ରେଗୁଲେଟୋରୀ କମିଶନ ଗଠନରେ ବିଳମ୍ବ କାହିଁକି ? ବେଲଗାମ୍ ୱେବ୍ ପୋର୍ଟାଲ

0 68

ନୂଆଦିଲ୍ଲୀ : କିଛି ୱେବ୍ ପୋର୍ଟାଲ ମିଛ ଖବର ପ୍ରସାରଣ କରୁଛନ୍ତି । ଏସବୁ ପୋର୍ଟାଲ ଉପରେ କାହାର ନିୟନ୍ତ୍ରଣ ନାହିଁ । ସେମାନେ ଦାୟିତ୍ୱହୀନ ଭାବେ ସାଧାରଣ ଜନତା, ଜଜ୍ ଓ ଭିନ୍ନ ଭିନ୍ନ ସଂସ୍ଥାଗୁଡ଼ିକୁ ବଦନାମ୍ କରି ଖବର ପ୍ରସାରଣ କରୁଛନ୍ତି । ଯାହାକୁ ନେଇ ସର୍ବୋଚ୍ଚ ଅଦାଲତ ଉଦ୍ବେଗ ପ୍ରକାଶ କରିଛନ୍ତି । ମହାମାରୀ କରୋନାର ପ୍ରଥମ ଲହର ବେଳେ କିଛି ଗଣମାଧ୍ୟମ ଚ୍ୟାନେଲ(ୱେବ୍ ପୋର୍ଟାଲ) ଦିଲ୍ଲୀରେ ଆୟୋଜିତ ତବଲିଗି ଜମାତ କାର୍ଯ୍ୟକ୍ରମକୁ ଯେଭଳି ଭାବରେ
ସାମ୍ପ୍ରଦାୟିକତା ରଙ୍ଗ ଦେଇଥିଲେ ତାହାକୁ ନେଇ ସୁପ୍ରିମ୍କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଏନ୍.ଭି.ରମନ୍ନା କହିଛନ୍ତି ଯେ,ୱେବ ପୋର୍ଟାଲ ଉପରେ କାହାର ନିୟନ୍ତ୍ରଣ ନାହିଁ । ସେଇଠି ବି କିଛି ବି ଚାଲେ । ସେମାନେ ମନ ଇଚ୍ଛା ଖବର ପ୍ରସାରଣ କରୁଛନ୍ତି । ଏପରିକି ସେମାନଙ୍କ ପକ୍ଷରୁ କେହି ଉତ୍ତରଦାୟୀ ରହୁନାହାନ୍ତି । ଘଟଣା ସମ୍ପର୍କିତ ସଂସ୍ଥା ବିରୋଧରେ ଆପତ୍ତିଜନକ କଥା ଲେଖୁଛନ୍ତି । ୱେବ୍ ପୋର୍ଟାଲର କାର୍ଯ୍ୟକଳାପ ଦେଖିବାକୁ ମଧ୍ୟ କେହି ନାହାନ୍ତି । ଯାହା ଏକ ବଡ଼ ସମସ୍ୟା । ଏପରି ଘଟଣା ପୂରା ଦେଶର ଛବିକୁ ଖରାପ କରୁଛି ।

