ଟଳିନି ବନ୍ୟା ଭୟ, ୬ ଜିଲ୍ଲାକୁ ହାଇଆଲର୍ଟ

65

ଭୁବନେଶ୍ୱର : ଲଗାଣ ବର୍ଷା ପରେ ହୀରାକୁଦ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇଛି । ଜଳ ନିଷ୍କାସନ ନେଇ ୨୮ଟି ଗେଟ୍ ଖୋଲାଯାଇଥିବାରୁ ଜଳର ପ୍ରବାହ ଅଧିକ ରହିଛି । ତେଣୁ ମହାନଦୀ ସଂଲଗ୍ନ ତଳିଆ ଅଞ୍ଚଳଗୁଡ଼ିକରେ ଛୋଟଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆକଳନ କରାଯାଉଛି । ତେବେ ଏହି ସମ୍ଭାବ୍ୟ ବନ୍ୟା ସମ୍ପର୍କରେ ସୂଚନା ଦେଇଛନ୍ତି ଏସ୍ଆରସି ପ୍ରଦୀପ ଜେନା । ସେ କହିଛନ୍ତି ଯେ,ଛତିଶଗଡ଼ରେ ପ୍ରବଳବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର ବୃଦ୍ଧି ପାଉଛି । ହୀରାକୁଦକୁ ୫.୨୦ ଲକ୍ଷ କୁସେକ୍ ଜଳ ପଶୁଛି । ୪.୮୦ ଲକ୍ଷ କୁସେକ୍ ଜଳ ନିଷ୍କାସନ ହେଉଛି । ହୀରାକୁଦରୁ ଆସୁଥିବା ଜଳ ଶନିବାର ସକାଳ ସୁଦ୍ଧା ମୁଣ୍ଡୁଳିରେ ବଢ଼ିବ । ଶନିବାର ସକାଳରୁ ମଧ୍ୟାହ୍ନ ଭିତରେ ୮ଲକ୍ଷ କ୍ୟୁସେକ୍ ପାସ୍ କରିବ । ମୁଣ୍ଡୁଳିରେ ମଧ୍ୟାହ୍ନରେ ଗଲେ ରାତି ସୁଦ୍ଧା ତଳିଆ ଅଞ୍ଚଳରେ ପହଞ୍ଚିବ । କେନ୍ଦ୍ରାପଡ଼ା, ପୁରୀ ଆଦି ଜିଲ୍ଲାରେ ଶନିବାର ରାତିରେ ପାସ୍ କରିବ । ଫଳରେ ଶନିବାର ରାତିରେ ଏକ ଛୋଟ ବା ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ଉପୁଜିବ । ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ୬ଟି ଜିଲ୍ଲାରେ ୩୦ ଟିମ୍ ଓଡ୍ରାଫ୍, ୧୨ ଏନ୍ଡିଆରଏଫ୍ ଓ ୧୦ଟି ଅତିରିକ୍ତ ଅଗ୍ନିଶମ ବାହିନୀ ଟିମ୍ ମୁତୟନ ଅଛନ୍ତି ।

