ଓଡିଶାରେ ଆନ୍ଧ୍ର ମନ୍ତ୍ରୀଙ୍କର ଦବଙ୍ଗଗିରି… ନୂଆ ଘଟଣା ନୂହେଁ

0 61


୧୫ ବର୍ଷ ଧରି ଆନ୍ଧ୍ର ଏଭଳି ଷଡଯନ୍ତ୍ର ଚଳାଇଛି


ପାରଳାଖେମୁଣ୍ଡି, ୧୧ା୯ : ଗତ ୯ ତାରିଖ ଦିନ ଆନ୍ଧ୍ର ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ସିନ୍ଧିରି ଆପଲାରାଜୁଙ୍କ ଓଡିଶାର ମାଣିକପାଟଣା ଗ୍ରାମରେ ଦବଙ୍ଗଗିରି ଓ ଓଡିଶା ପ୍ରଶାସନିକ ଅଧିକାରୀଙ୍କୁ ଅଶୋଭନୀୟ ଘଟଣା ପ୍ରଥମ ଘଟଣା ନୁହେଁ । ଏଭଳି ଘଟଣା ଗତ ୧୫ବର୍ଷ ଧରି ରହି ଆସିଛି । ଭିନ୍ନ ଭିନ୍ନ ସମୟରେ ଆନ୍ଧ୍ର ସରକାରଙ୍କ ମନ୍ତ୍ରୀ, ପଦସ୍ଥ ଅଧିକାରୀ, ରାଜନେତା ଓ ଦଲାଲମାନେ ଏହି ମାଣିକପାଟଣା ଗ୍ରାମକୁ ଦଖଲ କରିବାକୁ ବିଭିନ୍ନ ପ୍ରକାର ପ୍ରୟାସ ଓ ଷଡଯନ୍ତ୍ର କରି ଆସୁଛନ୍ତି । ତଥାପି ଓଡିଶା ସରକାରଙ୍କ ନିଦ ଭାଙ୍ଗୁନାହିଁ କିମ୍ବା ଉଚିତ ପଦକ୍ଷେପ ନିଆନଯାଇ ସମସ୍ତ ଘଟଣାକୁ ହାଲ୍କା ଭାବେ ଓଡିଶା ସରକାର ଗ୍ରହଣ କରୁଥିବାରୁ ଗତ ୧୫ବର୍ଷ ଧରି ଆନ୍ଧ୍ର ସରକାର ବହୁ ଷଡଯନ୍ତ୍ର ଚଳାଇଛନ୍ତି ବୋଲି ଅତ୍ୟନ୍ତ ଉଦ୍ବେଗର ସହ ଏହି ମାଣିକପାଟଣା ଗ୍ରାମ ସମେତ ଗଙ୍ଗାବାଡ ଏବଂ କେରାଣ୍ଡି ପଞ୍ଚାୟତର କେତେକ ଗ୍ରାମବାସୀ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି, ଏହି ଅଞ୍ଚଳର ରାସ୍ତା ଓ ଗମନାଗମନ ମୁଖ୍ୟ ସମସ୍ୟା ଅଟେ । ମାଣିକପାଟଣା ଗ୍ରାମରେ ୪୪ ପରିବାର ବସବାସ କରନ୍ତି । ଏହି ସମସ୍ତ ଅଞ୍ଚଳର ଲୋକେ ଆଦିବାସୀ ସମ୍ପ୍ରଦାୟର ଅଟନ୍ତି । ଚାଷ, ପଶୁପାଳନ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଆଦି ଏମାନଙ୍କର ଜୀବନ ଜୀବୀକା ଅଟେ । ଜରୁରୀ ସ୍ୱାସ୍ଥ୍ୟସେବା ଠାରୁ ଆରମ୍ଭ କରି ଯେକୌଣସି କାର୍ଯ୍ୟରେ ବ୍ଲକ ମହକୁମା ରାୟଗଡକୁ ଯିବାକୁ ଓଡିଶା ପଥରେ ସ୍ୱାଧୀନତାର ୭୫ବର୍ଷ ପରେ ସୁଦ୍ଧା ସିଧାସଳଖ ରାସ୍ତାଟିଏ ନାହିଁ । ରାୟଗଡ ବ୍ଲକ ମହକୁୁମାକୁ ଯିବାକୁ ହେଲେ ଆନ୍ଧ୍ରର ମଞ୍ଜୁଷା ଦେଇ ଗଜପତି ଜିଲ୍ଲାର ଗାରାବନ୍ଧ ଗ୍ରାମ ବାଟେ ଓଡିଶାକୁ ଯିବା ଆସିବାକୁ ପଡେ । ଦୁର୍ଗମ ବନାଞ୍ଚଳ ଓ ବିପଦପୂର୍ଣ୍ଣ ଏହି ରାସ୍ତାରେ ଯାତାୟତ ବେଳେ ଅନେକ ସମସ୍ୟା ଓ ଅସୁବିଧାର ସମ୍ମୁଖୀନ ହେଉଛୁ । ଗଙ୍ଗାବାଡରୁ ସିଧାସଳଖ ରାୟଗଡ ବ୍ଲକ ମହକୁମାକୁ ରାସ୍ତା ପାଇଁ ଗତ ୧୫ମଧ୍ୟରେ ଅନେକ ଦାବି କରିଛୁ । ହେଲେ ଆମ ସରକାର ଏଥି ପ୍ରତି ଗୁରୁତ୍ୱ ଦେଇ ନାହାନ୍ତି । ତେଣୁ ଆମ୍ଭେମାନେ ଆନ୍ଧ୍ର ଦେଇ ଯିବାକୁ ବାଧ୍ୟ ହେଉଛୁ । ଆନ୍ଧ୍ର ମନ୍ତ୍ରୀ, ନେତା, ଅଧିକାରୀମାନେ ବିଗତ ବହୁବର୍ଷ ହେଲା ଗଙ୍ଗାବାଡ ପଞ୍ଚାୟତରେ ଆନ୍ଧ୍ରର ନିର୍ବାଚନ ବେଳେ ଭୋଟ ପ୍ରଚାର ଓ ଭୋଟ ଦେବା ପାଇଁ ମଧ୍ୟ ପ୍ରଲୋଭନ ଦେଖାଇ ଆସୁଛନ୍ତି । ଏପରିକି ଗଙ୍ଗାବାଡ ଅଞ୍ଚଳର କେତେକ ଗ୍ରାମବାସୀଙ୍କ ନାମ ଆନ୍ଧ୍ର ଭୋଟର ତାଲିକାରେ ଉଦ୍ଦେଶ ମୂଳକ ଭାବେ ରଖାଯାଇ ଓଡିଶାବାସୀଙ୍କୁ ଆନ୍ଧ୍ରରେ ସାମିଲ କରିବା ପାଇଁ ଅନେକ ଅପଚେଷ୍ଟା କରିଚାଲିଛନ୍ତି ଆନ୍ଧ୍ର ସରକାର । ତେବେ ଗ୍ରାମବାସୀମାନେ ସମସ୍ତ ପ୍ରଲୋଭନକୁ ଏଡାଇ ଏଥିରୁ ନିବୃତ୍ତ ରହିଆସିଛନ୍ତି । ଓଡିଶାର ଜଙ୍ଗଲରୁ ବହୁ ପରିଶ୍ରମରେ ଆଦାୟ କରିଥିବା ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟର ବିକ୍ରିବଟାରେ ଆନ୍ଧ୍ର ବ୍ୟବସାୟୀମାନେ ଆମକୁ ଠକି ଚାଲିଛନ୍ତି । ତେଣୁ ବର୍ତ୍ତମାନ ଆମ୍ଭେମାନେ ଆନ୍ଧ୍ର ବ୍ୟବସାୟୀଙ୍କୁ ଜଙ୍ଗଲଜାତ ଦ୍ରବ୍ୟ ନ ବିକ୍ରିକରି ଓଡିଶାରେ ବିକ୍ରିି କରୁଛୁ । ଉଚିତ ଅର୍ଥ ମଧ୍ୟ ଏଥିରୁ ପାଇ ଖୁସି ଅଛୁ । ଏହି ଜଙ୍ଗଲଜାତ ଦ୍ରବ୍ୟ ଆନ୍ଧ୍ର ବ୍ୟବସାୟୀଙ୍କୁ ବିକ୍ରି ନ କରିବାରୁ ସେମାନେ ଆମ ଉପରେ କ୍ଷବ୍ଧ ହୋଇପଡିଛନ୍ତି । ବର୍ଷ ବର୍ଷ ଧରି ଆମ୍ଭମାନଙ୍କୁ ଠକି କୋଟି କୋଟି ଟଙ୍କାର ମାଲିକ ହୋଇଥିବା ଏହି ବ୍ୟବସାୟୀମାନେ ବିଭିନ୍ନ ରାଜନେତା, ସରକାରୀ ଅଧିକାରୀ, ଦଲାଲ ଏମାନଙ୍କୁ ଅର୍ଥ ଦ୍ୱାରା ଆୟତ୍ତ କରି ଆମେ ବସବାସ କରୁଥିବା ଓଡିଶାର ଗ୍ରାମଗୁଡିକରେ ଏଭଳି ବିଭିନ୍ନ ଅରାଜକତା ଓ ଉତ୍ତେଜନା ଗତ ୧୫ବର୍ଷ ଧରି ସୃଷ୍ଟି କରି ଆସୁଛନ୍ତି । ଏହାଛଡା ଓଡିଶାର ଆମ ଅଞ୍ଚଳର ଅନେକଙ୍କୁ ଆନ୍ଧ୍ର ଗୁଣ୍ଡାମାନେ ଆକ୍ରମଣ କରିଛନ୍ତି । ଅନେକଙ୍କୁ ଆନ୍ଧ୍ର ପୋଲିସ ମଧ୍ୟ ଉଠାଇ ନେଇ ମିଥ୍ୟା ମକଦ୍ଦମା କରି ବହୁ ନିର୍ଯ୍ୟାତନା ମଧ୍ୟ ଦେଇଛନ୍ତି । ଏଭଳି ଅନେକ ଘଟଣା ଆମ ଅଞ୍ଚଳରେ ଘଟୁଥିଲେ ସୁଦ୍ଧା ଓଡିଶା ସରକାର ଚେଇଁ ଶୋଇବା ଭଳି ରହିବା ଯୋଗୁଁ ଆନ୍ଧ୍ରର ଉପଦ୍ରବ ଓଡିଶାରେ ବଢି ଚାଲିଛି । ଓଡିଶା ଗଜପତି ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କୁ ଗତ ୯ ତାରିଖ ଦିନ ଆନ୍ଧ୍ର ମନ୍ତ୍ରୀଙ୍କ ଦବଙ୍ଗଗିରି ଓ ଅଶୋଭନୀୟ ଆଚରଣ ଆଦି ନେଇ ଯଦି ଓଡିଶା ସରକାର ଉଚିତ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ଓଡିଶାରେ ଆନ୍ଧ୍ରର ଏଭଳି ଶାସନ ବଢି ଚାଲିବ ।

Leave A Reply

Your email address will not be published.