ଇତିହାସ ରଚିଲା ଭୁବନେଶ୍ୱର ଏମ୍ସ :୨ବର୍ଷ ଶିଶୁର ସଫଳ ଇକ୍ମୋ ଚିକିତ୍ସା

0 68

ଭୁବନେଶ୍ୱର : ଇତିହାସ ରଚିବା ସହ ନିଜ ସଫଳତାରେ ଏକ ନୂତନ ଫର୍ଦ୍ଦ ଯୋଡ଼ିଛି ଭୁବନେଶ୍ୱର ଏମ୍ସ । ଜନୈକ ୨୨ମାସର ଶିଶୁ ଉପରେ ସଫଳ ଇକ୍ମୋ ଚିକିତ୍ସା କରି ଏବେ ଚର୍ଚ୍ଚାରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲ । କାରଣ ଏପରି ବିରଳ ସଫଳତା ଜିଲ୍ଲା କିମ୍ବା ରାଜ୍ୟରେ ନୁହେଁ, ଦେଶରେ ପ୍ରଥମ ବୋଲି ଜଣାପଡ଼ିଛି । ପୂର୍ବରୁ ଏତେ କମ୍ ବୟସ୍କ ଶିଶୁ ଉପରେ ଇକମୋ ଚିକିତ୍ସା କରାଯାଇନଥିଲା । ଶିଶୁଟି ଫୁସ୍ଫୁସ୍ର ଏକ ବିରଳ ରୋଗ ପଲମୋନାରୀ ଆଲଭେଓଲାର୍ପ୍ରୋ ଟିନୋସିସ୍ ରେ ପୀଡିତ ଥିଲା ବୋଲି ଏମ୍ସ ପକ୍ଷରୁ କୁହାଯାଇଛି ।

ମିଳିଥିବା ସୂଚନା ମୁତାବକ, ଢ଼େଙ୍କାନାଳର ୨୨ମାସର ଏହି ଶିଶୁକନ୍ୟାଟି ଜୁନ୍ ୨୦୨୧ରେ ପରିବାରର ଅନ୍ୟ ସଦସ୍ୟଙ୍କ ସହ କରୋନାରେ ଆକ୍ରାନ୍ତ ହୋଇଥିଲେ ଏବଂ ପରେ ସୁସ୍ଥ ହୋଇଥିଲେ । ହେଲେ ଜୁଲାଇ ୨୦୨୧ରେ ପୁଣି ଜ୍ୱର ହେବା ସହ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ପ୍ରଥମେ ତାଙ୍କୁ କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ବି ଶିଶୁର ଅବସ୍ଥା ସୁଧୁରିନଥିଲା । ସେଥିପାଇଁ ଶେଷରେ ତାଙ୍କୁ ଭୁବନେଶ୍ୱର ଏମ୍ସର ଶିଶୁ ବିଭାଗକୁ ପଠାଯାଇଥିଲା । ନିଶ୍ୱାସ ନେବାରେ ଅସୁବିଧା ହେତୁ ତାଙ୍କୁ ପେଡିଆଟ୍ରିକ୍ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ପିଆଇସିୟୁ)ରେ ଭର୍ତ୍ତି କରାଯାଇଥିଲା । ଅନୁସନ୍ଧାନ ପରେ ସେ ପୁଲମୋନାରୀ ଆଲଭେଓଲାର୍ ପ୍ରୋଟିନୋସିସରେ ପୀଡିତ ଥିବା ସନ୍ଦେହ କରାଯାଇଥିଲା । ଏହି ସମସ୍ୟା ହେଲେ ଦୁଗ୍ଧ ପରି ଜିନିଷ ଉଭୟ ଫୁସ୍ଫୁସ୍ ରେ ଜମା ହୋଇଯାଏ । ଏହି ରୋଗ ପାଇଁ ଏକମାତ୍ର ଉପଲବ୍ଧ ଚିକିତ୍ସା ବିକଳ୍ପ ଥିଲା ଉଭୟ ଫୁସ୍ଫୁସ୍କୁ ସାଲାଇନ୍ ସହିତ ସଫା କରିବା । ହେଲେ ଅସୁସ୍ଥ ଶିଶୁଙ୍କ ଉପରେ ଏଭଳି ବିକଳ୍ପ ପ୍ରୟୋଗ କରିବା କଷ୍ଟକର ଥିଲା । ତେଣୁ ଡାକ୍ତରମାନଙ୍କର ଏକ ବିଶେଷଜ୍ଞ ଦଳ ଗଠନ କରାଯାଇ ଶିଶୁକୁ ଇକ୍ମୋ ସହାୟତା (ଆରଟିଫିସିଆଲ୍ ଫୁସ୍ଫୁସ୍)ରେ ରଖି ଫୁସ୍ଫୁସ୍ ସଫା କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ଟିମ୍ ରେ ଶିଶୁ ବିଭାଗର ଡାକ୍ତରମାନେ ଥିଲେ ଏବଂ ସେମାନଙ୍କୁ ଅନ୍ୟ ନର୍ସିଂ କର୍ମଚାରୀ, ଶିଶୁରୋଗ ଏବଂ ଆନାସ୍ଥେସିଆ ବିଭାଗର ସପୋର୍ଟ ଷ୍ଟାଫ ସାହାଯ୍ୟ କରିଥିଲେ । ଅଗଷ୍ଟ ୩୦,୨୦୨୧ରେ ପ୍ରଥମ ଫୁସ୍ଫୁସ୍ ସଫା କରିବା ପ୍ରକ୍ରିୟା କରାଯାଇଥିବା ବେଳେ ସେପ୍ଟେମ୍ବର ୧୩ରେ ଦ୍ୱିତୀୟ ଥର ଫୁସ୍ଫୁସ୍ ସଫା କରାଯାଇଥିଲା । ଏହାପରେ ଶିଶୁଟିର ଅବସ୍ଥା ଧୀରେ ଧୀରେ ସୁଧୁରିବାକୁ ଲାଗିଥିଲା । କିଛି ଦିନ ହସ୍ପିଟାଲରେ ରହିବା ପରେ ଆଜି ଶିଶୁଟି ଏମ୍ସରୁ ଡିସଚାର୍ଜ ହୋଇଛି ।

Leave A Reply

Your email address will not be published.