ସେହିଭଳି ୟୁଟ୍ୟୁବ୍ ରେ ମଧ୍ୟ କେତେକ ଫେକ୍ ଓ ଭୁଲ ତଥ୍ୟ ସମ୍ବଳିତ ଖବର ମାନ ପ୍ରଚାର କରାଯାଉଛି । ପ୍ରଧାନ ବିଚାରପତି ଆହୁରି ମଧ୍ୟ କହିଛନ୍ତି ଯେ, ଫେସ୍ବୁକ୍, ଟ୍ୱିଟର ଓ ୟୁଟ୍ୟୁବ୍ ରେ କୌଣସି ତଥ୍ୟ ନଥାଇ ବିଚାରପତି ଓ ନ୍ୟାୟପାଳିକା ବିରୋଧରେ ମଧ୍ୟ ବିଭିନ୍ନ ମନ୍ତବ୍ୟ ଦିଆଯାଉଛି । ତବଲିଗି ଜମାତ ବିରୋଧରେ ଖବର ପ୍ରସାରଣ କରି କିଛି ଗଣମାଧ୍ୟମ ଅଶ୍ଳୀଳ ଭାଷା ପ୍ରୟୋଗ କରିଥିବା ଦେଖିବାକୁ ମିଳିଥିଲା । ଏହା ବିରୋଧରେ ଏକାଧିକ ଆବେଦନ ସୁପ୍ରିମ୍କୋର୍ଟରେ ଦାଖଲ ହୋଇଥିଲା । ତେଣୁ ମିଡିଆର କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଗଠନ ହେବାକୁ ଥିବା ରେଗୁଲେଟୋରୀ କମିଶନ୍ କୁଆଡେ ଗଲା ବୋଲି ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଏହାର ଜବାବରେ ଏଏସ୍ଜି କହିଛନ୍ତି ୱେବ ପୋର୍ଟାଲ ପାଇଁ ସରକାର ନିୟମ ତିଆରି କରିଛନ୍ତି ଯାହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ମାମଲା ସ୍ଥଗିତ ଅଛି । ଶୁଣାଣି ବେଳେ ସେ ଦୁଇ ସପ୍ତାହ ସମୟ ମାଗିଛନ୍ତି । ଏକ ଦସ୍ତାବିଜ ଦାଖଲ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ଏଥିରେ ମୁଖ୍ୟ ବିଚାରପତି କହିଛନ୍ତି, କେସ୍ ଫାଇଲରୁ ଜଣାପଡୁଛି ଆପଣ ଆଗରୁ ମଧ୍ୟ ୪ଥର ଦସ୍ତାବିଜ ଦାଖଲ କରିବାକୁ ସମୟ ନେଇସାରିଛନ୍ତି । ଜବାବରେ ଏଏସ୍ଜି କହିଛନ୍ତି ଯେ, ଆଉ ଏକ ମାମଲାରେ ଦସ୍ତାବିଜ ଦାଖଲ କରିବାର ଅଛି । ସୁପ୍ରିମକୋର୍ଟ ୱେବ ପୋର୍ଟାଲ, ୟୁଟ୍ୟୁବ ଚ୍ୟାନେଲ ଓ ସୋସିଆଲ ମିଡ଼ିଆରେ ଚାଲୁଥିବା ମିଛ ଖବରକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ମୁଖ୍ୟ ବିଚାରପତି କହିଛନ୍ତି, ଏସବୁ ଉପରେ କାହାର ନିୟନ୍ତ୍ରଣ ନାହିଁ । ସେମାନେ ଦାୟିତ୍ୱହୀନ ଭାବେ ସାଧାରଣ ଜନତା, ଜଜ୍ ଓ ଭି୍ନ ଭିନ୍ନ ସଂସ୍ଥାଗୁଡିକୁ ବଦନାମ୍ କରି ଖବର ଚଲାଉଛନ୍ତି । କୋର୍ଟ କହିଛନ୍ତି, ସୋସିଆଲ ମିଡ଼ିଆ କମ୍ପାନୀ କେବଳ ଶକ୍ତିଶାଳୀ ଲୋକଙ୍କର ଶୁଣନ୍ତି, ଜଜ୍, ସଂସ୍ଥା କିମ୍ବା ସାଧାରଣ ଜନତାଙ୍କ କଥା ଶୁଣନ୍ତିନି । କୋର୍ଟ କହିଛନ୍ତି, ଏମାନେ କେବେ ବି ଜବାବ ଦିଅନ୍ତିନି ଓ ସଂସ୍ଥାଗୁଡିକ ବିରୋଧରେ ବହୁତ ଖରାପ କଥା ଲେଖନ୍ତି । ଏମାନେ ଜଜ୍ମାନଙ୍କୁ ବି ଛାଡୁ ନାହାନ୍ତି ବୋଲି କୋର୍ଟ କହିଛନ୍ତି । ଶୁଣାଣିରେ କୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ ଏହାର ମୁକାବିଲା ପାଇଁ କିଛି ଉପାୟ ଅଛି କି ? କୋର୍ଟ କହିଛନ୍ତି, ଆପଣଙ୍କ ପାଖରେ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ଓ ଖବରକାଗଜ ପାଇଁ ବ୍ୟବସ୍ଥା ଅଛି । କିନ୍ତୁ ୱେବ ପୋର୍ଟାଲ ପାଇଁ କିଛି ବ୍ୟବସ୍ଥା କରିବାକୁ ହେବ ।

Leave A Reply

Your email address will not be published.