ମୁଖ୍ୟମନ୍ତ୍ରୀଙ୍କ ମିଶନ ଭୁବନେଶ୍ୱର :୧୧୦ ଅତ୍ୟାଧୁନିକ ବସ୍ ଲୋକାର୍ପିତ

0 79

-ଆରାମଦାୟକ ଯାତ୍ରା ଓ ଅତ୍ୟାଧୁନିକ ସୁବିଧା
-ମୋ ବସ୍ର ଦୁଇଟି ଡିପୋ ଓ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନ ଉଦ୍ଘାଟିତ
-୧୦୦ ଭିନ୍ନକ୍ଷମ ପିଲାଙ୍କୁ ମିଳିବ ତାଲିମ ଓ ଚିକିତ୍ସା ସୁବିଧା
-ଆରମ୍ଭ ହେଲା ‘ନିମନ୍ତ୍ରଣ’ : ସମସ୍ତେ ଖାଇବେ ଓଡ଼ିଆ ବ୍ୟଞ୍ଜନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭୁବନେଶ୍ୱର ଏ.ଜି ଛକରେ ଥିବା ଓ.ଏସ୍.ଆଇ.ଟି.ସିର ମୁଖ୍ୟ କାର୍ଯ୍ୟାଳୟରୁ ୧୧୦ଟି ନୂଆ ଅତ୍ୟାଧୁନିକ ବସ୍ର ଯାତ୍ରା ଶୁଭାରମ୍ଭ କରିଛନ୍ତି । ଯାତ୍ରୀମାନଙ୍କୁ ଆରାମଦାୟକ ଅନୁଭୂତି ପ୍ରଦାନ କରିବା ପାଇଁ ଏଥିରେ ସମସ୍ତ ଅତ୍ୟାଧୁନିକ ସୁବିଧା ସଂଯୁକ୍ତ କରାଯାଇଛି । ସୁରକ୍ଷା ପାଇଁ ସି.ସି ଟିଭି କ୍ୟାମେରା, ଆରାମଦାୟକ ସିଟ୍,ଆପାତ୍ତକାଳୀନ ବଟନ୍, ଭେଇକିଲ୍ ଟ୍ରାକିଂ ସିଷ୍ଟମ, ଅଗ୍ନି ନିର୍ବାପକ ବ୍ୟବସ୍ଥା, ବସ୍ ମଧ୍ୟରେ ଯାତ୍ରୀ ମାନଙ୍କୁ ବିଭିନ୍ନ ସୂଚନା ପ୍ରଦାନ ନିମନ୍ତେ ସିଷ୍ଟମ୍ ଆଇଟିଏମ୍ଏସ୍ ଭଳି ବିଭିନ୍ନ ବୈଷୟିକ ଜ୍ଞାନକୌଶଳଯୁକ୍ତ ସୁବିଧା ରହିଛି । ଏହି ବସ୍ଗୁଡିକ ଆନ୍ତଃରାଜ୍ୟ ବସ୍ ପରିବହନରେ ମଧ୍ୟ ନିୟୋଜିତ ହେବ ।

