ଡ୍ୟାମ୍ ପାଲଟିବ ମନୋରଞ୍ଜନର ପେଣ୍ଠ

0 72

ଭୁବନେଶ୍ୱର : ରାଜ୍ୟରେ ଥିବା ବଡ଼ ବଡ଼ ଡ୍ୟାମ୍ ଆଉ କେବଳ ବନ୍ୟାଜଳ ନିୟନ୍ତ୍ରଣରେ ସୀମିତ ରହିବ ନାହିଁ । ଡ୍ୟାମ୍ ନିକଟରେ ଥିବା ସ୍ଥାନ ଗୁଡ଼ିକରେ ମନୋରଞ୍ଜନର ସୁଯୋଗ ମିଳିବ । ମ୍ୟୁଜିୟମ୍ ସାଙ୍ଗକୁ ଅଡିଓ ଭିଜୁଆଲ ସୋ, ଡ୍ୟାମ୍ ଟୁର, ବୋଟିଂ ଓ କ୍ୟାମ୍ପର ସୁବିଧା ଦିଆଯିବ । ବିଶେଷକରି ସହର ନିକଟରେ ଥିବା ଡ୍ୟାମ୍କୁ ଅଗ୍ରାଧିକାର ଭିତ୍ତିରେ ବିକଶିତ କରାଯିବ । ଯାହା ଫଳରେ ଏହା ଅଧିକରୁ ଅଧିକ ଲୋକଙ୍କ ଆକୃଷ୍ଟ କରିବାରେ ସଫଳ ହେବ । ଆଜି ଲୋକସଭା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବେଠକରେ ଏହି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଅନେକ ଡ୍ୟାମ୍ ପ୍ରକଳ୍ପ ରହିଛି । ଏସବୁ ଡ୍ୟାମ୍ଗୁଡ଼ିକ ଗୋଟିଏ ଗୋଟିଏ ଇଞ୍ଜିନିୟରିଂର ଶ୍ରେଷ୍ଠ ନମୁନା । ତେଣୁ ଏସବୁ ଡ୍ୟାମ୍ ଉଭୟ ଶିକ୍ଷଣୀୟ ଓ ମନୋରଞ୍ଜନର ଏକ ପ୍ରମୁଖ ସ୍ଥାନ । ତେଣୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଭିଓ ଭିଜୁଆଲ ମାଧ୍ୟମରେ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ସମ୍ବନ୍ଧରେ ସୂଚନା ଦେବା ଲାଗି ମ୍ୟୁଜିୟମ୍ ପ୍ରତିଷ୍ଠା କରାଯିବାକୁ ନିଷ୍ପତ୍ତି ହୋଇଛି । ଡ୍ୟାମ୍ ର ଇକୋ ସିଷ୍ଟମ୍, ଜଳସେଚନ ପ୍ରକ୍ରିୟା, ଶକ୍ତି ଉତ୍ପାଦନ ଭଳି ବହୁବିଦ୍ଧ କାର୍ଯ୍ୟ ସମ୍ବନ୍ଧରେ ଛାତ୍ର ଛାତ୍ରୀ ମାନେ ଜାଣିବାର ସୁଯୋଗ ପାଇବେ ।

କଳାହାଣ୍ଡି ଜିଲ୍ଳାରେ ଥିବା ଲୋୟର ଇନ୍ଦ୍ର ଡ୍ୟାମ୍,ଖୋର୍ଦ୍ଧାର ସାଳିଆ ଡ୍ୟାମ୍, ନୂଆପଡ଼ାର ପତାରା ଡ୍ୟାମ, କୋରାପୁଟର ଅପର କୋଲାବ, ଅନୁଗୁଳର ସମଲ ବ୍ୟାରେଜ୍, ମାଲକାନଗିରିର ବାଲିମେଳା, ଗଜପତିର ହରଭଙ୍ଗି, ନୟାଗଡ଼ର କୁଆଁରିଆ, ଗଞ୍ଜାମର ଘୋଡ଼ାହାଡ଼, ଧନେଇ ଓ ଭଞ୍ଜନଗର ଡ୍ୟାମ, ରାୟଗଡ଼ାର ବଡ଼ନଳା, ସୁନ୍ଦରଗଡ଼ର ପିତାମହଲ, କେନ୍ଦୁଝରର କଞ୍ଝାରୀ-ସାଳନ୍ଦୀ,ସାନମାଛକାନ୍ଦଣା ଏମ୍ଆଇପି, ସୁନ୍ଦରଗଡ଼ର କାଂସବାହଲ, ମୟୂରଭଞ୍ଜର ଖଡ଼ଖାଇ, କଳାହାଣ୍ଡିର ଇନ୍ଦ୍ରାବତୀ ଓ କେନ୍ଦୁଝରର ହଦଗଡ଼ ଡ୍ୟାମ୍କୁ ମନୋରଞ୍ଜନ ସାଙ୍ଗକୁ ଶିକ୍ଷଣୀୟ ସ୍ଥାନ ଭାବେ ବିକଶିତ କରାଯାଇ ପାରିବ ବୋଲି ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଥିଲେ । ସହର ନିକଟବର୍ତ୍ତୀ ଡ୍ୟାମଗୁଡ଼ିକ ଅଧିକ ସଂଖ୍ୟାରେ ଲୋକଙ୍କୁ ଆକୃଷ୍ଟ କରିବାର କ୍ଷମତା ରହିଥିବାରୁ ଏସବୁକୁ ପ୍ରାଥମିକ ପର୍ଯ୍ୟାୟରେ ଚୟନ କରିବା ଲାଗି ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ଗୁରୁତ୍ୱାରୋପ କରିଥିଲେ । ଏଭଳି ୩/୪ଟି ଡ୍ୟାମ୍କୁ ଚିହ୍ନଟ କରାଯିବାସହିତ ପରବର୍ତ୍ତୀ ସମୟରେ ଏସବୁ ଡ୍ୟାମ୍ର ବିକାଶରୁ ମିଳିଥିବା ଅଭିଜ୍ଞତାକୁ ଭିତ୍ତି କରି ଅନ୍ୟଗୁଡ଼ିକୁ ବିକଶିତ କରାଯାଇ ପାରିବ । ପ୍ରତ୍ୟେକ ସ୍ଥାନର ବିକାଶ ପାଇଁ ପ୍ରାୟ ୪ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ସେହିପରି ଡ୍ୟାମ୍ ର ଜଳଭଣ୍ଡାରରେ ବୋଟିଂ ପାଇଁ ବନ ସୁରକ୍ଷା ସମିତି କିମ୍ବା ଟୁରିଜିମ ଏଜେନ୍ସି ସହାୟତାରେ ଏହାର କିଭଳି ପରିଚାଳନା କରାଯିବ ତାହାର ପଦେକ୍ଷପ ଗ୍ରହଣ କରିବା ଲାଗି ଜଙ୍ଗଲ ଓ ପରିବେଶ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ମୋନା ଶର୍ମା, ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.