ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ବିଏସ୍କେୱାଇ କାର୍ଡ : ସୁନ୍ଦରଗଡ଼ବାସୀଙ୍କୁ ୫୮୦ କୋଟିର ପ୍ରକଳ୍ପ ଭେଟି

69

-ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଉଦ୍ୟମ ଜାରି ରହିବ: ନବୀନ
-‍ବର୍ଷକ ଭିତରେ ସୁନ୍ଦରଗଡ଼କୁ ୫୬୦୦ କୋଟି
-ଉପକୃତ ହେବେ ୪ଲକ୍ଷ ୩୭ହଜାର ହିତାଧିକାରୀ

ରାଉରକେଲା : ଅବିଶ୍ରାନ୍ତ ବର୍ଷା ସତ୍ତେ୍ୱ ରାଉରକେଲାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲାର ହିତାଧିକାରୀଙ୍କୁ “ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଆଇଜିଏଚ୍ ସୁର ସ୍ପେଶିଆଲିଟି ହସ୍ପିଟାଲ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକଟି ଜୀବନ ମୋ ପାଇଁ ମୂଲ୍ୟବାନ । ସାଢେ ଚାରି କୋଟି ଜନତା ମୋ ପରିବାର । ତେଣୁ ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବ ମୋର
ଲକ୍ଷ୍ୟ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ଦ୍ୱାରା ଗରିବ ଲୋକ ସ୍ୱାସ୍ଥ୍ୟସେବା ପାଇଁ ଚିକିତ୍ସା ଖର୍ଚ୍ଚ ଜନିତ ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ିଲେ ଚିକିତ୍ସା ପାଇଁ କିପରି ଜମି ବିକିବାକୁ ବାଧ୍ୟ ହୁଅନ୍ତି ଓ ପିଲାଙ୍କ ପାଠପଢ଼ା ବନ୍ଦ କରନ୍ତି ତାହା ମୋତେ ଦୁଃଖ ଦିଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏଥିସହିତ ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ସ୍ଥାପନ ପ୍ରସଙ୍ଗ ଉଠାଇଥିଲେ । ଏଥିପାଇଁ ରାଜ୍ୟ ସରକାର ତାଙ୍କ ପ୍ରୟାସ ଜାରି ରଖିବେ । ଦେଶ ପାଇଁ ଅଲିମ୍ପିକ୍ସ୍ରେ ଗୌରବ ଆଣିଥିବା ସୁନ୍ଦରଗଡ଼ବାସୀଙ୍କ ଏହି ନ୍ୟାୟପୂର୍ଣ୍ଣ ଦାବି ପୂରଣ ପାଇଁ କେନ୍ଦ୍ର ନିକଟରେ ଓଡ଼ିଶା ସରକାର ତାଙ୍କର ଉଦ୍ୟମ ଆହୁରି ଜୋରଦାର କରିବେ ବୋଲି କହିଥିଲେ । ଏଥିସହ ୫୮୦.୮୨ କୋଟି ବ୍ୟୟ ଅଟକଳର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାର ମୋଟ ୪ ଲକ୍ଷ ୩୭ ହଜାର ୩୩୩ ରାସନକାର୍ଡ ଧାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ କରାଯିବ । ଏହି କାର୍ଡରୁ ଜିଲ୍ଲାର ମୋଟ ୧୫ ଲକ୍ଷ ୯ ହଜାର ୬୩୧ ଲୋକ ମାଗଣା ସ୍ୱାସ୍ଥ୍ୟ ସେବା ପାଇବେ । ରାଉରକେଲାରେ ମୋଟ ୬୮ ହଜାର୫୭୫ ରାସନ କାର୍ଡଧାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ମିଳିବ । ଏହା ଦ୍ୱାରା ୨ ଲକ୍ଷ ୨୩ ହଜାର ୪୧୮ ଜଣ ଉପକୃତ ହେବ । ସୁନ୍ଦରଗଡ଼ ପୌରପାଳିକାରେ ୫, ୪୦୭, ରାଜଗାଙ୍ଗପୁର ପୌରପାଳିକାରେ ୮,୭୯୧, ବୀରମିତ୍ରପୁର ପୌରପାଳିକାରେ ୬, ୫୧୪ ଜଣଙ୍କୁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ମିଳିବ । ସେମିତି ବାଲିଶଙ୍କରା ବ୍ଲକରେ ୨୩, ୧୪୯, ବଡ଼ଗାଁରେ ୧୮,୨୪୦, ବିଶ୍ରାରେ ୧୬,୭୦୫, ବଣାଇରେ ୧୫,୯୮୯, ଗୁରୁଣ୍ଡିଆରେ ୧୭,୩୬, ହେମଗିରିରେ ୨୧,୫୯୮, କୋଇଡ଼ାରେ ୧୮,୭୯୦, କୁଆରମୁଣ୍ଡାରେ ୨୪,୬୫୮, କୁତ୍ରାରେ ୧୯,୫୭୬ କାର୍ଡଧାରୀଙ୍କୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ମିଳିବ । ଅନୁରୂପ ଭାବେ ଲହୁଣୀପଡ଼ା ବ୍ଲକରେ ୨୩,୪୭୩, ଲାଠିକଟ। ରେ ୨ ୬ , ୩ ୩ ୭ ୮ ,ଲେଫ୍ରିଡ଼ାରେ ୨୦,୪୬୪, ନୂଆଗାଁରେ ୨୬,୩୩୭, ରାଜଗାଙ୍ଗପୁରରେ ୨୪,୭୦, ସବ୍ଡେଗାରେ ୧୬,୪୮୫, ସୁନ୍ଦରଗଡ଼ ସଦର ବ୍ଲକରେ ୧୭,୭୫୦, ଟାଙ୍ଗରପାଲି ବ୍ଲକରେ ୧୭,୩୮୯ ରାସନ କାର୍ଡଧାରୀଙ୍କୁ ଏହି ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଛି ।

