ଛାତ୍ରାବାସର ଅନ୍ତେବାସୀଙ୍କ ଅଭିଯୋଗକୁ ନେଇ ଗଜପତି ଜିଲ୍ଲାପାଳଙ୍କ ତ୍ୱରିତ ପଦକ୍ଷେପ

0 71

ପାରଳାଖେମୁଣ୍ଡି, ୨ା୯ : ଛାତ୍ରାବାସରେ ଅନିୟମିତତା ଏବଂ ଖାଦ୍ୟପେୟର ଅଭାବକୁ ନେଇ ଅନ୍ତେବାସୀମାନେ ଆଜି ଗଜପତି ପ୍ରଶାସନର ଦ୍ୱାରସ୍ଥ ହେବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ପତ୍ର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଦ୍ୱାରା ପ୍ରଦାନ କରିଥିବାର ଜଣାପଡିଛି । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏନେଇ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉଭୟ ଅଧିକାରୀ ପ୍ରଥମେ ଏହି ଅନ୍ତେବାସୀମାନଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ କରି ସେମାନଙ୍କ ସହ ସମ୍ପୃକ୍ତ ଛାତ୍ରାବାସକୁ ଯାଇଥିଲେ । ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ଅନ୍ତର୍ଗତ ମହେନ୍ଦ୍ରଗଡ ଗ୍ରାମରେ ଥିବା କାର୍ତ୍ତକା ଗମାଙ୍ଗ ଉଚ୍ଚ ବିଦ୍ୟାଳୟର ୪୫ଜଣ ଛାତ୍ର ଆଜି ସେମାନଙ୍କ ବିଭିନ୍ନ ଅଭାବ ଅସୁବିଧା ନେଇ ମହେନ୍ଦ୍ରଗଡ ଗ୍ରାମରୁ ଏକ ସ୍ୱତନ୍ତ୍ର ବସ ଯୋଗେ ଜିଲ୍ଲା ସଦର ମହକୁମାକୁ ଆସି ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଭେଟି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ପତ୍ର ପ୍ରଦାନ କରିଥିଲେ । ଏହି ଛାତ୍ରମାନେ ଏହି ପତ୍ରରେ ଦର୍ଶାଇଛନ୍ତି ଯେ, ଛାତ୍ରାବାସରେ ନିଦ୍ଧିଷ୍ଟ ଅନୁଯାଇ ପାନୀୟ ଜଳ, ଖାଦ୍ୟପେୟ ଓ ଆବଶ୍ୟକ ଜିନିଷପତ୍ର ମିଳୁ ନାହିଁ । ଏହି ଛାତ୍ରାବାସରେ ବର୍ତ୍ତମାନ ୧୦୦ଜଣ ଅନ୍ତେବାସୀ ରହିଛୁ । ସ୍ନାନ, ଶୌଚ ଓ ପାନୀୟ ଜଳ ବ୍ୟବସ୍ଥା ନାହିଁ ବୋଲି କହିଲେ ଚଳେ । ଖରା ଦିନରେ ଜଳ ସମସ୍ୟା ଯୋଗୁଁ ବହୁ ଦୁଃଖ କଷ୍ଟ ସହିବାକୁ ପଡିଥାଏ । ସେହିପରି ଛାତ୍ରାବାସକୁ ଆସୁଥିବା ଅତ୍ୟାବଶ୍ୟକ ସାମଗ୍ରୀର ବାଟମାରଣା ମଧ୍ୟ ହେଉଛି । ଛାତ୍ରାବାସର ୨ଅସାଧୁ କର୍ମଚାରୀ ଏହା ବାଟମାରଣା କରି ବଜାରରେ ବିକ୍ରି କରିଦେଉଛନ୍ତି । ସେହିପରି ଦଶମ ଶ୍ରେଣୀର ସାହିତ୍ୟ ଶିକ୍ଷକ ସରକାରଙ୍କ ତରଫରୁ ଆସୁଥିବା ମାଗଣା ବହି ଗୁଡିକୁ ସ୍ୱଇଛାରେ ଛାତ୍ରମାନଙ୍କୁ କୌଶଳକ୍ରମେ ବିକ୍ରି କରି ଦେଉଛନ୍ତି । ଏହା ସହ ଛାତ୍ରବାସ ପରିସରରେ ରହିଥିବା ବଗିଚାର ପରିବା ଗୁଡିକୁ ମଧ୍ୟ ଶିକ୍ଷକ ଓ କର୍ମଚାରୀମାନେ ନେଇଯାଉଛନ୍ତି । ଛାତ୍ରାବାସର ଏହି ଅଭିଯୋଗକୁ ନେଇ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ ଏବଂ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗଙ୍କୁ ଆଜିହିଁ ତୁରନ୍ତ ସମ୍ପୃକ୍ତ ଛାତ୍ରାବାସକୁ ଗ୍ରସ୍ତକରି ବିହିତ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେବା ପରେ ଉଭୟ ଅଧିକାରୀ ସେଠାରେ ପହଞ୍ôଚ ସବୁକିଛି ଅନୁଧ୍ୟାନ କରିବା ସହ ଛାତ୍ରମାନଙ୍କ ଅଭିଯୋଗ ନେଇ ଆବଶ୍ୟକୀୟ ତଦନ୍ତ କରିଛନ୍ତି । ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ ଘଟଣା ନେଇ କହିଛନ୍ତି, ଛାତ୍ରାବାସରେ ସମସ୍ତ ଅନୁଧ୍ୟାନ କରି ଏହାର ସବିଶେଷ ରିପୋର୍ଟ ଜିଲ୍ଲାପାଳଙ୍କୁ ଦିଆଯିବ ।

Leave A Reply

Your email address will not be published.