ଟଳିଲା ବାତ୍ୟା ବିପଦ : ଓଡ଼ିଶାରେ ପ୍ରଭାବହୀନ

70

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଗୁଲାବ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମଟେକାଲିଠାରେ ସ୍ଥଳଭାଗ ଛୁଇଁଛି । ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ସନ୍ଧ୍ୟା ୬ଟାରେ ଆରମ୍ଭ ହୋଇ ମଧ୍ୟ ରାତ୍ର ସୁଦ୍ଧା ସରିଛି । ତେବେ ଓଡ଼ିଶାରେ ଏହାର ବିଶେଷ ପ୍ରଭାବ ପଡ଼ିନାହିଁ । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପ ପବନ ଓ ବର୍ଷା ଅନୁଭୂତ ହୋଇଥିଲା । ଲ୍ୟାଣ୍ଡଫଲ ବେଳେ କଳିଙ୍ଗ ପଟ୍ଟନମଠାରେ ପବନର ବେଗ ୭୫ରୁ ୮୫ କିମି ପର୍ଯ୍ୟନ୍ତ ରହିଥିଲା । ତେବେ ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ପୁରୀରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହୋଇଯାଇଛି । ଗଜପତି ଜିଲ୍ଲାରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହିତ ମଧ୍ୟମ ଧରଣର ବର୍ଷା ହୋଇଛି । ବର୍ଷା ଓ ପବନ ନଥିବାରୁ ଲୋକେ ଆଶ୍ୱସ୍ତ ହୋଇଛନ୍ତି । କିନ୍ତୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତିକୁ ସୂଚାରୁ ରୂପେ ତୁଲାଯାଇଥିଲା । ୧୬ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୬୦୦ ଗର୍ଭବତୀ, ବୃଦ୍ଧ ଓ ଭିନ୍ନକ୍ଷମଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଭୂସ୍ଖଳନ ଆଶଙ୍କାରେ ସୋରଡା-ଦାରିଙ୍ଗବାଡି ଘାଟିରାସ୍ତାକୁ ସିଲ୍ କରାଯାଇଥିଲା । ତେବେ ଗଜପତି ଗୁମ୍ମା ବ୍ଲକ୍ ରେ ମାଟି ଅତଡ଼ା ଧସି ରାସ୍ତା ଅବରୋଧ ହୋଇଥିବାରୁ ଯାତାୟାତ ଠପ୍ ହୋଇପଡ଼ିଥିଲା । ନାମନଗଡ଼ରୁ ଅଜୟଗଡ଼ ମଧ୍ୟରେ ରାସ୍ତାରୁ ମାଟି ଅତଡା ଧସିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା । ଗଜପତି ଜିଲ୍ଲା ରାଇପାଙ୍କା ଅଞ୍ଚଳର ପାହାଡ ତଳେ ବସବାସ କରୁଥିବା ଗ୍ରାମବାସୀଙ୍କୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା । କୌଣସି ଅଘଟଣକୁ ଏଡାଇବା ପାଇଁ ପ୍ରଶାସନର ନିର୍ଦ୍ଦେଶ କ୍ରମେ ରାଇପଙ୍କା ଗ୍ରାମ ସମେତ କଡ଼କଡ଼ମା, ମାନ୍ଦ୍ରାବାଜୁ ଗାଁର ପ୍ରାୟ ୫୦ ପରିବାରକୁ ସ୍ଥାନାନ୍ତର କରାଯାଇଛି ।