କେନ୍ଦୁଝରରେ ଅଧିକ ବର୍ଷା ଯୋଗୁ ବୈତରଣୀରେ ବଢ଼ୁଛି ଜଳସ୍ତର । ଯାଜପୁର ଓ ଭଦ୍ରକରେ ବିପଦ ସଙ୍କେତ ଉପରେ ବୈତରଣୀ । ତେବେ ସେମିତି କୌଣସି ବିପଜ୍ଜନକ ପରିସ୍ଥିତି ଉପୁଜିବ ନାହିଁ । ଯାଜପୁର ଜିଲ୍ଲାରେ ବ୍ରାହ୍ମଣୀ ଜଳସ୍ତର ଖସୁଥିବା ବେଳେ ଉଚ୍ଛୁଳୁଛି ବୈତରଣୀ । ବରୀ ବ୍ଲକ୍ ମାଟିଆପଡ଼ା ନଦୀବନ୍ଧରେ ଦୁଇଟି ଘାଇ ସୃଷ୍ଟି ହେବାରୁ ୫ରୁ ଅଧିକ ପଞ୍ଚାୟତବାସୀ ଏବେ ଜଳବନ୍ଦୀ । ପଞ୍ଚାୟତର ମୁଖ୍ୟ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି । ବରୀରେ ଦୁଇଟି ଓ ରସୁଲପୁର ବ୍ଲକ୍ରେ ଗୋଟିଏ ଘାଇ ସୃଷ୍ଟି ହେବାରୁ ଚିନ୍ତା ବଢ଼ିଛି । ସେହିପରି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ୯ ଓ ଭଣ୍ଡାରୀପୋଖରୀ ବ୍ଲକ୍ର ୪ ପଞ୍ଚାୟତ ଲୋକ ପ୍ରଭାବିତ ହୋଇଛନ୍ତି । ପାଣି ଖସୁଥିଲେ ବି ତଳିଆ ଅଞ୍ଚଳବାସୀଙ୍କ ଦୁର୍ଦ୍ଦଶା ବଢ଼ିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବିନ୍ନଙ୍କୁ ରନ୍ଧାଖାଦ୍ୟ ଓ ରିଲିଫ୍ ଯୋଗାଇ ଦିଆଯାଇଛି । ତେବେ ଏଯାଏଁ ସେମିତି
ଉଦ୍ବେଗଜନକ ସ୍ଥିତି ନାହିଁ ବୋଲି କହିଛନ୍ତି ଏସ୍ଆରସି । କଟକ ଜିଲ୍ଲା ମୁଣ୍ଡଳିରେ ଆଜି ସକାଳେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ଜଳ ସଂପଦ ବିଭାଗ ସଚିବ ଅନୁ ଗର୍ଗ । ଏହି ସମୟରେ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ଓ ମୁଣ୍ଡଳି ବ୍ୟାରେଜର ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

ଆଜି ହୀରାକୁଦରେ ଅଧିକ ଗେଟ୍ ଖୋଲାଯାଇଥିଲେ ବି ସେ ପାଣି ଆସି ଏଠାରେ ପହଞ୍ଚୁ ପହଞ୍ଚୁ ୧୮ ତାରିଖ ସକାଳ ହୋଇଯିବ । ସେତେବେଳକୁ ଏଠାରୁ ଜଳ ନିଷ୍କାସନ ହୋଇ ସାରିଥିବ । ଏଣୁ ୧୮ ତାରିଖ ସକାଳ ବେଳକୁ ମୁଣ୍ଡଳୀ ବ୍ୟାରେଜ ଦେଇ ୭ ଲକ୍ଷରୁ ସାଢ଼େ ୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ କହିଛନ୍ତି । ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦେଖି ମୁତୟନ କରାଯାଇଛି ୪ଟି ଏନ୍ଡିଆରଏଫ୍ ଟିମ୍ । ରାଜ୍ୟ ସରକାରଙ୍କ ଅନୁରୋଧ ପରେ ମୁଣ୍ଡଳୀ ସେଣ୍ଟରରୁ ଏହି ଟିମ୍ ପଠାଯାଇଛି । ଯବାନମାନେ ରିଲିଫ୍, ଉଦ୍ଧାର ଓ ଥଇଥାନ କାମରେ ନିୟୋଜିତ ହେବେ । ଗତ ୧୪ ତାରିଖରେ ଗୋଟିଏ ଟିମ୍ ଭଦ୍ରକ ଯାଇଥିବା ବେଳେ ଆଜି ସକାଳୁ ତିନିଟି ଟିମ୍ କେନ୍ଦ୍ରାପଡ଼ା,କଟକ ଓ ପୁରୀ ଯାଉଛନ୍ତି । ପ୍ରତି ଟିମ୍ରେ ୨୫ ଜଣ ଲେଖାଏଁ ଯବାନ ଅଛନ୍ତି । ଏହା ସହିତ ବାଲେଶ୍ୱର ଜିଲ୍ଲାରେ ଥିବା ଏନ୍ଡିଆରଏଫ୍ ରାପିଡ ରେସ୍ପନ୍ସ ସେଣ୍ଟରରେ ଥିବା ଗୋଟିଏ ଟିମ୍ ବାଲେଶ୍ୱରରେ ମୁତୟନ କରାଯାଇଛି । ମୁଣ୍ଡଳୀରେ ଆହୁରି ଅଧିକ ଟିମ୍ ମଧ୍ୟ ପ୍ରସ୍ତୁତ ହୋଇ ଅଛନ୍ତି । ଦରକାର ହେଲେ ସେମାନଙ୍କୁ ମଧ୍ୟ ମୁତୟନ କରାଯିବ ବୋଲି ଏନ୍ଡିଆରଏଫ୍ ପକ୍ଷରୁ କୁହାଯାଇଛି ।

Comments are closed.