ଅନୁରୂପ ଭାବେ ଜିଲ୍ଲାର ୧୭ ବ୍ଲକରେ ୧୩ରୁ ଅଧିକ ମନ୍ତ୍ରୀ, ସାଂସଦ, ବିଧାୟକ ଓ ନିଗମ ଅଧ୍ୟକ୍ଷ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି ସୁନ୍ଦରଗଡ଼ରେ ରାଜ୍ୟ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ଓଟିଡିସି ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ବଣ୍ଟନ କରିଛନ୍ତି । ବାଲିଶଙ୍କରା ବ୍ଲକରେ ଉଚ୍ଚଶିକ୍ଷା ଓ କୃଷିମନ୍ତ୍ରୀ ଅରୁଣ ସାହୁ ଓ ପୁଷ୍ପେନ୍ଦ୍ର ସିଂହଦେଓ, ବଣାଇ ବ୍ଲକରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ଓଡ଼ିଶା ଖାଦ୍ୟ ନିଗମ ଅଧ୍ୟକ୍ଷ ଈଶ୍ୱର ପାଣିଗ୍ରାହୀ, ଲହୁଣୀପଡ଼ା ବ୍ଲକରେ ଶିଳ୍ପ, ଶକ୍ତି ଓ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଅମରେନ୍ଦ୍ର ଦାସ, ସବଡେଗା ବ୍ଲକରେ ଆଦିବାଦୀ ଜନଜାତି ଓ ଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ଟାଙ୍ଗରପାଲି ବ୍ଲକରେ ପର୍ଯ୍ୟଟନ ଓ ସଂସ୍କୃତିମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ସହ ସତ୍ୟବ୍ରତ ତ୍ରିାଠୀ, ବଡଗାଁରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ସହ ପ୍ରଭାତ ଆଦିତ୍ୟ ମିଶ୍ର, କୁତ୍ରାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସହ ଦେବାଶିଷ ମହାନ୍ତି, ଲାଠିକଟା ବ୍ଲକରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସହ ରାମଚନ୍ଦ୍ର ପଣ୍ଡା, ସୁନ୍ଦରଗଡ଼ ପୌରପାଳିକାରେ ହସ୍ତତନ୍ତ୍ର ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ସହ ଦେବାଶିଷ ମଲ୍ଲିକ, ହେମଗିରି ବ୍ଲକରେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ରାଜ୍ୟ ମୁଖପାତ୍ର ସୁଲତା ଦେଓ ବଣ୍ଟନ କରିଛନ୍ତି । ଅନ୍ୟ ବ୍ଲକରେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ସୂଚନା ଓ ଲୋକ ସମ୍ପର୍କମନ୍ତ୍ରୀ ରଘୁନନ୍ଦନ ଦାସ, ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମହିଳା ଓ ଶିଶୁ ବିକାଶମନ୍ତ୍ରୀ ଟୁକୁନି ସାହୁ ଓ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ବଣ୍ଟନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ,ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥ ପାଲୀ ବିଧାୟକ ସୁବ୍ରତ ତରାଇ ଉପସ୍ଥିତ ଥିଲେ । ବିଧାୟକ ଶ୍ରୀ ନାୟକ ସ୍ୱାଗତ ଭାଷଣ ଦେଇଥିଲେ । ବିଧାୟକ ସୁବ୍ରତ ତରାଇ ଧନ୍ୟବାଦ ଦେଇଥିଲେ । ଆକାଶ ଦାସ ନାୟକ ଓ ଶ୍ରୀ ମୟୀ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Comments are closed.