ଗିରିଙ୍କ ପରିବାରକୁ ଘର ମିଳିବ କେବେ

0 66

ନୂଆପଡ଼ା : ଖାଦ୍ୟ ବସ୍ତ୍ର ଶିକ୍ଷା ସ୍ୱାସ୍ଥ୍ୟ ଓ ବାସଗୃହ ଲୋକଙ୍କ ମୌଳିକ ଆବଶ୍ୟକତା ହୋଇଥିବା ବେଳେ ସରକାର ମଧ୍ୟ ଅନେକ ଯୋଜନା ମାଧ୍ୟମରେ ଏସବୁ ଲୋକଙ୍କୁ ଯୋଗାଇବାର ବ୍ୟବସ୍ଥା କରୁଛନ୍ତି । କିନ୍ତୁ ଅନେକ ଗରିବ ଓ ନିରାଶ୍ରୟ ଲୋକ ସବୁ ପ୍ରକାର ଯୋଗ୍ୟତା ସତ୍ତ୍ୱେ ଏବେ ମଧ୍ୟ ତାହାର ସୁଫଳ ପାଉ ନାହାଁନ୍ତି । ଯୋଜନାର ସଫଳ ରୂପାୟନ ପାଇଁ ପ୍ରଶାସନିକ ଇଛାଶକ୍ତିର ଅଭାବ ସକାଶେ ସରକାରଙ୍କ ଜନ ମଙ୍ଗଳ ଯୋଜନା ସବୁ ଫେଲ ମାରୁଛି । ବିଶେଷ କରି ଆବାସ ଯୋଜନାରେ ବହୁ ପରିବାର ସାମିଲ ହୋଇ ନ ପାରି ଭଙ୍ଗା ଦଦରା ଘରେ ଭାଗ୍ୟ ଆଦରି ପଡି ରହିଛନ୍ତି । ଏସ ଇ ସି ସି ରେ ନାଁ ନ ଥିବା ଦର୍ଶାଇ ସେମାନଙ୍କୁ ଘର ଖଣ୍ଡେ ମଧ୍ୟ ଦିଆ ଯାଉନି । ସୂଚନା ମତେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ସାନ ମହେଶ୍ୱର ଗ୍ରାମ ପଞ୍ଚାୟତ।ଏହି ଗ୍ରା ପ ର ଘରଧରା ଗ୍ରାମର ଗିରି ହରିଜନ ଦାଶ ପ୍ରାଣୀ କୁଟୁମ୍ବକୁ ନେଇ ସଂସାର ।

ଏକ ଚାଲ ଛପର ମାଟି ଘରେ ନିଜ ଅଭାବୀ ଦୁନିଆକୁ ନେଇ ଦୁଃଖେ ସୁଖେ ଚଳୁଥିବା ବେଳେ ୨୦୧୭ ମସିହାରେ ବର୍ଷାରେ ଘର ଭାଙ୍ଗିଗଲା । ସେହି ଦିନ ଠାରୁ ଗାଁର କ୍ଳବ ଘରେ ଜୀବନ ବିତୁଛି । ଗିରିଙ୍କ ଦୁଇ ପୁଅ, ବଡ଼ ପୁଅର ପରିବାର ସହ ଏକ ଦିବ୍ୟାଙ୍ଗ ଝିଅ, ଅଶୀ ବର୍ଷୀୟା ମାଁ ଓ ନିଜ ସହଧର୍ମିଣୀ ସହ ଏକାଠି ଚାରି ବର୍ଷ କ୍ଳବ ଘରେ ରହୁଛନ୍ତି । ଦୁଇ ପୁଅ ଦାଦନ ଯାଇଛନ୍ତି । ଘର ଖଣ୍ଡେ କରିବାକୁ ସମ୍ବଳ ନାହିଁ । ସରପଞ୍ଚ ଠାରୁ ଜିଲ୍ଲାପାଳ ଯାଏ ଅନେକଙ୍କୁ କେତେ ଥର ଜଣାଇଲେଣି ।କେହି ତାଙ୍କ କଥା ଶୁଣୁ ନାହାଁନ୍ତି । ଏସ ଇ ସି ସି ଡାଟାରେ ନାଁ ଥିଲେ ଠିକ ସମୟରେ ମିଳିବ ବୋଲି କହୁଛନ୍ତି । ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦିଆଯିବ, କେହି ଭଙ୍ଗାଘରେ କି ପରାଶ୍ରିତ ହୋଇ ରହିବେନି,ଏମିତି କେତେ କେତେ ଘୋଷଣା ସରକାର ଗଳା ଫଟାଇ ଚିତ୍କାର କରି କହୁଛନ୍ତି । ସରକାରଙ୍କ ଘୋଷଣା ଯେ ଧୂଆଁବାଣ ଗିରିଙ୍କ ପରିବାରକୁ ଦେଖିଲେ ଯେ କେହି ଦମ୍ଭର ସହ ଏକଥା କହି ପାରିବ । ଏନେଇ ଖଡ଼ିଆଳ ବିଡିଓ ନାରାୟଣ ସାହୁ ତଦନ୍ତ କରି ଅତିଶିଘ୍ର ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । 

Leave A Reply

Your email address will not be published.