ଓଡିଶାରେ ଆନ୍ଧ୍ରର ରାଜୁତି ଜମି

0 63

ଓଡିଶାର ହେଲେ ୪୦ବର୍ଷ ହେଲା ଲାଭ ପାଉଛନ୍ତି ଆନ୍ଧ୍ରଚାଷୀ


ପାରଳାଖେମୁଣ୍ଡି, ୨ା୯ : ଓଡିଶା ମଧ୍ୟରେ ଆନ୍ଧ୍ର ବିଭିନ୍ନ ଭାବେ ମାଡି ଚାଲିବା ସହ ଆନ୍ଧ୍ର ଓଡିଶାରେ ରାଜୁତି କରୁଛି । ଏପରିକି ଜମି ଓଡିଶାର ହେଲେ ବି ଗତ ୪୦ ବର୍ଷ ହେଲା ଲାଭ ନେଉଛନ୍ତି ଆନ୍ଧ୍ର ଚାଷୀ । ଆନ୍ଧ୍ର ସରକାରୀ ଅଧିକାରୀଙ୍କ ଚାପରେ ଏହି ଆନ୍ଧ୍ର ଚାଷୀମାନେ ଗତ ୪୦ବର୍ଷ ଧରି ଓଡିଶାର ଜମିରେ ଆଧିପତ୍ୟ ବିସ୍ତାର କରି ସମସ୍ତ ଫସଲକୁ ନିଜର କରି ନେଉଛନ୍ତି । ଏପରିକି ଉଭୟ ରାଜ୍ୟର ଯୁଗ୍ମ ସର୍ଭେ କରାଯାଇ ଏହା ଓଡିଶାର ବୋଲି ସ୍ପଷ୍ଟ ହେବାର ଇତି ମଧ୍ୟରେ ୧ବର୍ଷ ବିତିସାରିଥିଲେ ମଧ୍ୟ ଓଡିଶାର ଚାଷୀ ସେହି ଜମିକୁ ଫେରି ପାଇନାହାନ୍ତି । ଏଥିପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନଥିବା କ୍ଷତିଗ୍ରସ୍ତ ଚାଷୀମାନେ ଅଭିଯୋଗ କରିଛନ୍ତି । ଜମି ମାପଚୁପ କରିବା ସମୟରେ ଏହା ଓଡିଶାର ବୋଲି ସ୍ପଷ୍ଟ ହୋଇଛି, କିନ୍ତୁ ଆନ୍ଧ୍ର ଅଧିକାରୀମାନେ ସେମାନଙ୍କ କାଗଜପତ୍ର ଦେଖାଉଥିବାରୁ ଉଭୟ ରାଜ୍ୟର ବନ୍ଦୋବସ୍ଥ ଅଧିକାରୀ ସ୍ତରରେ ଏହାର ସମାଧାନ କରିବାକୁ ନିଷ୍ପତି ହୋଇଛି । ଏଥିପାଇଁ ଚିଠି ମଧ୍ୟ ଲେଖା ହୋଇଛି ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ତହସିଲ ଅଧିନସ୍ଥ ଚେରୁଗୁଡି ଖାସ୍ପା ମୌଜାରେ ଥିବା ୧୨ ଏକର ୧୮୭ ଡେସିମିଲ ଜମି ଓଡିଶାର ୧୨ଜଣ ଚାଷୀଙ୍କ ନାମରେ ରହିଛି । ହେଲେ ଆନ୍ଧ୍ରର କିଛି ଚାଷୀ ଏହି ଜମିକୁ ନିଜ କବଜାରେ ରଖିବା ସହ ଏହାକୁ ଆନ୍ଧ୍ରର ବୋଲି ଦାବି କରୁଛନ୍ତି । କେବଳ ଚାଷୀମାନେ ଦାବି କରୁଛନ୍ତି ତାହା ନୁହେଁ ଆନ୍ଧ୍ର ଅଧିକାରୀମାନେ ମଧ୍ୟ ଏହାକୁ ଆନ୍ଧ୍ରର ପୁରୁଣାପାଟଣା ମଣ୍ଡଳ ଅଧୀନର ବୋଲି ଦର୍ଶାଇ ସଂମ୍ପୃକ୍ତ ଜମିର କାଗଜପତ୍ର ମଧ୍ୟ ପ୍ରଦାନ କରିଛି । ଫଳରେ ନିଜର ଜମିକୁ ହରାଇ ଓଡିଶାର ଚାଷୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଆନ୍ଧ୍ରର ଚାଷୀମାନେ କିନ୍ତୁ ସେଠାରେ ଫସଲ କରି ଲାଭବାନ ହେଉଛନ୍ତି । ଦୀର୍ଘ ୪୦ବର୍ଷ ହେଲା ଏଭଳି ଜାରି ରହିଥିବା ବେଳେ ଏହାର ସମାଧାନ ପାଇଁ ଚାଷୀମାନେ ବାରମ୍ବାର ପ୍ରଶାସନ ନିକଟକୁ ଦୈଡି ଦୈଡି ନୟାନ୍ତ ହୋଇଗଲେଣି । ଶେଷରେ ଏହାର ସମାଧାନ ପାଇଁ ଗତ ବର୍ଷ ଡିସେମ୍ବର ମାସରେ ଗଜପତି ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିଥିଲା । ଉଭୟ ରାଜ୍ୟର ରାଜସ୍ୱ ଅଧିକାରୀଙ୍କୁ ନେଇ ଏକ ଯୁଗ୍ମ ସର୍ଭେ ମଧ୍ୟ କରାଯାଇଥିଲା । ସେଥିରୁ ଏହା ଓଡିଶାର ବୋଲି ସ୍ପଷ୍ଟ ହୋଇଥିଲା । ଫଳରେ ଏଥର ଜମି ଫେରିବା ପାଇବା ନେଇ ଓଡିଶାର ଚାଷୀମାନେ ଆଶା ବାନ୍ଧିଥିଲେ । ହେଲେ ଆଜି ଯାଏଁ ଗଜପତିର ଚାଷୀ ଏ ନେଇ କୌଣସି ସୁଫଳ ପାଇ ନାହାନ୍ତି । ଏହି ଜମି ଫେରିପାଇବା ନେଇ ବର୍ତ୍ତମାନ ସେମାନେ ସନ୍ଦିହୀନ ହୋଇପଡିଛନ୍ତି ବୋଲି କହିଛନ୍ତି ଗଜପତିର ଚାଷୀ ରାମସ୍ୱାମୀ ଏବଂ ପିନିଣ୍ଟି କ୍ରାନ୍ତି । ନିଜ ଜମିକୁ ନେଇ ଆଶା ଓ ଆଶଙ୍କାରେ ଥିବା ଚାଷୀମାନେ ପୁଣିଥରେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ତୁରନ୍ତ ଏହି ଜମି ସେମାନଙ୍କୁ ଫେରାଇବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି । ତକ୍ରାଳୀନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ବିବାଦୀୟ ଜମିର ସର୍ଭେ କରାଯାଇଥିଲା । ଉଭୟ ରାଜ୍ୟର ମିଳିତ ସର୍ଭେ ମଧ୍ୟ କରାଯାଇଥିଲା । ସେତେବେଳେ ଏହା ଓଡିଶାର ବୋଲି ସ୍ପଷ୍ଟ ହୋଇଥିଲେ ମଧ୍ୟ ଆନ୍ଧ୍ର ଅଧିକାରୀମାନେ ସେମାନଙ୍କ କାଗଜପତ୍ର ଦେଖାଇଥିଲେ । ତେଣୁ ଉଭୟ ରାଜ୍ୟର ବନ୍ଦୋବସ୍ତ ଅଧିକାରୀଙ୍କସ୍ତରରେ ଏହାର ସମାଧାନ ପାଇଁ ଚିଠି ଲେଖାଯାଇଛି । ସେମାନେ କେବେ କରିବେ ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଅତିଶୀଘ୍ର ଏହା ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା କହିଛନ୍ତି । ୪୦ବର୍ଷରୁ ଅଧିକ ସମୟ ବିତିଲା । ନିଜ ଜମି ଫେରି ପାଇନାହାନ୍ତି ଚାଷୀ । ଏଥିପାଇଁ ଆଉ କେତେ ଦିନ ଲାଗି ତାହା ଓଡିଶା ସରକାରଙ୍କ ବିହିତ ପଦକ୍ଷେପ ଉପରେ ହିଁ ନିର୍ଭର କରୁଛି ।

Leave A Reply

Your email address will not be published.