଼ି ସ୍ଥିତି ସୃଷ୍ଟି ହୋଇଥିବା ଆମେ ଦେଖିବାକୁ ପାଇଛୁ । କେତୋଟି ବ୍ଲକ୍ ରେ ମାତ୍ର ୩୫ ପ୍ରତିଶତ ଜଳସେଚନ ହୋଇଛି । ସମଗ୍ର ରାଜ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଲାଣି । ତେଣୁ ଚାଷୀଙ୍କ ଲାଗି ତୁରନ୍ତ ସରକାର ପ୍ୟାକେଜ୍ ଘୋଷଣା କରନ୍ତୁ ବୋଲି ସେ କହିବା ସହ ନଦୀଜଳ ସଂରକ୍ଷଣ ପାଇଁ ରାଜ୍ୟ ସରକାର ଟାକ୍ସଫୋସର୍ ଗଠନ କରିବାକୁ ଦାବି କରିଛନ୍ତି ।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ୩୦ ଜିଲ୍ଲାରୁ ୨୭ ଜିଲ୍ଲାରେ ମରୁଡ଼ି । ତେଣଉ ସରକାର ଏହି ଜିଲ୍ଲାଗୁଡ଼ିକୁ ମରୁଡ଼ି ଗ୍ରସ୍ତ ଜିଲ୍ଲା ବୋଲି ଘୋଷଣା କରନ୍ତୁ । ଜଳସେଚନ ନେଇ ସରକାର ପ୍ରତିଶ୍ରୁତି ପୂରଣ ହେବା ଲାଗି କ’ଣ ପ୍ରକୃତି ଦାୟୀ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି । ଏଥିସହ ସେ କହିଛନ୍ତି ଯେ, ସରକାର ତାଙ୍କ କାର୍ଯ୍ୟ ନକରି ପ୍ରକୃତି ନାଁରେ ପାର ହେବାକୁ ଚେଷ୍ଟା କରୁଛନ୍ତି । ସୋନପୁର, କଟକ ଓ ପୁରୀରେ ଯେତିକି ଜମି ତାହାଠାରୁ ଅଧିକ ଜଳସେଚନ ହୋଇଥିବା ସରକାର କହୁଛନ୍ତି । ତେବେ ସୋନପୁର ଜିଲ୍ଲାର ମନ୍ତ୍ରୀ କହିପାରିବେ କି, ସେଠି ଶତପ୍ରତିଶତ ଜଳସେଚନ ହୋଇଛି କି ନାହି ? ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାରେ ପାଣି ଅଭାବ ଯୋଗୁ ଗଜା ମରୁଡ଼ି ହୋଇଛି । ହଟ୍ଟଗୋଳ ଭିତରେ ବିଧାନସଭାରେ ୭ଟି ବିଲ୍ ପାରିତ ହୋଇଥିବା ବେଳେ ଗୁରୁବାର ୧୦.୩୦ ଯାଏ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ।

Leave A Reply

Your email address will not be published.