ସୂଚନାଯୋଗ୍ୟ ଯେ ନିଗମ ପକ୍ଷରୁ ଚଳାଚଳ କରିବାକୁ ଥିବା ୧୮୦ଟି ନୂଆ ବସ୍ ମଧ୍ୟରୁ ଆଜି ୧୧୦ଟିର ଶୁଭାରମ୍ଭ ହୋଇଥିବା ବେଳେ, ଆଉ ୭୦ଟି ବସ୍ ଖୁବଶୀଘ୍ର ଚଳାଚଳ କରିବ । ବର୍ତ୍ତମାନ ଓଏସ୍ଆଇଟିସି ପକ୍ଷରୁ ୨୮ଟି ଜିଲ୍ଲାରେ ତଥା ୪୩ଟି ଆନ୍ତଃରାଜ୍ୟ ମାର୍ଗରେ ୩୯୮ଟି ବସ୍ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଝାରଖଣ୍ଡ ଓ ଛତିଶଗଡକୁ ସଂଯୋଗ କରୁଛି । ଆଜି ଯାତ୍ରା ଆରମ୍ଭ କରିଥିବା ୧୧୦ଟି ବସ୍ ଗୁଡିକ ଭଲ୍ୱୋ, ଏସି ଅଲ୍ଟ୍ରା ଡିଲକ୍ସ, ତଥା ନନ୍ଏସି ହାଇକମ୍ଫଟ୍ ବସ୍ ଅନ୍ତର୍ଭୁକ୍ତ ଅଟେ । ପରେ ମୁଖ୍ୟମନ୍ତ୍ରୀ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ନିକଟରେ ଓଟିଡିସି ପକ୍ଷରୁ ର୍ନିମିତ ରେଷ୍ଟୁରାଣ୍ଟ “ନିମନ୍ତ୍ରଣ’ର ଶୁଭ ଉଦ୍ଘାଟନ କରିଥିଲେ । ଓଟିଡସିର ୪୨ତମ ପ୍ରତିଷ୍ଠା ଦିବସ ଅବସରରେ ଉଦ୍ଘାଟିତ ଏହି ରେଷ୍ଟୁରାଣ୍ଟରେ ଖାଣ୍ଟି ଓଡିଆ ବ୍ୟଞ୍ଜନ ଉପଲବ୍ଧ ହେବ । ଓଡିଆ ଖାଦ୍ୟକୁ ଲୋକପ୍ରିୟ କରି ବ୍ୟଞ୍ଜନ ପର୍ଯ୍ୟଟନର ବିକାଶରେ ଏହା ସହାୟକ ହେବ । ଓଟିଡିସିର ନିମନ୍ତ୍ରଣ ରେଷ୍ଟୁରାଣ୍ଟ ଶୃଙ୍ଖଳରେ ଏହା ହେଉଛି ପ୍ରଥମ ଓ ପରବର୍ତ୍ତୀ ପର୍ଯ୍ୟାୟରେ ପୁରୀ ଓ ସମ୍ବଲପୁରରେ ମଧ୍ୟ ଏଭଳି ରେଷ୍ଟୁରାଣ୍ଟ ଖୋଲାଯିବ ବୋଲି ସୂଚନା ଦିଆଯାଇଥିଲା ।

ପରେ ମୁଖ୍ୟମନ୍ତ୍ରୀ ପଟିଆ ଯାଇ ପଟିଆ ଓ ଭଗବାନପୁର ଠାରେ ମୋ ବସ୍ର ଦୁଇଟି ଡିପୋ ଉଦ୍ଘାଟନ କରିଥିଲେ । ଏହି ଅତ୍ୟାଧୁନିକ ଡିପୋ ଦୁଇଟିରେ ମେସିନ୍ ଜରିଆରେ ବସ୍ ପରିଷ୍କାର କରିବା ସହିତ ବସ୍ ଗୁଡିକରେ ତେଲ ପକାଇବାର ସୁବିଧା ମଧ୍ୟ କରାଯାଇଛି । ପରେ ମୁଖ୍ୟମନ୍ତ୍ରୀ ପୋଖରୀପୁଟ ଠାରେ ରାଜ୍ୟ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନବର୍ନିମିତ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନର ଉଦ୍ଘାଟନ କରିଥିଲେ । ୧୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରତିଷ୍ଠାନରେ ସମସ୍ତ ପ୍ରକାର ଅକ୍ଷମତାର ପରୀକ୍ଷା, ଚିକିତ୍ସା, ଗତିଶୀଳତାର ତାଲିମ, ପ୍ରାକ୍ ବିଦ୍ୟାଳୟ ଶିକ୍ଷା, ଚିତ୍ରକଳା, ନୃତ୍ୟଗୀତ ତାଲିମ ତଥା ବୃତ୍ତିଗତ ଶିକ୍ଷା ଓ ବିଭିନ୍ନ ପ୍ରକାର ପରାମର୍ଶର ବନ୍ଦୋବସ୍ତ କରାଯାଇଛି । ଏହି ପ୍ରତିଷ୍ଠାନରେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ୧୦୦ ଜଣ ଭିନ୍ନକ୍ଷମ ପିଲାଙ୍କର ରହଣୀର ସୁବନ୍ଦୋବସ୍ତ କରାଯାଇଛି । ଏଠାରେ ପିଲାମାନଙ୍କର ଅଭିଭାବକ ମଧ୍ୟ ପିଲାମାନଙ୍କ ସହିତ ରହି ଚିକିତ୍ସା କରାଇ ପାରିବେ । ଏହି କେନ୍ଦ୍ରରେ ଉତ୍ତତମାନର ଯନ୍ତ୍ରପାତିର ସୁବିଧା ମଧ୍ୟ କରାଯାଇଛି । ଏହିସବୁ କାର୍ଯ୍ୟକ୍ରମରେ ମନ୍ତ୍ରୀ ପଦ୍ମନାଭ ବେହେରା, ମନ୍ତ୍ରୀ ପ୍ରତାପ ଜେନା,ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଶାସନ ସଚିବ ଉପସ୍ଥିତ ଥିଲେ ।

Leave A Reply

Your email address will not be published.