ସେହିପରି ଗୁଲାବକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଥିଲା । ଅଗ୍ନିଶମ ବିଭାଗ ପକ୍ଷରୁ କନିସିଠାରୁ ଗୋପାଳପୁର ମଧ୍ୟରେ ଥିବା ବଡ଼ ବଡ଼ ଗଛଗୁଡ଼ିକୁ କାଟି ସଫା କରାଯାଇଥିଲା । ବାତ୍ୟା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ମଧ୍ୟ ସଜାଗ ରହିଥିଲା । ମୁଖ୍ୟତଃ କୃଷ୍ଣପ୍ରସାସ ଓ ବ୍ରହ୍ମଗିରି ଅଞ୍ଚଳ ସହ ତତ୍ସଂଲଗ୍ନ ଅଞ୍ଚଳ ଉପରେ ଫୋକସ୍ ଦେଇଥିଲେ ପୁରୀ ଜିଲ୍ଲାପାଳ । ତଳିଆ ଅଞ୍ଚଳ ଉପରେ ନଜର ରଖିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ୩୯ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଏସ୍ଆରସି ସୂଚନା ଦେଇଛନ୍ତି । ଶ୍ରୀକାକୁଲମରେ ୭୦ କିମି ବେଗରେ ପବନ ବହିଥିବା ବେଳେ ଓଡ଼ିଶାରେ ବିଶେଷ କିଛି ପ୍ରଭାବ ପଡ଼ିନାହିଁ । ପ୍ରଭାବିତ ଆଶଙ୍କା ଥିବା ଗଞ୍ଜାମ, ଗଜପତି, ରାୟଗଡ଼ାରେ ମଧ୍ୟ ସେମିତି ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ । ତେବେ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ସାରା ରାତି ସଜାଗ ରହିଥିଲା । ତେବେ କାଲି ସନ୍ଧ୍ୟା ସୁଦ୍ଧା ବାତ୍ୟା ଛତିଶଗଡ଼ରେ ପହଞ୍ଚିବା ନେଇ ସମ୍ଭାବନା ରହିଛି ବୋଲି ଏସ୍ଆରସି କହିଛନ୍ତି । ବାତ୍ୟାର କ୍ଲାଉଡ୍ ବ୍ୟାଙ୍କ ଆନ୍ଧ୍ର ପ୍ରଦେଶର ଉତ୍ତର ଉପକୂଳ ଓ ଓଡ଼ିଶାର ଦକ୍ଷିଣ ଉପକୂଳକୁ ଛୁଇଁବା ବେଳେ ପୁରୀରେ ଘଣ୍ଟାପ୍ରତି ୩୧ କିମି ଓ ଗୋପାଳପୁରରେ ଘଣ୍ଟା ପ୍ରତି ୨୬ କିମି ବେଗରେ ପବନ ବହୁଥିଲା । ତେବେ ବାତ୍ୟା ଜନିତ କ୍ଷୟକ୍ଷତିର କୌଣସି ସୂଚନା ନଥିବା ବେଳେ ବାତ୍ୟାର କେନ୍ଦ୍ର ଅତିକ୍ରମ କରିଯାଇଥିବା ବେଳେ ତାର ପଛଭାଗ କେବଳ ରହିଛି । ଉତ୍ତର ଆନ୍ଧ୍ରରୁ ଦକ୍ଷିଣ ଓଡ଼ିଶା ଦେଇ ଏହା ଛତିଶଗଡ଼ ଯିବ ବୋଲି ଏସ୍ଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ଡଙ୍ଗା ଓଲଟି ୫ ମତ୍ସ୍ୟଜୀବୀ ନିଖୋଜ :

ଆନ୍ଧ୍ରପ୍ରଦେଶ କଳିଙ୍ଗପଟ୍ଟନମର ମୁରାବାଡି ନିକଟରେ ସ୍ଥଳଭାଗ ଛୁଇଁଛି । ତେବେ ଏହାରି ମଧ୍ୟରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ସମୁଦ୍ରରୁ ଫେରୁଥିବା ବେଳେ ୫ ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି । ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ଯାଇ ଫସିରହିଥିଲେ କିଛି ମତ୍ସ୍ୟଜୀବୀ । ତେବେ ଭିତରେ ଝଡ ତୋଫାନ ହେବାରୁ ଫେରୁଥିବା ବେଳେ ଡଙ୍ଗା ଓଲଟି ପଡିବାରୁ ସମୁଦ୍ର ଭିତରେ ପଡିଯାଇଥିଲେ ୫ ଜଣ ମତ୍ସ୍ୟଜୀବୀ । ସମସ୍ତେ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମର ବୋଲି ଜଣାପଡିଛି । ସମୁଦ୍ରରୁ ଫେରୁଥିବା ବେଳେ ମଣ୍ଡାସା ତଟ ନିକଟରେ ଡଙ୍ଗା ଓଲଟି ପଡିଥିଲା । ତେବେ ସେମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ପତ୍ତା ମିଳିନାହିଁ । ପୋଲିସ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

Comments are closed.