ଶନିବାର ୪ ଜିଲ୍ଲାରେ ବନ୍ୟା ଆଶଙ୍କା

0 66

ଭୁବନେଶ୍ୱର : ଶନିବାର ସନ୍ଧ୍ୟାରେ ରାଜ୍ୟର ୪ ଜିଲ୍ଲାରେ ବନ୍ୟା ଆଶଙ୍କା ଥିବା ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଏଥିପାଇଁ କଟକ, ପୁରୀ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାକୁ ସତର୍କ କରାଯାଇଛି । ଏସଆରସି କହିଛନ୍ତି, ଶନିବାର ସକାଳ ସୁଦ୍ଧା ମୁଣ୍ଡଳୀରେ ୮ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ, ଯାହାର ପ୍ରଭାବରେ ଏହି ୪ ଜିଲ୍ଲାରେ ଶନିବାର ସନ୍ଧ୍ୟାରେ ଏକ ନିମ୍ନ- ମଧ୍ୟମ ଧରଣର ବନ୍ୟା ପାସ୍ କରିବ । ଯେହେତୁ ଛତିଶଗଡରେ ପ୍ରବଳ ବର୍ଷା ହେଉଛି । ସେଥିପାଇଁ ହୀରାକୁଦକୁ ସେକେଣ୍ଡ ପିଛା ୫ ଲକ୍ଷ ୨୦ ହଜାର ୪୫୭ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିଭଳି ହୀରାକୁଦରୁ ୨୮ଟି ଗେଟ୍ ଦେଇ ୪ ଲକ୍ଷ ୮୧ ହଜାର କ୍ୟୁସେକ ଜଳ ନଦୀ ମଧ୍ୟକୁ ନିଷ୍କାସିତ ହେଉଛି, ଯାହାର ପ୍ରଭାବରେ ଶନିବାର ସକାଳ ସୁଦ୍ଧା ମୁଣ୍ଡଳୀରେ ୮ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ।

ଆଗକୁ ପୂର୍ଣ୍ଣିମା ଥିବାରୁ ଜଳ ନିଷ୍କାସନରେ ସମସ୍ୟା ଦେଖାଦେବ ବୋଲି କହିଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ । ଯେଉଁଥିପାଇଁ ଏହା ଉପରେ ନଜର ରଖିବାକୁ ଜଳ ସମ୍ପଦ ବିଭାଗର ଜଣେ ଲେଖାଏଁ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଯେଉଥିପାଇଁ ଉପକୂଳ ଜିଲ୍ଲା ଗୁଡିକରେ ଓଡ୍ରାଫ୍, ଏନଡିଆରଏଫ ଓ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି । ଓଡ୍ରାଫର ୩୦ଟି ଟିମ, ଏନଡିଆରଏଫର ୧୨ଟି ଟିମ ଓ ଅଗ୍ନିଶମର ୧୦ଟି ଟିମକୁ ମୁତୟନ କରାଯାଇଛି । ତେବେ ବର୍ତମାନ ସୁଦ୍ଧା ୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳ ୨ଜଣ ନିଖୋଜ ଅଛନ୍ତି ।

ସେ ଆହୁରି କହିଛନ୍ତି ଯେ ହୀରାକୁଦରେ ୨୮ଟି ଗେଟ୍ ଖୋଲା ଯାଇଥିଲେ ବି ମୁଣ୍ଡଳିରେ ସ୍ଥିତି ନିରାପଦ ରହିଛି । ଏଠାରେ ବିପଦ ସଂକେତ ୯୭.୨୫ ଫୁଟ୍ ଥିବାବେଳେ ବର୍ତମାନ ଜଳ ପତନ ଏହାର ବହୁ ତଳେ ରହିଛି । ବ୍ୟାରେଜର ସମସ୍ତ ଗେଟ୍ ଖୋଲାଯାଇଛି । ଫଳରେ ମୁଣ୍ଡଳୀ ଦେଇ ଏବେ ସାଢ଼େ ୫ ଲକ୍ଷରୁ ୬ ଲକ୍ଷ କ୍ୟୁସେକ୍ ପାଣି ପ୍ରବାହିତ ହେଉଛି ।

Leave A Reply

Your email address will not be published.