ପଞ୍ଚାୟତ ଓ ପୌର ସଂଶୋଧନ ଆଇନ୍କୁ କ୍ୟାବିନେଟ୍ ମୋହର : ସଂରକ୍ଷଣ ହାର ୫୦% ରହିବ

0 67

ଭୁବନେଶ୍ୱର : ରାଜ୍ୟରେ ପଂଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣ ହାର ସର୍ବାଧିକ ୫୦ ପ୍ରତିଶତ ରହିବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପଂଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ଅଧିକ ନକରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଆଇନରେ ଆବଶ୍ୟକ ସଂଶୋଧନକୁ ଆଜି ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଧାନସଭା ଅଧିବେଶନ ଚାଲିଥିବା ଯୋଗୁ କ୍ୟାବିନେଟ ବୈଠକ ସମ୍ପର୍କରେ ସରକାରୀ ଭାବେ ସୂଚନା ମିଳିନି । ମାତ୍ର ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଉଭୟ ପଂଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ ରାଜ୍ୟ କ୍ୟାବିନେଟ୍ ଆଜି ସମ୍ବନ୍ଧିତ ଆଇନରେ ସଂଶୋଧନକୁ ମଞ୍ଜୁରୀ ଦେଇଛନ୍ତି ।

ଏହି ସଂଶୋଧିତ ବିଲ୍ ଚଳିତ ଅଧିବେଶନରେ ଗୃହରେ ମଞ୍ଜୁରୀ ପାଇଁ ଆଗତ ହେବାର ସମ୍ଭାବନା ରହିଛି । ପୌର ଓ ପଂଚାୟତ ନିର୍ବାଚନରେ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗଙ୍କ ନିମନ୍ତେ ସଂରକ୍ଷଣ ସୀମା ସର୍ବାଧିକ ୫୦ ପ୍ରତିଶତ ରଖିବା ନିମନ୍ତେ ରାଜ୍ୟ ସରକାର ଓଡ଼ିଶା ମ୍ୟୁନିସପାଲ ଆଇନ-୧୯୫୦ ଏବଂ ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ ଆଇନ-୨୦୦୩ ସମେତ ଓଡ଼ିଶା ଗ୍ରାମପଂଚାୟତ ଆଇନ-୧୯୬୪, ଓଡ଼ିଶା ପଂଚାୟତ ସମିତି ଆଇନ-୧୯୯୯ ଓ ଓଡ଼ିଶା ଜିଲ୍ଲା ପରିଷଦ ଆଇନ-୧୯୯୧ରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସମସ୍ତ ଆଇନରେ ସଂଶୋଧନ ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି ।

Leave A Reply

Your email address will not be published.