ପେଗାସସ୍ ମାମଲା : କେନ୍ଦ୍ରକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

0 70

ନୂଆଦିଲ୍ଲୀ : ପେଗାସସ୍ ବିବାଦ ମାମଲାରେ ବର୍ତ୍ତମାନ ଯାଏଁ କେନ୍ଦ୍ର ସରକାର କ’ଣ କରିଛନ୍ତି? ଏଯାଏଁ ଆଫିଡେଭିଟ୍ ଦାଖଲ କାହିଁକି ହୋଇନାହିଁ ? ପର୍ସନାଲ ଫୋନ୍ ରେ ହ୍ୟାକିଂ ହୋଇଛି ନା ନାହିଁ ? ଏସବୁ ପ୍ରଶ୍ନ ପଚାରି ଆଜି କେନ୍ଦ୍ର ସରକାରଙ୍କୁ ପେଗାସସ୍ ବିବାଦ ମାମଲାରେ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି । ପେଗାସସ ମାମଲାରେ କୋର୍ଟଙ୍କ ତଦାରଖରେ ଏସ୍ଆଇଟି ତଦନ୍ତ ପାଇଁ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେଇଛି । ସିଜେଇ ଏନ୍.ଭି. ରମନ୍ନା, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଏସ୍ ବୋପାନ୍ନାଙ୍କ ତିନି ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି । ଶୁଣାଣି ବେଳେ ପେଗାସସ୍ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସର୍ବୋଚ୍ଚ ଅଦାଲତ । ସିଜେଆଇ ଶ୍ରୀ ରାମନ୍ନା କହିଛନ୍ତି ଯେ ଆପଣ ବାରମ୍ବାର ସମାନ ଜିନିଷକୁ ଦୋହରାଉଛନ୍ତି । ଆମେ ଜାଣିବାକୁ ଚାହୁଁଛୁ ସରକାର କ’ଣ କରୁଛନ୍ତି ? ଆମେ ଜାତୀୟ ସ୍ୱାର୍ଥ ପ୍ରସଙ୍ଗରେ ଯାଉନାହୁଁ । ଆମର ଚିନ୍ତା ସୀମିତ ଲୋକମାନଙ୍କ ବିଷୟରେ । ଆପଣ କାହିଁକି ଏଯାଏଁ ଆଫିଡେଭିଟ୍ ଦାଖଲ କରିନାହାନ୍ତି ? ସଂସଦରେ ଆଇଟି ମନ୍ତ୍ରୀଙ୍କ ବିବୃତ୍ତି ଅନୁଯାୟୀ ବୈଷୟିକ ବିଶ୍ଳେଷଣ ବିନା ଫୋନର ମୂଲ୍ୟାଙ୍କନ କରିବା କଷ୍ଟକର ବୋଲି କହି କେନ୍ଦ୍ର ସରକାରଙ୍କୁ ସିଜେଆଇ ଭର୍ତ୍ସନା କରିଛନ୍ତି । ଏହାସହ ପେଗାସସ୍ ମାମଲାରେ କୋର୍ଟ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି ।

ସେପଟେ କୋର୍ଟଙ୍କ ପ୍ରଶ୍ନରେ ସରକାର କହିଛନ୍ତି,ଆମର ଲୁଚାଇବାକୁ କିଛି ନାହିଁ, କିନ୍ତୁ ଜାତୀୟ ସୁରକ୍ଷା କାରଣରୁ ଆମେ ଏହା ଉପରେ ଏକ ଆଫିଡେଭିଟ୍ ଦାଖଲ କରିପାରିବୁ ନାହିଁ । ସରକାରଙ୍କ ତରଫରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଆଫିଡେଭିଟ୍ ମାଧ୍ୟମରେ ଏ ବିଷୟରେ କିଛି କୁହାଯାଇପାରିବ ନାହିଁ । ଆଫିଡେଭିଟ୍ ଦାଖଲ କରିବା ଏବଂ ପରେ ଏହାକୁ ସାର୍ବଜନୀନ କରିବା ସମ୍ଭବ ନୁହେଁ । ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଆମେ କେଉଁ ସଫ୍ଟୱେୟାର ବ୍ୟବହାର କରୁଛୁ ଜାଣିବା ପାଇଁ ଆତଙ୍କବାଦୀଙ୍କୁ ସୁଯୋଗ ଦେଇପାରିବୁ ନାହିଁ । କୋର୍ଟ କହିଛନ୍ତି, ଆମେ ଏକ ଉତ୍ତର ଖୋଜିଛୁ ଯେଉଁମାନଙ୍କ ଫୋନ୍ ଟ୍ୟାପ୍ ହୋଇଥିବା ଅଭିଯୋଗ ହେଉଛି ତା ସତ କି ମିଥ୍ୟା ? ଏହି ମାମଲାର ଶୁଣାଣି କରୁଥିବା ଜଷ୍ଟିସ ସୂର୍ଯ୍ୟକାନ୍ତ ସରକାରଙ୍କୁ ପ୍ରଶ୍ନ କରିଛନ୍ତି, “ଗତଥର ମଧ୍ୟ ଆପଣ ଜାତୀୟ ସୁରକ୍ଷା ଯୁକ୍ତି ଉପସ୍ଥାପନ କରିଥିଲେ ଏବଂ ଆମେ କହିଥିଲୁ ଯେ ଏହି ପ୍ରସଙ୍ଗରେ କେହି ହସ୍ତକ୍ଷେପ କରିପାରିବେ ନାହିଁ । ଲୋକଙ୍କ ଫୋନ୍ ହ୍ୟାକିଂ ବିଷୟରେ ଆମେ ବ୍ୟକ୍ତିଗତ ଭାବରେ ଆପଣଙ୍କଠାରୁ ଉତ୍ତର ଖୋଜୁଛୁ ।’ ଗତ ଶୁଣାଣିରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କେନ୍ଦ୍ର ପକ୍ଷରୁ କହିଥିଲେ ଯେ, ଏ ବାବଦରେ ସବିଶେଷ ପ୍ରମାଣପତ୍ର ଦାଖଲ କରାଯିବାକୁ ବିଚାର ଚାଲିଛି । ଏହା ପୂର୍ବରୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନୋଟିସ୍ ଜାରି କରି ଏହାର ଜବାବ ମାଗିଥିଲେ । ଏହି ମାମଲାର ସମସ୍ତ ଦିଗ ଉପରେ ଦୃଷ୍ଟି ରଖିବା ପାଇଁ ବିଶେଷଜ୍ଞ କମିଟି ଗଠନ ପାଇଁ କେନ୍ଦ୍ରର ପ୍ରସ୍ତାବକୁ ଯାଞ୍ଚ କରାଯିବ ବୋଲି ଖଣ୍ଡପୀଠ କହିଥିଲେ ।

Leave A Reply

Your email address will not be published.